ପିଏମଇଣ୍ଡିଆ
ଆଜିର ଦିନରେ ସର୍ଦ୍ଦାର ପଟେଲଙ୍କ ଲୌହ ଇଚ୍ଛାଶକ୍ତି ଅନୁରୂପ ଭାରତୀୟ ସେନା ହାଇଦ୍ରାବାଦକୁ ନିଷ୍ଠୁର ଅତ୍ୟାଚାରରୁ ମୁକ୍ତ କରିଥିଲା: ପ୍ରଧାନମନ୍ତ୍ରୀ
‘ମା ଭାରତୀ’ଙ୍କର ସମ୍ମାନ, ଗର୍ବ ଏବଂ ମହିମାର କୌଣସି ସୀମା ନାହିଁ: ପ୍ରଧାନମନ୍ତ୍ରୀ
‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ଆମର ମା’ ଏବଂ ଭଉଣୀମାନଙ୍କ ପାଇଁ ସମର୍ପିତ: ପ୍ରଧାନମନ୍ତ୍ରୀ
ଗରୀବଙ୍କ ସେବା ମୋ ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟ: ପ୍ରଧାନମନ୍ତ୍ରୀ
ଆମେ ବୟନ ଶିଳ୍ପ ପାଇଁ 5F ଭିଜନ ଅଧୀନରେ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରୁଛୁ – ଫାର୍ମରୁ ଫାଇବର, ଫାଇବରରୁ କାରଖାନା, କାରଖାନାରୁ ଫ୍ୟାଶନ ଏବଂ ଫ୍ୟାଶନରୁ ବିଦେଶ: ପ୍ରଧାନମନ୍ତ୍ରୀ
ବିଶ୍ୱକର୍ମା ଭାଇ ଏବଂ ଭଉଣୀମାନେ ମେକ୍ ଇନ୍ ଇଣ୍ଡିଆ ପଛର ଏକ ପ୍ରମୁଖ ଶକ୍ତି: ପ୍ରଧାନମନ୍ତ୍ରୀ
ଯେଉଁମାନେ ପଛରେ ପଡ଼ିଯାଇଛନ୍ତି ସେମାନେ ଆମର ସର୍ବୋଚ୍ଚ ପ୍ରାଥମିକତା: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଧାରରେ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜ୍ଞାନର ଦେବୀ – ଧାର ଭୋଜଶାଳାର ପୂଜ୍ୟ ମାତା – ବାଗ୍ଦେବୀଙ୍କ ପାଦ ତଳେ ପ୍ରଣାମ କରିଥିଲେ। ଆଜି ଦିବ୍ୟ ସ୍ଥପତି , କୌଶଳ ଏବଂ ସୃଷ୍ଟିର ଦେବତା ଭଗବାନ ବିଶ୍ୱକର୍ମାଙ୍କ ଜନ୍ମବାର୍ଷିକୀ। ଏହା ସହିତ ପ୍ରଧାନମନ୍ତ୍ରୀ ଭଗବାନ ବିଶ୍ୱକର୍ମାଙ୍କ ପ୍ରତି ପ୍ରଣାମ ଜଣାଇ, କୋଟି କୋଟି ଭାଇଭଉଣୀଙ୍କୁ ମଧ୍ୟ ସମ୍ମାନ ଜଣାଇଥିଲେ । ଯେଉଁମାନେ ନିଜର କାରିଗରୀ ଏବଂ ସମର୍ପଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ନିୟୋଜିତ ଅଛନ୍ତି।
ଧାର ଭୂମି ସର୍ବଦା ବୀରତ୍ୱକୁ ପ୍ରେରଣା ଦେଇଆସିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ , “ମହାରାଜା ଭୋଜଙ୍କ ସାହସ ଆମକୁ ଜାତୀୟ ଗର୍ବର ରକ୍ଷା ପାଇଁ ଦୃଢ଼ ଭାବରେ ଠିଆ ହେବା ଶିଖାଏ”। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହର୍ଷି ଦଧିଚିଙ୍କ ବଳିଦାନ ଆମକୁ ମାନବତାର ସେବା କରିବାର ପ୍ରେରଣା ଦିଏ। ଏହି ଐତିହ୍ୟରୁ ପ୍ରେରଣା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶ ଭାରତ ମାତାର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି। ପାକିସ୍ତାନରୁ ଆସିଥିବା ଆତଙ୍କବାଦୀମାନେ ଆମର ଭଉଣୀ ଏବଂ ଝିଅମାନଙ୍କର ସିନ୍ଦୁର ଲିଭାଇ ଦେଇଥିଲେ । ସେ ଦୃଢ଼ କରି କହିଥିଲେ ଯେ, ଅପରେସନ ସିନ୍ଦୁର ମାଧ୍ୟମରେ ଆମେ ସେମାନଙ୍କର ଆତଙ୍କୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଛୁ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଆମର ସାହସୀ ସୈନିକମାନେ ଆଖି ପିଛୁଳାକେ ପାକିସ୍ତାନକୁ ନତମସ୍ତକ କରିଥିଲେ। ଏକ ସାମ୍ପ୍ରତିକ ଘଟଣାର ଉଲ୍ଲେଖ କରି ସେ କହିଥିଲେ, ଗତକାଲି ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ କାନ୍ଦୁଥିଲା ଏବଂ ତାର ଦୁଃଖଦ ଘଟଣା ବର୍ଣ୍ଣନା କରୁଥିଲା।
ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ “ଏହା ହେଉଛି ନୂତନ ଭାରତ, ଯିଏ କାହାର ପରମାଣୁ ଧମକକୁ ଭୟ ନ କରି ସିଧାସଳଖ ଆକ୍ରମଣରେ ଜବାବ ଦିଏ” । ସେ ଉଲ୍ଲେଖ କରିଥିଲେ ଯେ, ୧୭ ସେପ୍ଟେମ୍ବର ଏକ ଐତିହାସିକ ଅବସର ଯେତେବେଳେ ଦେଶ ସର୍ଦ୍ଦାର ପଟେଲଙ୍କ ଲୌହ ସଂକଳ୍ପର ସାକ୍ଷୀ ହୋଇଥିଲା। ଏହି ଦିନରେ, ଭାରତୀୟ ସେନା ହାଇଦ୍ରାବାଦକୁ ଅନେକ ଅତ୍ୟାଚାରରୁ ମୁକ୍ତ କରିଥିଲା ଏବଂ ଏହାକୁ ଭାରତ ସହିତ ଏକୀକୃତ କରିଥିଲା। