ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଚିନ୍ମୟ ଅମୃତ ମହୋତ୍ସବ ବିଶ୍ୱ ସମ୍ମିଳନୀର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ।
୨୩ରୁ ୨୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତ ତଥା ବିଦେଶରୁ ୯,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏକତ୍ରିତ ହେବେ । ଏହା ଚିନ୍ମୟ ମିଶନର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ବର୍ଷବ୍ୟାପୀ ଚାଲିଥିବା ଉତ୍ସବର ସମାପନ ଅଟେ । ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦ୍ୱାରା ୧୯୫୧ରେ ସ୍ଥାପନା କରାଯାଇଥିବା ଏହି ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ଆନ୍ଦୋଳନର ଲକ୍ଷ୍ୟ ଥିଲା ବେଦାନ୍ତ ଏବଂ ଭଗବତ ଗୀତାର ଜ୍ଞାନକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା । ଦଶନ୍ଧି ଧରି, ଏହି ମିଶନ ଆଧ୍ୟାତ୍ମିକ ଶିକ୍ଷା, ସାଂସ୍କୃତିକ ସଂସ୍କରଣ, ଯୁବ ସଶକ୍ତିକରଣ ଏବଂ ସାମାଜିକ ସେବା କ୍ଷେତ୍ରରେ ନିଜର କାର୍ଯ୍ୟକ୍ରମକୁ ବିସ୍ତାର କରିଆସିଛି ।
ଏହି ବର୍ଷବ୍ୟାପୀ ଉତ୍ସବ ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଲପୁରମ୍ଠାରେ ଭଗବତ ଗୀତାର ଏକ ତାମିଲ ପଦ୍ୟାନୁବାଦକୁ ଉନ୍ମୋଚନ ଅବସରରେ ଆରମ୍ଭ କରାଯାଇଥିଲା । ଏହି ଅନୁବାଦଟି ଚିନ୍ମୟ ମିଶନ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଏବଂ ଏଥିରେ ଇଲୈୟାରାଜା ସଙ୍ଗୀତ ସଂଯୋଜନା କରିଥିଲେ । ବର୍ଷ ସାରା ଅନେକ କାର୍ଯ୍ୟକ୍ରମ ଓ ଉତ୍ସବ ଆୟୋଜିତ ହୋଇଥିଲା । ଯେପରିକି ବିଭିନ୍ନ ସ୍ଥାନରେ ସାମୂହିକ ଯଜ୍ଞ, ତ୍ରିପୁରାରେ ମା’ ସୌନ୍ଦର୍ଯ୍ୟା ଚିନ୍ମୟୀ ମନ୍ଦିରର ପ୍ରତିଷ୍ଠା ଏବଂ ଚିନ୍ମୟ ଗୀତା ସମର୍ପଣମ୍ ଇତ୍ୟାଦି, ଯେଉଁଥିରେ ବିଶ୍ୱବ୍ୟାପୀ ଏକ ଲକ୍ଷରୁ ଅଧିକ ଲୋକ ଅନ୍ଲାଇନ୍ ମାଧ୍ୟମରେ ଏକତ୍ର ହୋଇ ଭଗବତଗୀତାର ୧୫ଶ ଅଧ୍ୟାୟ ପାଠ କରିଥିଲେ । ଏହି ଉତ୍ସବର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା ଗୀତା ପଞ୍ଚାମୃତ ଯାହା ଭଗବତ୍ ଗୀତାର ପାଞ୍ଚଟି ନିର୍ଦ୍ଦିଷ୍ଟ ଶ୍ଳୋକ ଉପରେ ଆଧାରିତ ଥିଲା । ଗୀତା ବାର୍ତ୍ତାକୁ ସମଗ୍ର ଦେଶରେ ପହଞ୍ଚାଇବା ପାଇଁ ଚିନ୍ମୟ ଯୁବ କେନ୍ଦ୍ରର ୧୫ ଜଣ ଯୁବ ସଦସ୍ୟ ଚିନ୍ମୟ ଅମୃତ ଯାତ୍ରା ଆରମ୍ଭ କରିଥିଲେ ଏବଂ ଦେଶବ୍ୟାପୀ ୪୦ ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିଥିଲେ ।
SR