ପିଏମଇଣ୍ଡିଆ
ଆଜି ଏଠାରେ ମଂଚକୁ ଆସିବା ପୂର୍ବରୁ ଉତ୍ତର-ପୂର୍ବାଂଚଳର ସମସ୍ତ ୮ଟି ଯାକ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ଷ୍ଟଲଗୁଡ଼ିକ ମୁଁ ବୁଲି ଦେଖିଛି । ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କଳାକୃତି ଓ ଉତ୍ପାଦ ସାମଗ୍ରୀ ବାସ୍ତବିକ ବେଶ୍ ମନମୁଗ୍ଧକର । ଏଥିପାଇଁ ମୁଁ ସେହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ସେମାନେ ସଭିଏଁ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ସେମାନଙ୍କଠାରେ ନିହିତ ଥିବା ସୃଜନଶୀଳତାକୁ ପ୍ରଦର୍ଶନ କରିପାରିଛନ୍ତି ।
ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଉନ୍ନତି ଦିଗରେ ବେଶ୍ ସହାୟକ ହୋଇଛି । ଏଥିରୁ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ତର-ପୂର୍ବାଂଚଳ ଆର୍ଥିକ ବିକାଶ ପ୍ରତିଷ୍ଠାନ ମାଧ୍ୟମରେ ଋଣ ପାଇପାରିଛନ୍ତି । ପୁଣି ସେମାନଙ୍କୁ ଉତ୍ତର-ପୂର୍ବାଂଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳୁଥିବା ଋଣ ସବସିଡି ମଧ୍ୟ ଉପଲବ୍ଧ ହେଉଛି ।
ସରକାର ସ୍ୱୟଂସହାୟକ ଗୋଷ୍ଠୀର ବିକାଶ ପାଇଁ ବଦ୍ଧପରିକର । ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏହି କଥାକୁ ସ୍ମରଣ ରଖି ୨୦୧୫ ଡିସେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ୍ ଉତ୍ତର-ପୂର୍ବାଂଚଳ ରାଜ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ପାଣ୍ଠିକୁ ମଞ୍ଜୁରି ପ୍ରଦାନ କରିଛି । ଏହାର ଉଦ୍ଦେଶ୍ୟ ହେଲା ଜାତୀୟ ଗ୍ରାମୀଣ ଜୀବନଜୀବିକା ମିଶନ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା । ଯଦ୍ୱାରା ୨୦୨୩-୨୪ ମସିହା ସୁଦ୍ଧା ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକର ଦୁଇ-ତୃତୀୟାଂଶ ଗ୍ରାମୀଣ ପରିବାର ଉପକୃତ ହୋଇପାରିବେ ।
ବନ୍ଧୁଗଣ,