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସ୍ମାରକୀ ସଫଳତା ଏବଂ ସଶସ୍ତ୍ର ବାହିନୀର ବୀରତ୍ୱକୁ ବର୍ତ୍ତମାନ ସରକାର ଆନୁଷ୍ଠାନିକ ଭାବରେ ସମ୍ମାନିତ କରିଛନ୍ତି। ଏହି ଦିନକୁ ବର୍ତ୍ତମାନ ହାଇଦ୍ରାବାଦରେ ମୁକ୍ତି ଦିବସ ଭାବରେ ପାଳନ କରାଯାଉଛି , ଯାହା ଭାରତର ଏକତାର ପ୍ରତୀକ ଅଟେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ହାଇଦ୍ରାବାଦ ମୁକ୍ତି ଦିବସ ଏକ ସ୍ମରଣକାରୀ ଭାବରେ କାର୍ଯ୍ୟ କରେ ଯେ ଭାରତ ମାତାର ସମ୍ମାନ, ଗର୍ବ ଏବଂ ଗୌରବ ଅପେକ୍ଷା ଆଉ କିଛି ବଡ଼ ନୁହେଁ। ସେ ଦୃଢ଼ୋକ୍ତି କରିଥିଲେ ଯେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କରାଯିବା ଉଚିତ।
ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାର ଶପଥ ନେଇ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କର ସ୍ୱପ୍ନ ହେଉଛି- ଏକ ବିକଶିତ ଭାରତ, ଉପନିବେଶବାଦୀ ଶାସନର ଶୃଙ୍ଖଳରୁ ମୁକ୍ତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା। ଏହି ଐତିହ୍ୟରୁ ପ୍ରେରଣା ନେଇ ସେ ଉଲ୍ଲେଖ କରିଥିଲେ ଯେ ଆଜି ୧୪୦ କୋଟି ଭାରତୀୟ ଏକ ବିକଶିତ ଭାରତ ନିର୍ମାଣ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଯାତ୍ରାର ଚାରୋଟି ପ୍ରମୁଖ ସ୍ତମ୍ଭ: ଭାରତର ମହିଳା ଶକ୍ତି, ଯୁବ ଶକ୍ତି, ଗରିବ ଏବଂ କୃଷକ। ଏହି ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଏକ ବିକଶିତ ଭାରତର ସମସ୍ତ ଚାରୋଟି ସ୍ତମ୍ଭକୁ ମଜବୁତ କରିଛି। ସେ କାର୍ଯ୍ୟକ୍ରମରେ ମା, ଭଉଣୀ ଏବଂ ଝିଅମାନଙ୍କର ବିପୁଳ ଉପସ୍ଥିତିକୁ ନେଇ କୃତଜ୍ଞତା ଜଣାଇଥିଲେ ଏବଂ ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, “ଏହି ମଞ୍ଚରୁ ‘ସୁସ୍ଥ ନାରୀ, ସଶକ୍ତ ପରିବାର‘ ଅଭିଯାନ ଆରମ୍ଭ କରାଯାଇଛି।”
‘ଆଦି ସେବା ପର୍ବ‘ର ପ୍ରତିଧ୍ୱନି ବିଭିନ୍ନ ପର୍ଯ୍ୟାୟରେ ସାରା ଦେଶରେ ଶୁଣାଯାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜିଠାରୁ ଏହା ମଧ୍ୟପ୍ରଦେଶରେ ଆରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଅଭିଯାନ ଧାର ସମେତ ମଧ୍ୟପ୍ରଦେଶର ଆଦିବାସୀ ସମ୍ପ୍ରଦାୟକୁ ବିଭିନ୍ନ ସରକାରୀ ଯୋଜନା ସହିତ ସିଧାସଳଖ ସଂଯୋଗ କରିବା ପାଇଁ ଏକ ସେତୁ ଭାବରେ କାର୍ଯ୍ୟ କରିବ।
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଏକ ପ୍ରମୁଖ ଶିଳ୍ପ ପଦକ୍ଷେପର ଘୋଷଣା କରିଥିଲେ । ଧାରରେ ଭାରତର ସର୍ବବୃହତ ସମନ୍ୱିତ ବୟନଶିଳ୍ପ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପାର୍କ ଦେଶର ବୟନଶିଳ୍ପ ଓ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଶକ୍ତି ସଞ୍ଚାର କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଚାଷୀମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବେ ଏବଂ ବହୁ ସଂଖ୍ୟକ ଯୁବକ ନିଯୁକ୍ତି ସୁଯୋଗ ପାଇବେ। ଏହି ପ୍ରକଳ୍ପ ଏବଂ ଅଭିଯାନ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ।
ମା’ ଏବଂ ଭଉଣୀମାନେ – ଭାରତର ନାରୀ ଶକ୍ତି – ଦେଶର ପ୍ରଗତିର ମୂଳଦୁଆ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଜଣେ ମା’ ସୁସ୍ଥ ଥାଆନ୍ତି, ସେତେବେଳେ ସମଗ୍ର ପରିବାର ଭଲ ଭାବରେ କାର୍ଯ୍ୟ କରେ, କିନ୍ତୁ ଯଦି ସେ ଅସୁସ୍ଥ ହୋଇଯାଆନ୍ତି, ତେବେ ସମଗ୍ର ପରିବାରର ବ୍ୟବସ୍ଥା ବାଧାପ୍ରାପ୍ତ ହୁଏ। ସେ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ସଚେତନତା କିମ୍ବା ସମ୍ବଳର ଅଭାବରୁ କୌଣସି ମହିଳା ପୀଡିତ ହେବା ଉଚିତ୍ ନୁହେଁ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ବିଳମ୍ବରେ ଚିହ୍ନଟ ହେବା ଯୋଗୁଁ ଅନେକ ରୋଗ ନୀରବରେ ବିକଶିତ ହୁଏ ଏବଂ ଗୁରୁତର ହୋଇଯାଏ, ବିଶେଷକରି ମହିଳାମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରେ। ଏହି