Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁରୋପୀୟ ଶିଳ୍ପ ଗୋଲ ଟେବୁଲ ବୈଠକକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ୟୁରୋପୀୟ ଶିଳ୍ପ ଗୋଲ ଟେବୁଲ ବୈଠକକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ମଇ, ୨୦୨୬ରେ ଗୋଥେନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ (ଇଆରଟି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନ୍; ୟୁରୋପୀୟ କମିଶନର ଅଧ୍ୟକ୍ଷା ଶ୍ରୀମତୀ ଉର୍ସୁଲା ଭନ୍ ଡେର୍ ଲେଏନ୍, ୟୁରୋପୀୟ ଶିଳ୍ପପତି ଏବଂ ଅଗ୍ରଣୀ ୟୁରୋପୀୟ ଏବଂ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ। 

ନିଜର ଭାଷଣରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଏବଂ ୟୁରୋପ ମଧ୍ୟରେ ବଢ଼ୁଥିବା ରଣନୈତିକ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଏହା ସହିତ ସେ ଏକ କ୍ରମଶଃ ଜଟିଳ ଏବଂ ଅନିଶ୍ଚିତ ବିଶ୍ୱ ପରିବେଶରେ ନିର୍ଭରଯୋଗ୍ୟ ସହଭାଗୀତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଭାରତ-ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ପାଇଁ ଚାଲିଥିବା ଆଲୋଚନାର ସଫଳ ପରିସମାପ୍ତି ସମେତ ଭାରତ-ୟୁରୋପୀୟ ସମ୍ପର୍କରେ ଆସୁଥିବା ପ୍ରଗତିକୁ ସ୍ୱାଗତ କରିଥିଲେ। ସେ ଏହି ଚୁକ୍ତିନାମାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ସହଭାଗୀତା ଭାବରେ ବର୍ଣ୍ଣନା କରିଥିଲେ ଯାହା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ସେବା ଏବଂ ସ୍ଥିର ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି) ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ-ୟୁରୋପ ବାଣିଜ୍ୟ ସହଭାଗୀତାକୁ ଆହୁରି ମୂଲ୍ୟବାନ କରିବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଆଜି ଭାରତ ନିବେଶ, ନବସୃଜନ ଏବଂ ଉତ୍ପାଦନ ପାଇଁ ବିଶ୍ୱର ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ମଧ୍ୟରେ ପରିଗଣିତ ହେଉଛି।  ସେ ଭାରତର ଦ୍ରୁତ ଆର୍ଥିକ ପ୍ରଗତି, ପରବର୍ତ୍ତୀ ପିଢ଼ିର ଆର୍ଥିକ ସଂସ୍କାର, ବ୍ୟବସାୟ କରିବାର ସହଜତାରେ ଉନ୍ନତି ଆଣିବାକୁ ସରକାରଙ୍କ ପ୍ରୟାସ,  ବ୍ୟାପକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏକ ଗତିଶୀଳ ଉତ୍ପାଦନ ଇକୋସିଷ୍ଟମ ଏବଂ ଏକ ଦ୍ରୁତ ରୂପାନ୍ତରିତ ଭିତ୍ତିଭୂମି କ୍ଷେତ୍ର ଉପରେ ଆଲୋକପାତ କରିଥିଲେ। ସେ ଭାରତର ପରିକଳ୍ପନା ‘ଭାରତ ପାଇଁ ଡିଜାଇନ, ଭାରତରେ ଉତ୍ପାଦନ ଓ ଭାରତରୁ ରପ୍ତାନି’ କଥା ଦୋହରାଇଥିଲେ। ଏହା ସହିତ ଏକ ନିର୍ଭରଯୋଗ୍ୟ ଏବଂ ବିଶ୍ୱସ୍ତ ଅର୍ଥନୈତିକ ଅଂଶୀଦାର ଭାବରେ ଭାରତ ସହିତ ସେମାନଙ୍କର ସମ୍ପର୍କକୁ ଆହୁରି ନିବିଡ଼ କରିବାକୁ ସେ ୟୁରୋପୀୟ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଥିଲେ।