ଆଜି ମୁଁ ଏଠାରେ ଏକ ଫୁଟବଲ ଷ୍ଟାଡିୟମର ଭିତ୍ତିପ୍ରସ୍ତରର ସ୍ଥାପନ କରିଛି । ଆମେ ସଭିଏଁ ଜାଣୁ, ଉତ୍ତର-ପୂର୍ବାଂଚଳ ରାଜ୍ୟର ଲୋକମାନଙ୍କ ଭିତରେ ବିଶେଷକରି ମେଘାଳୟ ଲୋକଙ୍କ ମଧ୍ୟରେ ଫୁଟବଲ ଖୁବ୍ ଲୋକପ୍ରିୟ । ଫୁଟବଲ ପ୍ରତି ଏଠାରେ ଲୋକମାନଙ୍କ ମଧ୍ୟରେ ଏକ ଅହେତୁକ ଆଗ୍ରହ ରହିଛି ଓ ରାଜ୍ୟର ସର୍ବତ୍ର ଏହା ଖେଳାଯାଏ । ଆମେ ୟୁଜେନସନ ଲିଙ୍ଗ୍ଡୋ, ଆଇବୁର୍ ଖୋମ୍ଜୀ ଏବଂ ମାର୍ଲାଙ୍କୀ ସୁଟିଙ୍ଗ୍ଙ୍କ ଭଳି ପ୍ରସିଦ୍ଧ ଫୁଟବଲ ଖେଳାଳିଙ୍କ ସଂପର୍କରେ ପରିଚିତ ଅଛେ । ସେମାନେ ସଭିଏଁ ଉଭୟ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଭାରତକୁ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି । ପୁଣି ଇଣ୍ଡିଆନ୍ ସୁପରଲିଗ୍ ରେ ସେମାନଙ୍କ କ୍ଲବ୍ ଅଂଶଗ୍ରହଣ କରିଛି ।
ମୁଁ ଶୁଣିଛି ଯେ ରାଜ୍ୟ ସରକାରଙ୍କ ମେଘାଳୟ ଫୁଟବଲ ମିଶନ ସମାଜର ତଳସ୍ତରରୁ ଫୁଟବଲ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପେଶାଦାର ଫୁଟବଲ ଖେଳାଳିଭାବେ ଗଢି ତୋଳିବା ଲାଗି ସବୁପ୍ରକାର ପ୍ରୟାସ କରିଥାଏ । ମୁଁ ନିଶ୍ଚିତ ଯେ ୩୮ କୋଟି ଟଙ୍କା ବ୍ୟୟରେ ଏଠାରେ ନିର୍ମିତ ହେଉଥିବା ଷ୍ଟାଡିୟମ ସେମାନଙ୍କର କାର୍ଯ୍ୟରେ ଆସିବ । ଉତ୍ତର-ପୂର୍ବାଂଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ଏଥିପାଇଁ ସହାୟତା ଯୋଗାଇ ଦେଇଛି ।
ଆଗାମୀ ବର୍ଷ ଅର୍ଥାତ୍ ୨୦୧୭ରେ ଭାରତ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ଆୟୋଜନ କରୁଛି । ଭାରତରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ଆମେ ଏଥିରୁ ଫାଇଦା ନେବା ଉଚିତ୍ । ତେବେ ଏକଥା ସୁନିଶ୍ଚିତ କରିବା ଦରକାର ଯେ ଉତ୍ତର-ପୂର୍ବାଂଚଳ କ୍ଷେତ୍ର ସହ ଦେଶର ଅନ୍ୟାନ୍ୟ ଭାଗରେ ଫୁଟବଲର ପ୍ରସାର ଓ ବିକାଶ ଯେପରି ଘଟିପାରିବ ।
ମେଘାଳୟରେ ଅନେକଗୁଡ଼ିଏ ଫୁଟବଲ କ୍ଲବ ଏବଂ ସଂଘ ରହିଛି । ସମ୍ଭବତଃ ଆପଣମାନେ ସ୍ଥାନୀୟ ସ୍ତରରେ ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଂଟର ଆୟୋଜନ କରିପାରିବେ । ଯାହାକି ଦେଶର ଅନ୍ୟାନ୍ୟ ଭାଗକୁ ସଂପ୍ରସାରିତ ହୋଇପାରିବ । ଏହା ଅଣ୍ଡର-୧୭ ବିଶ୍ୱକପ୍ ପାଇଁ ଏକ ପ୍ରମୁଖ ଘଟଣା ହେବ ।
