ପିଏମଇଣ୍ଡିଆ
ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ (CERT-W) ଏବଂ ବ୍ରିଟେନର ସାଇବର ସିକ୍ୟୁରିଟି ସଂସ୍ଥା CERT-UK ମଧ୍ୟରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ସ୍ୱୀକୃତି ମିଳିଛି । ଭାରତ ଓ ବ୍ରିଟେନ ମଧ୍ୟରେ ଚଳିତ ବର୍ଷ ମେ’ 20 ତାରିଖ ଦିନ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ନିରାପତ୍ତାଜନିତ ଘଟଣା ପରିପ୍ରେକ୍ଷୀରେ ଚିହ୍ନଟ, ସମାଧାନ ଏବଂ ପ୍ରତିକାର ବ୍ୟବସ୍ଥା ସକାଶେ ଭାରତ ଓ ବ୍ରିଟେନ ପରସ୍ପରକୁ ନିଜ ନିଜର ଅନୁଭୂତି ଓ ଜ୍ଞାନ ଯୋଗାଇଦେବେ । 2015 ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାଇବର ନିରାପତ୍ତା । ଏହି ବୁଝାମଣାପତ୍ର ମଧ୍ୟରେ ସାଇବର ଆକ୍ରମଣରୁ ସୁରକ୍ଷା ଓ ସାଇବର ନିରାପତ୍ତା ଜନିତ ସହଯୋଗ ସାମିଲ । ଏଥି ପୂର୍ବରୁ ଭାରତ ସାଇବର ସୁରକ୍ଷା ଓ ନିରାପତ୍ତା କ୍ଷେତ୍ରରେ କୋରିଆ, କାନାଡା, ଅଷ୍ଟ୍ରେଲିଆ, ମାଲେସିଆ, ସିଙ୍ଗାପୁର, ଜାପାନ ଓ ଉଜବେକିସ୍ତାନ ଭଳି ରାଷ୍ଟ୍ରଙ୍କ ସହିତ ସହଯୋଗ ଚୁକ୍ତି ସ୍ୱାକ୍ଷର କରିସାରିଛି ।