ପିଏମଇଣ୍ଡିଆ
ଆଗାମୀ 4 ବର୍ଷ ମଧ୍ୟରେ (2016-2020) ଦେଶର 1 କୋଟି ଯୁବକଯୁବତୀଙ୍କୁ କୌଶଳ ବିକାଶ ସଂକ୍ରାନ୍ତ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ପାଇଁ 12 ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବୁଧବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ମନ୍ତ୍ରିମଣ୍ଡଳର ନିଷ୍ପତି ଅନୁସାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ 60 ଲକ୍ଷ ଯୁବକଯୁବତୀଙ୍କୁ ନୂଆ କରି ପ୍ରଶିକ୍ଷଣ ଦିଆଯିବା ସହ ଆଉ 40 ଲକ୍ଷ ଅଣ-ଆନୁଷ୍ଠାନିକ କୌଶଳଧାରୀଙ୍କୁ ବିଧିବଧ ଆର୍ପିଏଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆନୁଷ୍ଠାନିକ ଭାବେ ତାଲିମ ନେଇନଥିବା ଏହି କୌଶଳଧାରୀଙ୍କୁ ଅଧିସ୍ୱୀକୃତ ଦକ୍ଷତା ବିକାଶ ସାର୍ଟିଫିକେଟ୍ ପ୍ରଦାନ କରିବା ହେଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାଟି ଅନୁଦାନ ଭିତ୍ତିକ ସ୍କିମ୍ । ଆଗ୍ରହୀ ଯୁବକଯୁବତୀଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦେଉଥିବା ସଂସ୍ଥାମାନଙ୍କୁ ସିଧାସଳଖ କେନ୍ଦ୍ର ସରକାର ଅନୁଦାନ ପ୍ରଦାନ କରିବେ । ପୂର୍ବରୁ ବିଜ୍ଞପିତ କମନ୍ ନର୍ମ (Common Norm) ଅନୁସାରେ ତାଲିମ ପ୍ରଦାନକାରୀ ସଂସ୍ଥାମାନଙ୍କୁ କେନ୍ଦ୍ରୀୟ ଅନୁଦାନରୁ ସିଧାସଳଖ ପ୍ରଶିକ୍ଷଣ ଓ ଦକ୍ଷତା ମୂଲ୍ୟାୟନ ବାବଦ ଅର୍ଥ ପ୍ରଦାନ କରାଯିବ।
ପ୍ରଶିକ୍ଷାର୍ଥୀମାନଙ୍କୁ ଟିଏ, ବୋର୍ଡିଂ ଓ ଲଜିଂ ଖର୍ଚ୍ଚ ପ୍ରଦାନ କରାଯିବ । ଏହା ସହିତ ଡିବିଟି ମାଧ୍ୟମରେ ପ୍ରଶିକ୍ଷଣ ପରବର୍ତ୍ତୀ କାଳରେ କର୍ମ ସଂସ୍ଥାନର ସୁଯୋଗ ଲାଗି ସମର୍ଥନ ଦେବା ସକାଶେ ହିତାଧିକାରୀମାନଙ୍କୁ ସହାୟତା କରାଯିବ। ତାଲିମ ପ୍ରଦାନ ବାବଦ ଖର୍ଚ୍ଚ ପ୍ରଦାନକୁ ସଂପୃକ୍ତ ସଂସ୍ଥାମାନଙ୍କର ଆଧାର ଓ ବାୟୋମେଟ୍ରିକ ସଂଲଗ୍ନ କରାଯିବ । ଶିଳ୍ପ ଉଦ୍ୟୋଗର ପରିମାପକ ନିର୍ଦ୍ଧାରିତ ବ୍ୟବସ୍ଥା ଯାହାକି ନ୍ୟାସନାଲ ସ୍କିଲ୍ କ୍ୱାଲିଫିକେସନ ଫ୍ରେମ୍ ୱାର୍କ ସହ ସଂଯୋଜିତ – ସେହି ଆଧାରରେ କୌଶଳ ବିକାଶ ସଂକ୍ରାନ୍ତ ତାଲିମ ପ୍ରଦାନ କରାଯିବ।
ବିଭିନ୍ନ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଶଳ ବିକାଶ ସଂକ୍ରାନ୍ତ ମୁଖ୍ୟମନ୍ତ୍ରୀମାନଙ୍କର ଉପ-ସମିତି ଦେଇଥିବା ସୁପାରିଶ ଆଧାରରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିରେ ରାଜ୍ୟ ସରକାରମାନଙ୍କ ପ୍ରକଳ୍ପ ଭିତ୍ତିରେ ସଂପୃକ୍ତି ରହିବ । କୌଶଳ ବିକାଶ ତାଲିମ ପ୍ରଦାନ ଲାଗି ରଖାଯାଇଥିବା ଲକ୍ଷ୍ୟର 25 ପ୍ରତିଶତ ଲକ୍ଷ୍ୟ ହାସଲ କରିବା ଲାଗି ରାଜ୍ୟମାନଙ୍କୁ ସିଧାସଳଖ ଅର୍ଥ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ପ୍ରଦାନ କରାଯିବ।
କୌଶଳ ଶିବିର ମାଧ୍ୟମରେ ପ୍ରଶିକ୍ଷାର୍ଥୀ ଯୋଗାଡ ଏବଂ ତାଲିମ ପ୍ରଦାନ, ଏହି କାର୍ଯ୍ୟକ୍ରମର ତଦାରଖ ଏବଂ ରୋଜଗାର ମେଳା ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କୁ ନିଯୁକ୍ତି ସୁବିଧା ପ୍ରଦାନ ଲାଗି ପଦକ୍ଷେପ ନିଆଯିବ। କମନ୍ ନର୍ମ ଅନୁସାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଯଥାଶୀଘ୍ର କର୍ମସଂସ୍ଥାନ ଯୋଗାଇ ଦେବା ଉପରେ ପ୍ରାଧାନ୍ୟ ଦିଆଯିବ । ଏପରିକି ପାରମ୍ପରିକ ଓ କୈଳିକ କାମଧନ୍ଦା ଲାଗି ଅଣ-ଆନୁଷ୍ଠାନିକ ପ୍ରଶିକ୍ଷଣ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ । ତେବେ ଆନୁଷ୍ଠାନିକ ଓ ଅଣ-ଆନୁଷ୍ଠାନିକ ପ୍ରଶିକ୍ଷଣ ନିଶ୍ଚିତ ରୂପେ ଆନ୍ତର୍ଜାତିକ ମାନର କରିବା ଉପରେ ଅଗ୍ରାଧିକାର ଦିଆଯିବ । ଏପରିକି ଉପସାଗରୀୟ ରାଷ୍ଟ୍ର, ୟୁରୋପ ଏବଂ ଅନ୍ୟାନ୍ୟ ରାଷ୍ଟ୍ରରେ ଭାରତୀୟ ଯୁବକଯୁବତୀମାନଙ୍କୁ ଦରିଆପାରି କର୍ମସଂସ୍ଥାନ ଯୋଗାଡ ସକାଶେ ଉପଯୁକ୍ତ ହେବା ଭଳି ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ ଲାଗି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ପ୍ରାଧାନ୍ୟ ଦିଆଯାଇଛି। ଏହି ସ୍କିମ୍ ଅଧୀନରେ ଅତି କୁଶଳୀ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ବା ମେଧାବୃତ୍ତି ଦେବାର ବ୍ୟବସ୍ଥା ରହିଛି ।