ବନ୍ଧୁଗଣ,
ଆମେ ସମସ୍ତେ ଜାଣିଲେ ଯେ ଚେରାପୁଞ୍ଜି ବିଶ୍ୱର ସବୁଠାରୁ ଅଧିକ ବର୍ଷାଲାଭ କରୁଥିବା ଏକ ସ୍ଥାନ । ଆଜି ଏହାର ମୁକୁଟରେ ଆଉ ଏକ ଗୌରବ ଲେଖି ହୋଇଗଲା । ଚେରାପୁଞ୍ଜିଠାରେ ସ୍ଥାପିତ ଡପ୍ଲର ପାଣିପାଗ ରାଡାର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି । ଏଥିପାଇଁ ମୁଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଏବଂ ଭାରତୀୟ ପାଣିପାଗ ବିଭାଗକୁ ଚେରାପୁଞ୍ଜିଠାରେ ଏଭଳି ରାଡାର ସ୍ଥାପନ ନିମନ୍ତେ ଅଭିନନ୍ଦନ ଜଣାଉଛି ।
ଉତ୍ତର-ପୂର୍ବାଂଚଳ ହେଉଛି ଏକ ସୌନ୍ଦର୍ଯ୍ୟ ଓ ଦୁଃସାହସିକ କ୍ଷେତ୍ର । ନିକଟ ଅତୀତରେ ଏହି ଅଂଚଳ ଏତେଗୁଡ଼ିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତାହା ଘଟିଛି ଭାରି ବର୍ଷା ଏବଂ ଭୂସ୍ଖଳନ ଯୋଗୁ । ତେଣୁ ଏହି ପାଣିପାଗ ରାଡାର ବ୍ୟବସ୍ଥା ପାଣିପାଗ ପୂର୍ବାନୁମାନ ଦିଗରେ ଯଥେଷ୍ଟ ସହାୟକ ହେବ । ବିଶେଷକରି ଉତ୍ତର-ପୂର୍ବାଂଚଳ କ୍ଷେତ୍ରପାଇଁ ଏହା ଉପକାରସିଦ୍ଧ ହେବ । ତେଣୁ ମାତ୍ରାତୀରିକ୍ତ ପାଣିପାଗ ପରିସ୍ଥିତି ଯୋଗୁ ଯେଉଁ ବିପଦ ଦେଖାଦେଉଛି ତାକୁ ହ୍ରାସ କରିବାରେ ଏହା ସହାୟକ ହେବ ।
ପୂର୍ବରୁ ଆଜି ଉତ୍ତର-ପୂର୍ବାଂଚଳ ପରିଷଦ ବୈଠକରେ ଅଂଶଗ୍ରହଣ କରିବାର ସୁଯୋଗ ମୋତେ ମିଳିଛି । ମୁଁ ଏହି କ୍ଷେତ୍ରର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଳାପ ଆଲୋଚନା କରିଛି । ଏହା ଏହି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହେବାକୁ ମୋତେ ସୁଯୋଗ ଦେବା ଉଚିତ । ଅନେକ କଥା କରାଯାଇଛି, କିନ୍ତୁ ଢେର କିଛି କରିବାକୁ ଏବେସୁଦ୍ଧା ବାକି ଅଛି ।
