ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦୧୬, ଅକ୍ଟୋବର ୬-୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଓଜୋନ ମଣ୍ଡଳ ସୁରକ୍ଷା ସଂକ୍ରାନ୍ତ ଭିଏନା ରାଜିନାମାର ମଣ୍ଟ୍ରିଲ ଘୋଷଣାନାମା ସଂକ୍ରାନ୍ତ ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଗୃହୀତ ପ୍ରସ୍ତାବକୁ ସ୍ଵୀକୃତି ପ୍ରଦାନ କରାଯାଇଛି ।
କିଗାଲି ଆଲୋଚନାରେ ମଣ୍ଟ୍ରିଲ ପ୍ରୋଟୋକଲ ତାଲିକାରେ ହାଇଡ୍ରୋଫ୍ଲୋରୋ କାର୍ବନ (HFCs)କୁ ସାମିଲ କରାଯିବାକୁ ଦୃଢ଼ମତ ପ୍ରକାଶ ପାଇଥିଲା । ତେଣୁ ଏହାର ଉତ୍ପାଦନ ଓ ବ୍ୟବହାରକୁ ନିୟନ୍ତ୍ରଣ କରିବା ସକାଶେ ସମସ୍ତ ପକ୍ଷ ଦାବି କରିଥିଲେ । ମଣ୍ଟ୍ରିଲ ପ୍ରୋଟୋକଲ ଅନୁସାରେ ବହୁପକ୍ଷୀୟ ପାଣ୍ଠି ଆର୍ଥିକ ସହାୟତା ମାଧ୍ୟମରେ ଏହାକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବାକୁ ସହମତ ପ୍ରକାଶ ପାଇଛି । HFC ଏକ ବିଶ୍ଵଉତ୍ତାପନ ବୃଦ୍ଧିକାରୀ ପଦାର୍ଥ ।
ଏତଦବ୍ୟତୀତ ୨୦୨୪ ଠାରୁ ୨୦୩୦ ମଧ୍ୟରେ ତିନୋଟି ପ୍ରସ୍ତାବ ମଧ୍ୟରୁ ଗୋଟିଏକୁ ମୂଳବର୍ଷ ରୂପେ ଧରି ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଓ ଫ୍ରିଜ ବର୍ଷ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ସ୍ଵୀକୃତି ଦେଇଛନ୍ତି । ମୂଳ ବର୍ଷ ଏବଂ ଫ୍ରିଜ ବର୍ଷ ନିର୍ଦ୍ଧାରଣ ଓ କାର୍ଯ୍ୟକାରୀ କରିବା ସକାଶେ କିଗାଲି ଆଲୋଚନାରେ ଭାରତ ଦୃଢ଼ଯୁକ୍ତି ଦର୍ଶାଇଥିଲା । ଏହାଦ୍ୱାରା ବିଭିନ୍ନ ସେକ୍ଟର ଉତ୍ପାଦନ କରୁଥିବା ରେଫ୍ରିଜେରାଣ୍ଟର ଘରୋଇ ଉତ୍ପାଦନକୁ ବନ୍ଦ କରିପାରିବେ ।
ବିକାଶଶୀଳ ରାଷ୍ଟ୍ର ଓ ଭାରତ ସକାଶେ ୨୦୨୪, ୨୦୨୫, ୨୦୨୬ ମଧ୍ୟରୁ ଦୁଇଟି ମୂଳ ବର୍ଷ ଓ ଶୀର୍ଷ ବର୍ଷ ଭାବେ ଗ୍ରହଣ କରିବାକୁ କିଗାଲି ଆଲୋଚନାରେ ସ୍ଥିର ହୋଇଛି । ଭାରତ ପାଇଁ ଫ୍ରିଜ ବର୍ଷକୁ ୨୦୨୮ ବୋଲି ଧରାଯାଇଛି ଏବଂ ଏଥିପାଇଁ ୨୦୨୪/୨୦୨୫ରେ ବୈଷୟିକ ସମୀକ୍ଷା କରାଯିବ । ଯଦି ରେଫ୍ରିଜେରାଣ୍ଟ ସ୍ତର ନିର୍ଦ୍ଧାରଣ ସ୍ତରଠାରୁ ଅଧିକ ଯାଏ ତେବେ ଭାରତ ତାର ଫ୍ରିଜ ବର୍ଷକୁ ୨୦୩୦ ପର୍ଯ୍ୟନ୍ତ ଘୁଂଚାଇପାରିବ । ତେବେ ବିକାଶଶୀଳ ରାଷ୍ଟ୍ରମାନେ ୨୦୨୯ ସୁଦ୍ଧା ଏଫଆଇଏଫସି ଉତ୍ପାଦନରେ ୭୦% ହ୍ରାସ କରିବାକୁ ସ୍ଥିର ହୋଇଛି ।