ଅଭିଯାନ ଅଧୀନରେ, ରକ୍ତଚାପ ଏବଂ ମଧୁମେହ ଠାରୁ ରକ୍ତହୀନତା, ଯକ୍ଷ୍ମା ଏବଂ କର୍କଟ ରୋଗ ପାଇଁ ସ୍କ୍ରିନିଂ କରାଯିବ। ସେ ନିଶ୍ଚିତ କରିଥିଲେ ଯେ ସମସ୍ତ ପରୀକ୍ଷା ଏବଂ ଔଷଧ ମାଗଣାରେ ଯୋଗାଇ ଦିଆଯିବ, ଯାହାର ଖର୍ଚ୍ଚ ସରକାର ବହନ କରିବେ। ଅଧିକ ଚିକିତ୍ସା ପାଇଁ, ଆୟୁଷ୍ମାନ କାର୍ଡ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଅଭିଯାନ ଆଜିଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ମା’, ଭଉଣୀ ଏବଂ ଝିଅମାନଙ୍କୁ ନିଜସ୍ୱ ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରିବାକୁ, ଏହି ଶିବିରଗୁଡ଼ିକରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କ ସମ୍ପ୍ରଦାୟର ଅନ୍ୟ ମହିଳାମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରିବାକୁ ଅନୁରୋଧ କରିଥିଲେ। ସେ ଏକ ସାମୂହିକ ସଂକଳ୍ପ ପାଇଁ ଆହ୍ୱାନ ଦେଇଥିଲେ – “କୌଣସି ମାଆ ପଛରେ ରହିବେ ନାହିଁ, କୌଣସି ଝିଅ ପଛରେ ରହିବେ ନାହିଁ।”
ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ମା, ଭଉଣୀ ଏବଂ ଝିଅଙ୍କ ସ୍ୱାସ୍ଥ୍ୟ ଏକ ଜାତୀୟ ପ୍ରାଥମିକତା। ସେ କହିଛନ୍ତି ଯେ, ସରକାର ଗର୍ଭବତୀ ମହିଳା ଏବଂ ଝିଅମାନଙ୍କ ପାଇଁ ଉପଯୁକ୍ତ ପୃଷ୍ଟି ସୁନିଶ୍ଚିତ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି। ସେ ଆଜିଠାରୁ ଅଷ୍ଟମ ଜାତୀୟ ପୃଷ୍ଟି ମାସର ଆରମ୍ଭ ହୋଇଛି ବୋଲି ଘୋଷଣା କରିଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏକ ବିକାଶଶୀଳ ଭାରତରେ ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ଜରୁରୀ। ଏହାକୁ ହାସଲ କରିବା ପାଇଁ, ସରକାର ୨୦୧୭ରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ, ପ୍ରଥମ ସନ୍ତାନର ଜନ୍ମ ପରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଏବଂ ଦ୍ୱିତୀୟ କନ୍ୟାର ଜନ୍ମ ହେଲେ ୬୦୦୦ ଟଙ୍କା ପ୍ରଦାନ କରାଯାଏ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏପର୍ଯ୍ୟନ୍ତ ୪.୫ କୋଟି ଗର୍ଭବତୀ ମା‘ ଏହି ଯୋଜନାରୁ ଉପକୃତ ହୋଇଛନ୍ତି, ୧୯,୦୦୦ କୋଟି ଟଙ୍କାରୁ ଅଧିକ ବଣ୍ଟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଏହି ଦିନରେ, ଗୋଟିଏ କ୍ଲିକରେ ୧୫ ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସହାୟତା ପଠାଯାଇଛି, ଯାହା ୪୫୦ କୋଟି ଟଙ୍କାରୁ ଅଧିକ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହୋଇଛି।
ଆଦିବାସୀ ଅଞ୍ଚଳରେ ସିକିଲ୍ ସେଲ୍ ଆନିମିଆ ଭଳି ଗମ୍ଭୀର ସମସ୍ୟାକୁ ସମାଧାନ କରିବା ପାଇଁ ମଧ୍ୟପ୍ରଦେଶ ମାଟିରୁ ଆଉ ଏକ ପ୍ରମୁଖ ସ୍ୱାସ୍ଥ୍ୟ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଆଦିବାସୀ ସମ୍ପ୍ରଦାୟକୁ ଏହି ରୋଗରୁ ରକ୍ଷା କରିବା ପାଇଁ ଏକ ଜାତୀୟ ମିଶନ୍ ଚଳାଉଛନ୍ତି। ଏହି ମିଶନ୍ ୨୦୨୩ ମସିହାରେ ମଧ୍ୟପ୍ରଦେଶର ଶାହଡୋଲ୍ ରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ପ୍ରଥମ ସିକିଲ୍ ସେଲ୍ ସ୍କ୍ରିନିଂ କାର୍ଡ ଜାରି କରାଯାଇଥିଲା। ଶ୍ରୀ ମୋଦୀ କହିଥିଲେ, “ଆଜି ମଧ୍ୟପ୍ରଦେଶରେ ଏକ କୋଟିତମ ସ୍କ୍ରିନିଂ କାର୍ଡ ବଣ୍ଟନ କରାଯାଇଛି ଏବଂ ଏହି ଅଭିଯାନ ଅଧୀନରେ, ସାରା ଦେଶରେ ପାଞ୍ଚ କୋଟିରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି”। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସିକିଲ୍ ସେଲ୍ ସ୍କ୍ରିନିଂ ଆଦିବାସୀ ସମ୍ପ୍ରଦାୟର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଛି। ସେ ଆଦିବାସୀ ମା‘ ଏବଂ ଭଉଣୀମାନଙ୍କୁ ସିକିଲ୍ ସେଲ୍ ଆନିମିଆ ପାଇଁ ସ୍କ୍ରିନିଂ ନିଶ୍ଚିତ କରିବାକୁ ଏକ ବିଶେଷ ଆହ୍ୱାନ ଦେଇଥିଲେ।