ମୋ ସରକାର ସକାରାତ୍ମକ ଭାବେ ‘ପ୍ରାଚ୍ୟମୁଖୀ ନୀତି’ କୁ ଅନୁସରଣ କରୁଛି । ମୋ ବିଚାରରେ ଉତ୍ତର-ପୂର୍ବାଂଚଳ କ୍ଷେତ୍ର ହେଉଛି ଦକ୍ଷିଣ-ପୂର୍ବ ଏସିଆ ସହ ସଂପର୍କ ସ୍ଥାପନର ମୁଖ୍ୟ ଦ୍ୱାର । ଏହି ନୀତିର ଅଂଶବିଶେଷ ସ୍ୱରୂପ ଆମର ଲକ୍ଷ୍ୟ ହେଲା ସଡ଼କ, ରେଳ, ଟେଲିକମ୍, ଶକ୍ତି ଏବଂ ଜଳପଥ ଭଳି ଭିତ୍ତିଭୂମିର ବିକାଶ ଘଟାଇବା ଏବଂ ଆଜି ଏହି ଅଭିଯାନର ଅଂଶବିଶେଷ ସ୍ୱରୂପ ମୁଁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛି । ଦେଶର ବ୍ୟାପକ ରେଳ ନେଟ୍ୱାର୍କ ସହ ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ସଂଯୋଗ କରିବା ଲାଗି ଆମେ ସଂକଳ୍ପବଦ୍ଧ । କେନ୍ଦ୍ରରେ ଏନଡିଏ ସରକାର ଗଠିତ ହେବା ଦିନଠାରୁ ଆମେ ଉତ୍ତର-ପୂର୍ବାଂଚଳ ରେଳ ନେଟୱାର୍କର ବିକାଶ ନିମନ୍ତେ ୧୦ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରିସାରିଛୁ । ରେଳ ମନ୍ତ୍ରଣାଳୟ ଚଳିତବର୍ଷ ଏଥିପାଇଁ ଅଧିକ ୫ ହଜାର କୋଟି ଟଙ୍କା ବ୍ୟୟ କରିବା ଲାଗି ଯୋଜନା ରଖିଛି ।
୨୦୧୪ ନଭେମ୍ବର ମାସରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶକୁ ଭାରତର ରେଳ ନେଟୱାର୍କ ସହ ଯୋଡ଼ି ଦିଆଯାଇସାରିଛି । ନିକଟରେ ତ୍ରିପୁରାର ଅଗରତାଲାକୁ ବ୍ରଡଗେଜ୍ ଲାଇନ୍ ରେ ସଂଯୋଗ କରାଯାଇଛି । ଆଜି ଉତ୍ତର-ପୂର୍ବାଂଚଳ ଇତିହାସ ପାଇଁ ଏକ ଉଲ୍ଲେଖନୀୟ ଦିନ । ଏବେ ମଣିପୁର ଓ ମିଜୋରାମ ଭଳି ରାଜ୍ୟକୁ ବ୍ରଡଗେଜ୍ ପାସେଞ୍ଜର ଟ୍ରେନ ଦ୍ଵାରା ସଂଯୋଗ କରାଯିବ । ଆଜି ଗୌହାଟୀର କାମାକ୍ଷଠାରେ ଜାମ୍ମୁ ନିକଟବର୍ତ୍ତୀ କାଟ୍ରାର ବୈଷ୍ଣୋଦେବୀ ପୀଠ ସହ ପ୍ରତ୍ୟକ୍ଷ ରେଳ ସଂଯୋଗ କରାଯାଇଛି ।
ଆମେ ପ୍ରତିବେଶୀ ରାଷ୍ଟ୍ରଙ୍କ ସହ ରେଳ ଓ ସଡ଼କ ସଂଯୋଗକୁ ଉନ୍ମୁକ୍ତ କରୁଛୁ । ଏହା ଏହି କ୍ଷେତ୍ରର ଆର୍ଥିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
କେନ୍ଦ୍ର ସରକାର ‘ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ’ ନାମରେ ଏକ ନୂତନ ନିଗମ ୨୦୧୪ ଜୁଲାଇ ମାସରେ ଗଠନ କରିଛନ୍ତି । ଉତ୍ତର-ପୂର୍ବାଂଚଳ କ୍ଷେତ୍ରରେ ରାଜପଥର ବିକାଶ ହେଉଛି ଏହାର ଉଦ୍ଦେଶ୍ୟ । ଏହି ନିଗମ ବ୍ରହ୍ମପୁତ୍ର ନଦୀ ଉପରେ ତିନୋଟି ନୂଆ ପୋଲ ନିର୍ମାଣ କରୁଛନ୍ତି । ଉତ୍ତର-ପୂର୍ବାଂଚଳ କ୍ଷେତ୍ରରେ ୩୪ଟି ସଡ଼କ ପ୍ରକଳ୍ପ ମାଧ୍ୟମରେ ଏହି ନିଗମ ପ୍ରାୟ ୧ ହଜାର କିଲୋମିଟରର ସଡ଼କ ପଥ ନିର୍ମାଣ କରିବ । ଯାହାପାଇଁ ୧୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଉଛି । ଏତଦବ୍ୟତିତ ଉତ୍ତର-ପୂର୍ବ ସଡ଼କ ସେକ୍ଟର ବିକାଶ ଯୋଜନା ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଲା ଏ କ୍ଷେତ୍ରର ପ୍ରତ୍ୟେକ ଜିଲ୍ଲାକୁ ଜାତୀୟ ରାଜପଥ ଦ୍ୱାରା ସଂଯୋଗ କରିବା ।
ଆଭ୍ୟନ୍ତରୀଣ ଜଳପଥ ବିକାଶ କାର୍ଯ୍ୟକ୍ରମକୁ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ଏ ଦିଗରେ କେନ୍ଦ୍ର ସରକାର ଉତ୍ତର-ପୂର୍ବ ପୂର୍ବାଂଚଳର ୧୯ଟି ଜଳପଥକୁ ଜାତୀୟ ଜଳପଥ ଭାବେ ଘୋଷଣା କରିଛନ୍ତି ।
ଆମେ ଦେଶର ସମସ୍ତ ନାଗରିକଙ୍କୁ ଅହୋରାତ୍ର ବିଜୁଳି ଶକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି କଥାକୁ ସ୍ମରଣ ରଖି କେନ୍ଦ୍ର ସରକାର ଶକ୍ତି କ୍ଷେତ୍ରରେ ବିପୁଳ ଅର୍ଥ ନିବେଶ କରୁଛନ୍ତି । ଉତ୍ତର-ପୂର୍ବାଂଚଳର ୮ଟି ରାଜ୍ୟରେ ଦୁଇଟି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏହାଦ୍ୱାରା ଏ କ୍ଷେତ୍ରର ବିଜୁଳି ସରବରାହ ବ୍ୟବସ୍ଥା ତ୍ୱରାନ୍ୱିତ ହେବ ଏବଂ ଏଥିପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ ।
ବିଶ୍ୱନାଥ-ଚରିୟାଲି-ଆଗ୍ରା ବିଜୁଳି ସରବରାହ ନେଟୱାର୍କ କାର୍ଯ୍ୟକାରୀ ହେବା ଦ୍ୱାରା ବାହାରୁ ଏହି କ୍ଷେତ୍ରକୁ ୫୦୦ ମେଗାୱାଟ୍ ବିଜୁଳି ଶକ୍ତି ମିଳିପାରୁଛି । ଦେଶରେ ଥିବା ୧୮ ହଜାର ବିଜୁଳିବିହୀନ ଗ୍ରାମମାନଙ୍କ ମଧ୍ୟରୁ ଆମେ ଏପର୍ଯ୍ୟନ୍ତ ୭ ହଜାର ଗ୍ରାମକୁ ବିଜୁଳି ଯୋଗାଇ ଦେଇସାରିଛୁ । ମୋର ଆଶା ୨୦୧୮ ମସିହା ସୁଦ୍ଧା ଉତ୍ତର-ପୂର୍ବାଂଚଳ ରାଜ୍ୟ ସହିତ ଦେଶର କୌଣସିଠାରେ ଆଉ ବିଜୁଳିହୀନ ଗ୍ରାମ ରହିବ ନାହିଁ ।