ଏକ ବିବିଧ ଓ ସୁଦୃଢ ଯୋଗାଣ ଶୃଙ୍ଖଳ ତିଆରି କରିବା ଦିଗରେ ଭାରତ ଓ ୟୁରୋପ ମିଳିତଭାବ  କାର୍ଯ୍ୟ କରିବା ଉଚିତ୍‌ ବୋଲି ସେ କହିଥିଲେ। ସେ ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ରରେ ଭାରତର ମହତ୍ୱାକାଂକ୍ଷୀ ରୁପାନ୍ତରଣ ବିଷୟରେ କହିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ପରିବହନ, ଲଜିଷ୍ଟିକ୍ସ, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଏବଂ ପରମାଣୁ ଶକ୍ତିରେ ବିପୁଳ ପରିମାଣର ନିବେଶ । ସେ ୟୁରୋପୀୟ ଶିଳ୍ପ ନେତାମାନଙ୍କୁ ଦୂରସଂଚାର ଏବଂ ଡିଜିଟାଲ ଭିତ୍ତିଭୂମି; କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍‌ଟେକ୍ ମାନୁଫାକଚରିଂ; ସବୁଜ ପରିବର୍ତ୍ତନ ଏବଂ ସ୍ୱଚ୍ଛ ଶକ୍ତି; ଭିତ୍ତିଭୂମି, ଗତିଶୀଳତା ଏବଂ ସହରାଞ୍ଚଳ ପରିବର୍ତ୍ତନ; ଏବଂ ସ୍ୱାସ୍ଥ୍ୟସେବା ଏବଂ ଜୀବନ ବିଜ୍ଞାନ ଭଳି କ୍ଷେତ୍ରରେ ଭାରତ ସହିତ ସହଭାଗୀ ହେବାକୁ ଆମନ୍ତ୍ରଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଏବଂ ୟୁରୋପ ମଧ୍ୟରେ ପ୍ରତିଭା ଆଦାନପ୍ରଦାନ, ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ସହଭାଗୀତା ଉପରେ ମଧ୍ୟ ଗୁରୁତ୍ବ ଆରୋପ କରିଥିଲେ। ସେ ଭବିଷ୍ୟତର ବିଶ୍ୱ ଆର୍ଥିକ ଅଭିବୃଦ୍ଧି ପାଇଁ ଭାରତର ଯୁବ ଏବଂ ଦକ୍ଷ କର୍ମଶକ୍ତିକୁ ଏକ ପ୍ରମୁଖ ଶକ୍ତି ଭାବରେ ବର୍ଣ୍ଣନା କରିଥିଲେ ଏବଂ ଲୋକ-ଲୋକ ସମ୍ପର୍କ ଏବଂ ନବସୃଜନ ସହଭାଗୀତାକୁ ଆହୁରି ଗଭୀର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ଭାରତ-ୟୁରୋପ ସିଇଓ ରାଉଣ୍ଡଟେବୁଲ ବୈଠକ ଆୟୋଜନ ଏବଂ ଇଆର୍‌ଟି ମଧ୍ୟରେ ଏକ ‘ଭାରତ ଡେସ୍କ’ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଗୋଲଟେବୁଲ ଆଲୋଚନା ଭାରତ-ୟୁରୋପ ଅର୍ଥନୈତିକ ଏବଂ ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ଉପରେ ମତ ବିନିମୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା ଏବଂ ସ୍ଥାୟୀ ବିକାଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ସ୍ଥିର ବିଶ୍ୱ ସହଭାଗୀତା ପ୍ରତି ଭାରତ ଏବଂ ୟୁରୋପର ସହଭାଗୀ ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିଲା।

 

TKM