ମା’ ଏବଂ ଭଉଣୀମାନଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କ କଷ୍ଟ କମ କରିବା ପାଇଁ, ତାଙ୍କର ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ କୋଟି କୋଟି ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଏଲପିଜି ସଂଯୋଗ ପ୍ରଦାନ ଏବଂ ଘରୋଇ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ଜଳ ଜୀବନ ମିଶନ ଭଳି ପଦକ୍ଷେପ ମହିଳାମାନଙ୍କ ପାଇଁ ଦୈନନ୍ଦିନ ଉପୁଜୁ ଥିବା ସମସ୍ୟାକୁ ଯଥେଷ୍ଟ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ , ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରି ମହିଳାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଉନ୍ନତ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ମାଗଣା ରାସନ ଯୋଜନା ନିଶ୍ଚିତ କରାଯାଇ ଥିଲା । ଯାହା ଦ୍ୱାରା କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ଗରିବ ମା’ମାନଙ୍କ ରୋଷେଇ ଘରର ନିଆଁ ଲିଭିନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ମାଗଣା ଶସ୍ୟ ବଣ୍ଟନ ଜାରି ରହିଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଅଧିକାଂଶ ଘର ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି।
ସରକାର ମହିଳାମାନଙ୍କୁ ଆର୍ଥିକ ସଶକ୍ତୀକରଣ ଉପରେ ଦୃଢ଼ ଭାବରେ ଧ୍ୟାନ ଦେଉଥିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ, କୋଟି କୋଟି ମହିଳା ନୂତନ ବ୍ୟବସାୟ ଆରମ୍ଭ କରିବା ଏବଂ ଶିଳ୍ପ ସ୍ଥାପନ କରିବା ପାଇଁ ମୁଦ୍ରା ଯୋଜନା ମାଧ୍ୟମରେ ଋଣ ନେଉଛନ୍ତି। ସେ ଆହୁରି କହିଛନ୍ତି ଯେ ସରକାର ତିନି କୋଟି ମହିଳାଙ୍କୁ ‘ଲକ୍ଷପତି ଦିଦି‘ରେ ପରିଣତ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ପ୍ରାୟ ଦୁଇ କୋଟି ମହିଳା ଏହି ମାଇଲଖୁଣ୍ଟ ହାସଲ କରିସାରିଛନ୍ତି। ମହିଳାମାନଙ୍କୁ ବ୍ୟାଙ୍କ ସଖୀ ଏବଂ ଡ୍ରୋନ୍ ଦିଦି ଭାବରେ ତାଲିମ ଦିଆଯାଇ ଗ୍ରାମୀଣ ଅର୍ଥନୀତିର କେନ୍ଦ୍ରରେ ସ୍ଥାନିତ କରାଯାଉଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ପରିବର୍ତ୍ତନର ଏକ ନୂତନ ଲହରୀ ଆଣୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ଧରି ଗରିବଙ୍କ କଲ୍ୟାଣ ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆଣିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇଛି । ସେ ଏହି ବିଶ୍ୱାସକୁ ଦୃଢ଼ କରାଇଥିଲେ ଯେ ଗରିବମାନେ ପ୍ରଗତି କଲେ ହିଁ ଦେଶ ପ୍ରଗତି କରିପାରିବ। ସେ ଉଲ୍ଲେଖ କରିଥିଲେ ଯେ ଗରିବଙ୍କ ସେବା କେବେ ବ୍ୟର୍ଥ ଯାଏ ନାହିଁ; ସାମାନ୍ୟ ସମର୍ଥନ ପାଇଲେ ମଧ୍ୟ ସେମାନେ ବିଶାଳ ଆହ୍ୱାନଗୁଡ଼ିକୁ ଦୂର କରିବାର ସାହସ ପ୍ରଦର୍ଶନ କରନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ଗରିବଙ୍କ ଭାବନା ଏବଂ ସଂଘର୍ଷ ଦେଇ ବଞ୍ଚିଛନ୍ତି, ସେମାନଙ୍କ ଯନ୍ତ୍ରଣାକୁ ନିଜର କରିଛନ୍ତି। ସେ ପୁନରାବୃତ୍ତି କରିଥିଲେ ଯେ ଗରିବଙ୍କ ସେବା ହେଉଛି ତାଙ୍କ ଜୀବନର ସର୍ବୋତ୍ତମ ଉଦ୍ଦେଶ୍ୟ। ତେଣୁ, ସରକାର ଗରିବଙ୍କୁ ସର୍ବୋଚ୍ଚରେ ରଖି ଯୋଜନାର ଡିଜାଇନ୍ ଏବଂ କାର୍ଯ୍ୟକାରୀ କରିବା ଜାରି ରଖିଛନ୍ତି।
ଭାରତର ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିବା ସହିତ ସରକାରଙ୍କ ନୀତିର ପ୍ରଭାବ ଏବେ ବିଶ୍ୱକୁ ଦୃଶ୍ୟମାନ ହେଉଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହି ପରିବର୍ତ୍ତନ ସମାଜରେ ଏକ ନୂତନ ବିଶ୍ୱାସ ସୃଷ୍ଟି କରିଛି। ସେ ସ୍ପଷ୍ଟ କରିଥିଲେ ଯେ ଏହି ପ୍ରୟାସଗୁଡ଼ିକ କେବଳ ଯୋଜନା ନୁହେଁ – ଏହା ଗରିବ ମା‘, ଭଉଣୀ ଏବଂ ଝିଅଙ୍କ ଜୀବନରେ ପରିବର୍ତ୍ତନର ଗ୍ୟାରେଣ୍ଟି ମଧ୍ୟ । ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ମହିଳାଙ୍କ ସମ୍ମାନକୁ ରକ୍ଷା କରିବା ତାଙ୍କର ସର୍ବୋଚ୍ଚ ସମର୍ପଣ ଓ ଅଟଳ ପ୍ରତିବଦ୍ଧତା।
ମଧ୍ୟପ୍ରଦେଶରେ ମାହେଶ୍ୱରୀ ବସ୍ତ୍ରର ସମୃଦ୍ଧ ପରମ୍ପରା ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ ଦେବୀ ଅହଲ୍ୟାବାଇ ହୋଲକର ମାହେଶ୍ୱରୀ ଶାଢ଼ୀକୁ ଏକ ନୂତନ ପରିଚୟ ଦେଇଥିଲେ ବୋଲି କହିଥିଲେ । ତାଙ୍କ ୩୦୦ ତମ ଜନ୍ମବାର୍ଷିକୀ ପାଳନକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ, ତାଙ୍କର ଐତିହ୍ୟ ଏବେ ଧାରର ପ୍ରଧାନମନ୍ତ୍ରୀ ମିତ୍ର ପାର୍କ ମାଧ୍ୟମରେ ଆଗକୁ ବଢ଼ୁଛି। ଶ୍ରୀ ମୋଦୀ ବ୍ୟାଖ୍ୟା କରିଥିଲେ ଯେ ପାର୍କ କପା ଏବଂ ରେଶମ ଭଳି ଅତ୍ୟାବଶ୍ୟକୀୟ ବୟନ ସାମଗ୍ରୀକୁ ସହଜରେ ଉପଲବ୍ଧ କରିବ, ଗୁଣବତ୍ତା ଯାଞ୍ଚକୁ ସରଳ କରିବ ଏବଂ ବଜାର ସଂଯୋଗକୁ ବୃଦ୍ଧି କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସୂତାକରଣ, ଡିଜାଇନିଂ, ପ୍ରକ୍ରିୟାକରଣ ଏବଂ ରପ୍ତାନି ସବୁକିଛି ସମାନ ସୁବିଧା ମଧ୍ୟରେ ହେବ। ଯାହା ଫଳରେ ସମଗ୍ର ବସ୍ତ୍ର ମୂଲ୍ୟ ଶୃଙ୍ଖଳ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ସେ ବସ୍ତ୍ର ଶିଳ୍ପ ପାଇଁ 5F ଭିଜନ – ଫାର୍ମରୁ ଫାଇବର, ଫାଇବରରୁ କାରଖାନା, କାରଖାନାରୁ ଫ୍ୟାଶନ ଏବଂ ଫ୍ୟାଶନରୁ ବିଦେଶ – ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଲେ ଯାହା ଉତ୍ପାଦନରୁ ବିଶ୍ୱ ବଜାରକୁ ଏକ ଦ୍ରୁତ ଏବଂ ଅଧିକ ସୁଗମ ଯାତ୍ରା ସୁନିଶ୍ଚିତ କରିବ।
ଧାରର ପ୍ରଧାନମନ୍ତ୍ରୀ ମିତ୍ର ପାର୍କ ପାଇଁ ପ୍ରାୟ ୧,୩୦୦ ଏକର ଜମି ଆବଣ୍ଟନ କରାଯାଇଛି, ୮୦ ରୁ ଅଧିକ ଶିଳ୍ପ ୟୁନିଟ୍ ପୂର୍ବରୁ ଆବଣ୍ଟିତ ହୋଇସାରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି ବିକାଶ ଏବଂ କାରଖାନା ନିର୍ମାଣ ଏକକାଳୀନ ଆଗକୁ ବଢ଼ିବ। ଏହି ପାର୍କ ତିନି ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପାର୍କ ଲଜିଷ୍ଟିକ୍ସ ଏବଂ ଉତ୍ପାଦନ ଖର୍ଚ୍ଚକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ, ଯାହା ଭାରତୀୟ ଉତ୍ପାଦଗୁଡ଼ିକୁ ଅଧିକ ସୁଲଭ ଏବଂ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କରିବ। ଏହି ପଦକ୍ଷେପ ପାଇଁ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ଏବଂ ସୂଚନା ଦେଇଥିଲେ ଯେ ସରକାର ସାରା ଦେଶରେ ଆହୁରି ଛଅଟି ପ୍ରଧାନମନ୍ତ୍ରୀ ମିତ୍ର ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି।
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପୂଜାର ଦେଶବ୍ୟାପୀ ପାଳନ ଉପରେ ଆଲୋକପାତ କରିଥିଲେ ଏବଂ ଏହାକୁ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ର ସଫଳତାକୁ ପାଳନ କରିବାର ଏକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ସେ ଦେଶବ୍ୟାପୀ ବିଶ୍ୱକର୍ମା ଭାଇଭଉଣୀମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଇଥିଲେ, ଯେଉଁଥିରେ ବଢ଼େଇ, କମାର, ସୁନାକାର, କୁମ୍ଭାର, ରାଜମିସ୍ତ୍ରୀ, ପିତ୍ତଳ, ତମ୍ବା ଏବଂ ଅନ୍ୟାନ୍ୟ ପାରମ୍ପରିକ ହସ୍ତଶିଳ୍ପର କାରିଗର ସାମିଲ ଥିଲେ। ସେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ପଛରେ ଏକ ପ୍ରେରଣାଦାୟକ ଶକ୍ତି ଭାବରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ଉତ୍ପାଦ ଓ ଦକ୍ଷତା ଗ୍ରାମ ଏବଂ ସହର ଉଭୟରେ ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରେ। ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ ଯେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଳ୍ପ ସମୟ ମଧ୍ୟରେ ୩୦ ଲକ୍ଷରୁ ଅଧିକ କଳାକାର ଏବଂ କାରିଗରଙ୍କୁ ସହାୟତା କରିଛି। ଆହୁରି ବିସ୍ତାର କରି ସେ କହିଛନ୍ତି ଯେ ଏହି ଯୋଜନା ମାଧ୍ୟମରେ, ହିତାଧିକାରୀମାନେ ଦକ୍ଷତା ତାଲିମ, ଡିଜିଟାଲ ମାର୍କେଟିଂ ଏବଂ ଆଧୁନିକ ଉପକରଣ ପାଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଛଅ ଲକ୍ଷରୁ ଅଧିକ ବିଶ୍ୱକର୍ମା ଅଂଶୀଦାରଙ୍କୁ ନୂତନ ଉପକରଣ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ୪,୦୦୦ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି।
ଶ୍ରୀ ମୋଦୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସମାଜର ସେହି ବର୍ଗକୁ ସର୍ବାଧିକ ଲାଭ ଦେଇଛି ଯେଉଁମାନେ ଦଶନ୍ଧି ଧରି ଅବହେଳିତ ଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଗରିବ ବିଶ୍ୱକର୍ମା ଭାଇ ଭଉଣୀମାନଙ୍କ ପାଖରେ ଦକ୍ଷତା ଥିଲା, କିନ୍ତୁ ପୂର୍ବ ସରକାରମାନଙ୍କ ପାଖରେ ସେମାନଙ୍କର ପ୍ରତିଭାକୁ ଆଗକୁ ବଢ଼ାଇବା କିମ୍ବା ସେମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ କୌଣସି ଯୋଜନା ନଥିଲା। ସେ କହିଥିଲେ ଯେ, ବର୍ତ୍ତମାନର ସରକାର ସେମାନଙ୍କର କାରିଗରୀଙ୍କୁ ପ୍ରଗତିରେ ପରିଣତ କରିବା ପାଇଁ ପଥ ସୃଷ୍ଟି କରିଛନ୍ତି। ନିଜର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଯେଉଁମାନେ ପଛରେ ପଡ଼ିଯାଇଛନ୍ତି ସେମାନେ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛନ୍ତି।
ପ୍ରଧାନମନ୍ତ୍ରୀ ଧାରଙ୍କୁ ପୂଜ୍ୟ କୁଶାଭାଉ ଠାକ୍ରେଙ୍କ ଜନ୍ମସ୍ଥାନ ଭାବରେ ସ୍ୱୀକାର କରିଥିଲେ, ଯିଏ “ରାଷ୍ଟ୍ର ପ୍ରଥମ” ଭାବନା ସହିତ ତାଙ୍କ ସମଗ୍ର ଜୀବନକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିଥିଲେ। ସେ କୁଶାଭାଉ ଠାକ୍ରେଙ୍କ ପ୍ରତି ତାଙ୍କର ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ ଦେଶକୁ ପ୍ରଥମେ ରଖିବାର ଏହି ଭାବନା ଭାରତର ନୂତନ ଉଚ୍ଚତାକୁ ପ୍ରେରଣା ଦେଇ ଆସୁଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ପର୍ବପର୍ବାଣୀ ହେଉଛି ସ୍ୱଦେଶୀର ମନ୍ତ୍ରକୁ ପୁନଃନିର୍ଦ୍ଦିଷ୍ଟ କରିବାର ସମୟ। ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ଯାହା କିଣନ୍ତି କିମ୍ବା ବିକ୍ରୟ କରନ୍ତି ତାହା ଭାରତରେ ତିଆରି ହେଉ। ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସ୍ୱଦେଶୀକୁ ଏକ ଉପକରଣ ଭାବରେ ବ୍ୟବହାରକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏବେ ଏକ ବିକଶିତ ଭାରତର ମୂଳଦୁଆ ହେବା ଉଚିତ। ସେ ବ୍ୟାଖ୍ୟା କରିଥିଲେ ଯେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଲୋକମାନେ ସ୍ୱଦେଶୀ ଉତ୍ପାଦରେ ଗର୍ବ କରିବେ। ଶ୍ରୀ ମୋଦୀ ନାଗରିକମାନଙ୍କୁ ଭାରତୀୟ ନିର୍ମିତ ସାମଗ୍ରୀ ବାଛିବାକୁ ଉତ୍ସାହିତ କରିଥିଲେ – ଛୋଟ ଜିନିଷ, ପିଲାମାନଙ୍କ ପାଇଁ ଖେଳଣା, ଦୀପାବଳି ମୂର୍ତ୍ତି, ଘର ସାଜସଜ୍ଜା, ମୋବାଇଲ୍, ଟିଭି ଏବଂ ରେଫ୍ରିଜରେଟର ପରି ବଡ଼ ଜିନିଷ କ୍ରୟ କରିବା । ସେ କୌଣସି ଉତ୍ପାଦ ଭାରତରେ ତିଆରି ହେଉଛି କି ନାହିଁ ତାହା ଯାଞ୍ଚ କରିବାର ଉପରେ ଗୁରୁତ୍ୱାରୋପ କରିଥିଲେ । କାରଣ ସ୍ୱଦେଶୀ କିଣିବା ଦ୍ୱାରା ଦେଶ ଭିତରେ ଟଙ୍କା ରହିଥାଏ, ପୁଞ୍ଜି ପ୍ରବାହକୁ ରୋକାଯାଏ ଏବଂ ଜାତୀୟ ବିକାଶରେ ସିଧାସଳଖ ଯୋଗଦାନ ଦିଆଯାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ଟଙ୍କା ରାସ୍ତା, ଗ୍ରାମ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବାରେ ସାହାଯ୍ୟ କରେ ଏବଂ ଗରିବ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କଲ୍ୟାଣକାରୀ ଯୋଜନାକୁ ସମର୍ଥନ କରିଥାଏ ।
ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଯେତେବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଘରୋଇ ଭାବରେ ନିର୍ମିତ ହୁଏ, ସେତେବେଳେ ଏହା ନାଗରିକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରେ। ନବରାତ୍ରି ଆରମ୍ଭ ସହିତ ୨୨ ସେପ୍ଟେମ୍ବରରୁ ହ୍ରାସ ପାଇଥିବା GST ହାର କାର୍ଯ୍ୟକାରୀ ହେବା ସହିତ, ସେ ସମସ୍ତଙ୍କୁ ସ୍ୱଦେଶୀ ଉତ୍ପାଦ କ୍ରୟ କରିବାକୁ ଏବଂ ସଂଶୋଧିତ ହାରରୁ ଲାଭ ପାଇବାକୁ ଆହ୍ୱାନ କରିଥିଲେ। “ଗର୍ବର ସହିତ କୁହନ୍ତୁ: ଏହା ସ୍ୱଦେଶୀ” ମନ୍ତ୍ରକୁ ମନେ ରଖିବା ଏବଂ ପୁନରାବୃତ୍ତି କରିବାକୁ ଆହ୍ୱାନ ଦେଇ ଶେଷରେ ସମସ୍ତଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବ, କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ସ୍ୱାସ୍ଥ୍ୟ, ପୋଷଣ, ସୁସ୍ଥତା ଏବଂ ଏକ ସୁସ୍ଥ ଏବଂ ସଶକ୍ତ ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ‘ସୁସ୍ଥ ନାରୀ ସଶକ୍ତ ପରିବାର‘ ଏବଂ ‘୮ ତମ ରାଷ୍ଟ୍ରୀୟ ପୋଷଣ ମାସ‘ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସାରା ଦେଶରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର (CHC), ଜିଲ୍ଲା ହସ୍ପିଟାଲ ଏବଂ ଅନ୍ୟାନ୍ୟ ସରକାରୀ ସ୍ୱାସ୍ଥ୍ୟ ସୁବିଧାରେ ଆୟୋଜିତ ହେବ। ଏକ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ, ଯାହା ଫଳରେ ଏହା ଦେଶର ମହିଳା ଏବଂ ଶିଶୁଙ୍କ ପାଇଁ ସର୍ବବୃହତ ସ୍ୱାସ୍ଥ୍ୟ ସେବା ହେବ। ଦେଶବ୍ୟାପୀ ସମସ୍ତ ସରକାରୀ ସ୍ୱାସ୍ଥ୍ୟ ସୁବିଧାରେ ପ୍ରତିଦିନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ।
ଏହି ଦେଶବ୍ୟାପୀ ତୀବ୍ର ଅଭିଯାନ ସାମୁହିକ ସ୍ତରରେ ମହିଳା-କୈନ୍ଦ୍ରିକ ପ୍ରତିରୋଧକ, ପ୍ରୋତ୍ସାହନମୂଳକ ଏବଂ ଚିକିତ୍ସା ସମ୍ପର୍କକୁ ସୁଦୃଢ଼ କରିବ। ଏହା ଅଣ-ସଂକ୍ରାମକ ରୋଗ, ରକ୍ତହୀନତା, ଯକ୍ଷ୍ମା ଏବଂ ସିକିଲ୍ ସେଲ୍ ରୋଗ ପାଇଁ ସ୍କ୍ରିନିଂ, ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ସଂଯୋଗକୁ ସୁଦୃଢ଼ କରିବା ସହିତ ପ୍ରସବ ପୂର୍ବ ଯତ୍ନ, ଟୀକାକରଣ, ପୁଷ୍ଟିସାର, ଋତୁସ୍ରାବ ପରିଚ୍ଛନ୍ନତା, ଜୀବନଶୈଳୀ ଏବଂ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକଳାପ ମାଧ୍ୟମରେ ମାତୃ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବ। ମେଡିକାଲ କଲେଜ, ଜିଲ୍ଲା ହସ୍ପିଟାଲ, କେନ୍ଦ୍ର ସରକାରୀ ପ୍ରତିଷ୍ଠାନ ଏବଂ ଘରୋଇ ହସ୍ପିଟାଲ ମାଧ୍ୟମରେ ସ୍ତ୍ରୀ ରୋଗ, ଶିଶୁ ରୋଗ, ଚକ୍ଷୁ, ଇଏନଟି, ଦନ୍ତ, ଚର୍ମରୋଗ ଏବଂ ମାନସିକ ରୋଗ ସମେତ ବିଶେଷ ସେବାଗୁଡ଼ିକୁ ସଂଗଠିତ କରାଯିବ।
ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ ରକ୍ତଦାନ ଅଭିଯାନ ମଧ୍ୟ ଆୟୋଜନ କରାଯିବ। ଦାତାମାନଙ୍କୁ ଇ-ରକ୍ତକୋଷ ପୋର୍ଟାଲରେ ପଞ୍ଜୀକୃତ ଏବଂ MyGov ମାଧ୍ୟମରେ ପ୍ରତିଜ୍ଞା ଅଭିଯାନ ଚଳାଯିବ। ପ୍ରଧାନମନ୍ତ୍ରୀ-ଜୟ ଆବାସ, ଆୟୁଷ୍ମାନ ଵୟୋ ବନ୍ଦନା ଏବଂ ଆବାହା ଅଧୀନରେ ହିତାଧିକାରୀମାନଙ୍କୁ ପଞ୍ଜୀକୃତ କରାଯିବ। କାର୍ଡ ଯାଞ୍ଚ ଏବଂ ଅଭିଯୋଗ ସମାଧାନ ପାଇଁ ସ୍ୱାସ୍ଥ୍ୟ ଶିବିରଗୁଡ଼ିକରେ ହେଲପଡେସ୍କ ସ୍ଥାପନ କରାଯିବ। ମହିଳା ଏବଂ ପରିବାର ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଯୋଗ ଅଧିବେଶନ, ଆୟୁର୍ବେଦ ପରାମର୍ଶ ଏବଂ ଅନ୍ୟାନ୍ୟ ଆୟୁଷ ସେବା ଆୟୋଜନ କରାଯିବ। ଏହି ଅଭିଯାନ ସ୍ଥୂଳକାୟତା ନିବାରଣ, ଉନ୍ନତ ପୁଷ୍ଟିସାର ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଉପରେ ବିଶେଷ ଗୁରୁତ୍ୱ ଦେଇ ସମାଜକୁ ସୁସ୍ଥ ଜୀବନଶୈଳୀ ଅଭ୍ୟାସ ପ୍ରତି ଆକର୍ଷିତ କରିବ। ନାଗରିକମାନଙ୍କୁ ସମର୍ପିତ ପ୍ଲାଟଫର୍ମ (www.nikshay.in) ରେ ନିକ୍ଷୟ ମିତ୍ର ଭାବରେ ପଞ୍ଜୀକରଣ କରିବାକୁ ମଧ୍ୟ ଉତ୍ସାହିତ କରାଯିବ ଯାହା ଦ୍ୱାରା ଯକ୍ଷ୍ମା ରୋଗୀମାନଙ୍କୁ ସମଗ୍ର ସମାଜ ଦୃଷ୍ଟିକୋଣରେ ପୁଷ୍ଟିସାର, ପରାମର୍ଶ ଏବଂ ଯତ୍ନ ସହିତ ସମର୍ଥନ କରାଯାଇପାରିବ।