ଉତ୍ତର-ପୂର୍ବାଂଚଳ କ୍ଷେତ୍ରଲାଗି ସରକାର ଏକ ବ୍ୟାପକ ଟେଲିକମ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ୫ହଜାର ୩ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବାଂଲାଦେଶର କକ୍ସ ବଜାରକୁ ଆନ୍ତର୍ଜାତୀକ ଗେଟୱେ ମାଧ୍ୟମରେ ସଂଯୋଗ କରାଯିବାରେ ଅଗରତାଲା ହେଉଛି ଭାରତର ତୃତୀୟ ସହର । ଏହା ଟେଲିକମ୍ ସଂଯୋଗ ବ୍ୟବସ୍ଥାକୁ ଉନ୍ନତ କରିଛି ଏବଂ ଏହି କ୍ଷେତ୍ରର ଆର୍ଥିକ ବିକାଶ କାର୍ଯ୍ୟକ୍ରମକୁ ଏହା ତ୍ୱରାନ୍ୱିତ କରିବ ।
ଗତଥର ଗେଙ୍ଗଟକ୍ ଗସ୍ତରେ ଯାଇଥିବାବେଳେ ସିକିମକୁ ଦେଶର ପ୍ରଥମ ଜୈବ ରାଜ୍ୟଭାବେ ଘୋଷଣା କରାଯାଇଥିଲା । ଉତ୍ତର-ପୂର୍ବାଂଚଳର ଅନ୍ୟ ରାଜ୍ୟମାନେ ସିକିମର ପଦାଙ୍କ ଅନୁସରଣ କରି ଜୈବ ରାଜ୍ୟ ହୋଇପାରିବେ । ବସ୍ତୁତଃ ଉତ୍ତର-ପୂର୍ବାଂଚଳ କ୍ଷେତ୍ର ଭାରତର ଜୈବ ଖାଦ୍ୟ ବାସ୍କେଟ ବୋଲି କୁହାଯାଇଥାଏ । ଏହା କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଦିଗରେ ସହାୟକ ହେବ ।
ବନ୍ଧୁଗଣ,
ଆଜି ଛୋଟ ଛୋଟ ଋଣ ପାଇବା ପାଇଁ ଆଶାୟୀମାନେ ବ୍ୟାଙ୍କମାନଙ୍କ ଜଟିଳ ନଥି ତର୍ଜମା ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ଏଥିପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କୁ ଅତିରିକ୍ତ ଋଣ ମିଳିପାରୁଛି । ୨୦୧୫-୧୬ ଆର୍ଥିକ ବର୍ଷରେ ୩ କୋଟି ୪୮ ଲକ୍ଷ ଉଦ୍ୟୋଗୀଙ୍କୁ ୧ଲକ୍ଷ ୩୭ ହଜାର କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ସେଥିମଧ୍ୟରୁ ୬ ଲକ୍ଷ ଲୋନ୍ କେବଳ ଉତ୍ତର-ପୂର୍ବାଂଚଳ ରାଜ୍ୟମାନଙ୍କୁ ମଞ୍ଜୁର ହୋଇଛି । ଯାହାର ପରିମାଣ ୨୮୦୦ କୋଟି ଟଙ୍କା ।
ସେହିଭଳି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ ଏ କ୍ଷେତ୍ରରେ ୯୩ ଲକ୍ଷ ବ୍ୟାଙ୍କ ଆକାଉଂଟ ଖୋଲାଯାଇ ପାରିଛି । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ପ୍ରାୟ ୨୧ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନାରେ ପ୍ରାୟ ୧୯ଲକ୍ଷ ଲୋକ ନିଜ ନାମ ପଞ୍ଜୀକରଣ କରାଇଛନ୍ତି ।
କୃଷି କ୍ଷେତ୍ରପରେ ବୟନ କ୍ଷେତ୍ର ହେଉଛି ନିଯୁକ୍ତି ଯୋଗାଣରେ ଦ୍ୱିତୀୟ ବୃହତ୍ତମ କ୍ଷେତ୍ର । ଏହିକ୍ଷେତ୍ର ମଧ୍ୟରେ ପୋଷାକ ନିର୍ମାଣ ସର୍ବାଧିକ ନିଯୁକ୍ତି ପ୍ରଦାନ କରିଥାଏ । ଏ କ୍ଷେତ୍ରରେ ଅଧିକ ସଂଖ୍ୟକ ମହିଳା ନିଯୁକ୍ତି ପାଇଛନ୍ତି ।
