Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରୀ ଘରୋଇ ଭାଗୀଦାରୀରେ ଅହମ୍ମଦାବାଦ, ଜୟପୁର, ଲକ୍ଷ୍ନୌ, ଗୌହାଟୀ, ତିରୁଅନନ୍ତପୁରମ, ମାଙ୍ଗାଲୁରୁ ବିମାନ ବନ୍ଦର ଲିଜ ଦେବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଛନ୍ତି :

1. ସରକାରୀ ଘରୋଇ ଭାଗୀଦାରୀ ମୂଲ୍ୟାଙ୍କନ ସମିତି (ପିପିପିଏସି) ମାଧ୍ୟମରେ ସରକାରୀ ଘରୋଇ ଭାଗୀଦାରୀ (ପିପିପି) ବ୍ୟବସ୍ଥା ଅଧୀନରେ ଭାରତୀୟ ବିମାନ ଚଳାଚଳ ପ୍ରାଧିକରଣ ପରିଚାଳନା, ପ୍ରବନ୍ଧନ ଏବଂ ବିକାଶ ଲାଗି ୬ଟି ବିମାନ ବନ୍ଦର – ଅହମ୍ମଦାବାଦ, ଜୟପୁର, ଲକ୍ଷ୍ନୌ, ଗୌହାଟୀ, ତିରୁଅନନ୍ତପୁରମ ଏବଂ ମାଙ୍ଗାଲୁରୁକୁ ଲିଜରେ ଦେବା ଲାଗି ନୀତିଗତ ମଞ୍ଜୁରି ।

2. ପିପିପିଏସିର କାର୍ଯ୍ୟକ୍ଷେତ୍ର ଠାରୁ ବାହାରେ କୌଣସି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବା ଲାଗି ନୀତି ଆୟୋଗଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ନେତୃତ୍ୱରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ଆର୍ଥିକ ବ୍ୟାପାର ବିଭାଗର ସଚିବ ଏବଂ ବ୍ୟୟ ବିଭାଗର ସଚିବମାନଙ୍କୁ ସାମିଲ କରାଯାଇ କ୍ଷମତାସମ୍ପନ୍ନ ଗୋଷ୍ଠୀର ଗଠନ କରିବା ।

ଲାଭ :

1. ମୌଳିକ ଭିତ୍ତିଭୂମି ପ୍ରକଳ୍ପରେ ପିପିପି ଦ୍ୱାରା ସରକାରୀ କ୍ଷେତ୍ରରେ ଆବଶ୍ୟକ ନିବେଶ ସଂଗ୍ରହ କରିବା ବ୍ୟତୀତ ସେବା ଯୋଗାଣ, ବିଶେଷଜ୍ଞତା, ଉଦ୍ୟମିତା ଏବଂ ବ୍ୟବସାୟିକ କୌଶଳରେ ଦକ୍ଷତା ଆସିଥାଏ ।

2. ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦରର ବିକାଶ ପାଇଁ ପିପିପି ମଡେଲ ଦ୍ୱାରା ମୌଳିକ ଭିତ୍ତିଭୂମି ପ୍ରକଳ୍ପରେ ବିମାନ ବନ୍ଦରଗୁଡ଼ିକରେ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ବ୍ୟବସ୍ଥା କରିବା, ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀମାନଙ୍କୁ ଉତ୍ତମ ଏବଂ ସମୟବଦ୍ଧ ସେବା ଯୋଗାଣ ଏବଂ ବିନା କୌଣସି ନିବେଶରେ ଭାରତୀୟ ବିମାନ ଚଳାଚଳ ପ୍ରାଧିକରଣର ରାଜସ୍ୱ ସଂଗ୍ରହକୁ ବଢ଼ାଇବାରେ ସହାୟତା ମିଳିଛି । ବର୍ତ୍ତମାନ ପିପିପି ମଡେଲ ଅଧୀନରେ ପରିଚାଳିତ ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଚି ସାମିଲ ଅଛନ୍ତି ।

3. ଭାରତରେ ପିପିପି-ଭିତ୍ତିକ ବିମାନ ବନ୍ଦରଗୁଡ଼ିକ ନିଜ ନିଜର ବିମାନ ବନ୍ଦର ସେବା ଗୁଣବତ୍ତା ଆଧାରରେ ବିମାନ ବନ୍ଦର ଆନ୍ତର୍ଜାତୀକ ପରିଷଦ (ଏସିଆଇ) ଦ୍ୱାରା ବିଭିନ୍ନ ଶ୍ରେଣୀରେ ଶୀର୍ଷ 5ଟି ବିମାନ ବନ୍ଦରର ମାନ୍ୟତା ହାସଲ କରିଛନ୍ତି ।

4. ଏହି ପିପିପି ଅଭିଜ୍ଞତା ବିଶ୍ୱସ୍ତରର ବିମାନ ବନ୍ଦର ସୃଷ୍ଟି କରିବାରେ ସହାୟକ ହୋଇଛି । ଏହା ଦେଶର ଅନ୍ୟ ଭାଗରେ ବିମାନ ବନ୍ଦରର ବିକାଶ ଏବଂ ବିମାନ ଦିଗ ନିର୍ଣ୍ଣୟର ମୌଳିକ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରି ରାଜସ୍ୱ ବୃଦ୍ଧି କରିବାରେ ଭାରତୀୟ ବିମାନ ଚଳାଚଳ ପ୍ରାଧିକରଣକୁ ସହାୟତା ମଧ୍ୟ କରିଛି ।

**********