ଉତ୍ତର-ପୂର୍ବାଂଚଳ ବୟନ ବିକାଶ ଯୋଜନା ମାଧ୍ୟମରେ ଶିଳ୍ପ କାର୍ଯ୍ୟ ଏବଂ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ପୋଷାକ ନିର୍ମାଣ କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରତି କେନ୍ଦ୍ର ସ୍ଥାପନ ପାଇଁ ୧୪୫ କୋଟି ଟଙ୍କା ଲେଖାଏଁ ବ୍ୟୟ କରାଯିବ । ଏହି ୮ଟି କେନ୍ଦ୍ର ମଧ୍ୟରୁ ୭ଟି କେନ୍ଦ୍ର ନିର୍ମାଣ ଶେଷ ହୋଇଛି । ପ୍ରତି କେନ୍ଦ୍ରରେ ତିନୋଟି ଲେଖାଏଁ ୟୁନିଟ୍ ରହିଛି ।
ବନ୍ଧୁଗଣ,
ମେଘାଳୟର ଏକ ସ୍ୱତନ୍ତ୍ର ଐତିହାସିକ, ସାଂସ୍କୃତିକ ଓ ଜାତିଗତ ବୈଶିଷ୍ଟ୍ୟ ରହିଛି । ଏହାସହ ମେଘାଳୟରେ ପ୍ରାକୃତିକ ବୈଭବ ଓ ବନ୍ୟପ୍ରାଣୀ ଭଳି ସମ୍ପଦ ଭରପୁର । ତେଣୁ ମେଘାଳୟକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ନ ଆସିବାର କୌଣସି କାରଣ ନାହିଁ । ପର୍ଯ୍ୟଟନ ବିକାଶର ଏଠାରେ ବିପୁଳ ସମ୍ଭାର ରହିଛି । ସେହିଭଳି ଦୁଃସାହସିକ ପର୍ଯ୍ୟଟନର ମଧ୍ୟ ଉତ୍ତର-ପୂର୍ବାଂଚଳ ଏବଂ ବିଶେଷକରି ମେଘାଳୟରେ ବିକାଶ ଘଟିପାରିବ ।
ଆମେ ପର୍ଯ୍ୟଟନ ସର୍କିଟର ବିକାଶ ଘଟାଇବା ଉଚିତ୍ । ଯାହାକି ପର୍ଯ୍ୟଟକମାନଙ୍କୁ ଅଧିକ ସୁବିଧା ସୁଯୋଗ, ଉନ୍ନତ ସଡ଼କ ସଂଯୋଗ, ହୋଟେଲ ଏବଂ ସ୍ୱଚ୍ଛତା ଯୋଗାଇବାରେ ସହାୟକ ହେବ । କେନ୍ଦ୍ର ସରକାର ସ୍ୱଦେଶ ଦର୍ଶନ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ଦେଶବ୍ୟାପୀ ପର୍ଯ୍ୟଟନ ସର୍କିଟର ବିକାଶ ଘଟାଯାଉଛି । ଉତ୍ତର-ପୂର୍ବାଂଚଳରେ ସେହିପରି ଏକ ସର୍କିଟ ସ୍ଥାପନର ପ୍ରସ୍ତାବ ରହିଛି ।
ପ୍ରାୟ ଦୁଇବର୍ଷ ପୂର୍ବେ ୨୦୧୪ ଅକ୍ଟୋବର ୨ ତାରିଖ ଦିନ କେନ୍ଦ୍ର ସରକାର ୨୦୧୯ ଅକ୍ଟୋବର ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ପାଇଁ ଏକ ଯାତ୍ରା ଆରମ୍ଭ କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଏହାର ଉଦ୍ଦେଶ୍ୟ । ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ବର୍ଷ ପରେ ୨୦୧୪ ଅଗଷ୍ଟ ୧୫ ତାରିଖଠାରୁ ୨୦୧୫ ଅଗଷ୍ଟ ୧୫ ମଧ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛ ବିଦ୍ୟାଳୟ କାର୍ଯ୍ୟକ୍ରମ ଜରିଆରେ ଆମେ ପ୍ରାୟ ୨ଲକ୍ଷରୁ ଅଧିକ ବିଦ୍ୟାଳୟରେ ୪ଲକ୍ଷ ୧୭ ହଜାର ଶୌଚାଳୟ ନିର୍ମାଣ କରିଛୁ ।
ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହେଲା- ସ୍ୱଚ୍ଛତା ସଂପର୍କରେ ଜାଗରଣ ସୃଷ୍ଟି ଲାଗି ଏକ ଜନ ଆନ୍ଦୋଳନ । ଏହି ଆନ୍ଦୋଳନର ମୁଖ୍ୟ ହିତାଧିକାରୀ ହେଲେ ଦରିଦ୍ରରୁ ଦରିଦ୍ରତମ ଲୋକ । ତେଣୁ ଏହି ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହେବାକୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି । ଯଦ୍ୱାରା ଖୋଲାରେ ମଳମୁକ୍ତ ସମାଜ ଗଠନ ଏବଂ ସ୍ୱଚ୍ଛ ବାତାବରଣ ସୃଷ୍ଟି ସୁନିଶ୍ଚିତ ହୋଇପାରିବ ।
ମୁଁ ଆନନ୍ଦର ସହ ସୂଚାଇବାକୁ ଚାହେଁ ଯେ ସ୍ୱଚ୍ଛ ଭାରତ ଅଭିଯାନ ସହ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟରକ୍ଷା ଏବଂ ସ୍ୱଚ୍ଛତାର ପରମ୍ପରା ବୃଦ୍ଧି ପାଇଛି । ମେଘାଳୟର ମଲିନୋଙ୍ଗ ଗ୍ରାମ ସ୍ୱଚ୍ଛତମ ଗ୍ରାମ ହୋଇଥିବାବେଳେ ସମଗ୍ର ସିକିମ୍ ରାଜ୍ୟ ଯେଉଁଥିରେ ଗେଙ୍ଗଟକ୍ ସାମିଲ – ସର୍ବାଧିକ ପର୍ଯ୍ୟଟନ ଆକର୍ଷଣକାରୀ ରାଜ୍ୟ ହୋଇପାରିଛି ।
ଉତ୍ତର-ପୂର୍ବ ଦେଖାଉଛି ଦିଗଦର୍ଶନ – ସ୍ୱଚ୍ଛ ଭାରତ ଅଭିଯାନ ଶୀର୍ଷକ ଘେନି ହୋଇଥିବା ଦୌଡ଼ରେ ବିଜୟୀ ପ୍ରତିଯୋଗୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହି ଦୌଡ଼ ଆୟୋଜନ କରିଥିବାରୁ ଉତ୍ତର-ପୂର୍ବାଂଚଳ କ୍ଷେତ୍ରକୁ ମୁଁ ସାଧୁବାଦ ଜଣାଉଛି । ଉତ୍ତର-ପୂର୍ବାଂଚଳରେ ଗେଙ୍ଗଟକ୍ ନିର୍ମଳତମ ସହର ହୋଇଥିବାରୁ ପ୍ରଶଂସାର ପାତ୍ର ହୋଇପାରିଛି ।
ଶିଲଂଠାରେ ଉତ୍ତର-ପୂର୍ବାଂଚଳ ପରିଷଦର ପୂର୍ଣ୍ଣାଙ୍ଗ ବୈଠକ ଆୟୋଜନ କରୁଥିବାରୁ ମେଘାଳୟର ଜନସାଧାରଣଙ୍କୁ ଅଭିନନ୍ଦନ । ଆପଣମାନଙ୍କ ସହ ଏଭଳି ସୁନ୍ଦର ଭାବ ବିନିମୟ ନିମନ୍ତେ ସୁଯୋଗ ଦେଇଥିବାରୁ ଆପଣମାନଙ୍କୁ ମୁଁ ମୋର ଅନ୍ତରର କୃତଜ୍ଞତା ଜ୍ଞାପନ କରୁଛି ।
ଜୟହିନ୍ଦ୍ ।