ପ୍ରଧାନମନ୍ତ୍ରୀ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ (PMMVY) ଅଧୀନରେ ଗୋଟିଏ କ୍ଲିକ୍ରେ ଦେଶବ୍ୟାପୀ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ସ୍ଥାନାନ୍ତର କରିଛନ୍ତି। ଏହା ଦ୍ୱାରା ଦେଶର ପ୍ରାୟ ଦଶ ଲକ୍ଷ ମହିଳାଙ୍କୁ ଲାଭ ମିଳିବ।
ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ସୁମନ ସଖୀ ଚାଟବଟ୍ ଆରମ୍ଭ କରିଥିଲେ। ଏହି ଚାଟବଟ୍ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ସମୟୋଚିତ ଏବଂ ସଠିକ୍ ସୂଚନା ପ୍ରଦାନ କରିବ, ଯାହା ଦ୍ୱାରା ସେମାନଙ୍କର ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା ସୁନିଶ୍ଚିତ ହେବ।
ସିକଲ୍ ସେଲ୍ ଆନିମିଆ ବିରୋଧରେ ଦେଶର ସାମୂହିକ ଲଢ଼େଇକୁ ଆଗକୁ ନେଇ, ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ଏକ କୋଟି ସିକଲ୍ ସେଲ୍ ସ୍କ୍ରିନିଂ ଏବଂ ପରାମର୍ଶ କାର୍ଡ ବଣ୍ଟନ କରିଛନ୍ତି।
ଆଦି କର୍ମଯୋଗୀ ଅଭିଯାନ ଅଧୀନରେ, ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ପାଇଁ ‘ଆଦି ସେବା ପର୍ବ’ ଆରମ୍ଭ କରିଛନ୍ତି, ଯାହା ଆଦିବାସୀ ଗର୍ବ ଏବଂ ରାଷ୍ଟ୍ର ନିର୍ମାଣର ଭାବନାର ସଙ୍ଗମକୁ ପ୍ରତୀକ କରିଥାଏ। ଏହି ପଦକ୍ଷେପରେ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିସାର, ଦକ୍ଷତା ବିକାଶ, ଜୀବିକା ପ୍ରୋତ୍ସାହନ, ପରିମଳ, ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ଉପରେ କେନ୍ଦ୍ରିତ ସେବା-ଭିତ୍ତିକ କାର୍ଯ୍ୟକଳାପର ଏକ ଶୃଙ୍ଖଳା ଅନ୍ତର୍ଭୁକ୍ତ ହେବ। ପ୍ରତ୍ୟେକ ଗ୍ରାମ ପାଇଁ ଏକ ଦୀର୍ଘକାଳୀନ ବିକାଶ ରୋଡମ୍ୟାପ୍ ତିଆରି କରିବା ଲକ୍ଷ୍ୟରେ ଆଦିବାସୀ ଗ୍ରାମ କାର୍ଯ୍ୟ ଯୋଜନା ଏବଂ ଜନଜାତି ଗ୍ରାମ ଦୃଷ୍ଟିକୋଣ ୨୦୩୦ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ତାଙ୍କର 5F ଦୃଷ୍ଟିକୋଣ – “ଫାର୍ମ ଟୁ ଫାଇବର, ଫାଇବର ଟୁ ଫ୍ୟାକ୍ଟ୍ରି, ଫ୍ୟାକ୍ଟ୍ରି ଟୁ ଫ୍ୟାଶନ୍ ଏବଂ ଫ୍ୟାଶନ୍ ଟୁ ଫରେନ୍”- ଅନୁଯାୟୀ ପ୍ରଧାନମନ୍ତ୍ରୀ ଧାରରେ ‘ପ୍ରଧାନମନ୍ତ୍ରୀ ମିତ୍ର ପାର୍କ’ ଉଦଘାଟନ କରିଥିଲେ। ୨,୧୫୦ ଏକର ଜମିରେ ବିସ୍ତୃତ ଏହି ପାର୍କରେ ବିଶ୍ୱସ୍ତରୀୟ ସୁବିଧା ରହିବ, ଯେଉଁଥିରେ ଏକ ସାଧାରଣ ପ୍ରବାହ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଏକ ସୌର ଶକ୍ତି ପ୍ଲାଣ୍ଟ ଏବଂ ଆଧୁନିକ ରାସ୍ତା ଅନ୍ତର୍ଭୁକ୍ତ, ଯାହା ଏହାକୁ ଏକ ଆଦର୍ଶ ଶିଳ୍ପ ନଗରୀ କରିବ। ଏହା ଅଞ୍ଚଳର କପା ଚାଷୀମାନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବରେ ଲାଭ ଦେବ, ସେମାନଙ୍କର ଆୟ ବୃଦ୍ଧି କରିବ ଏବଂ ସେମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ତମ ମୂଲ୍ୟ ପ୍ରଦାନ କରିବ।
ବିଭିନ୍ନ ବୟନ ଶିଳ୍ପ କମ୍ପାନୀଗୁଡ଼ିକ ୨୩,୧୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ ପ୍ରସ୍ତାବ ଦେଇଛନ୍ତି, ଯାହା ନୂତନ ଶିଳ୍ପ ଏବଂ ବ୍ୟାପକ ନିଯୁକ୍ତି ପାଇଁ ପଥ ପ୍ରଶସ୍ତ କରିବ। ଏହା ପ୍ରାୟ ୩,୦୦,୦୦୦ ନିଯୁକ୍ତି ସୃଷ୍ଟି କରିବ ଏବଂ ରପ୍ତାନିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ।
ପରିବେଶ ସୁରକ୍ଷା ଏବଂ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଜ୍ୟର “ଏକ ବାଗିୟା ମା କେ ନାମ” ପଦକ୍ଷେପ ଅଧୀନରେ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ହିତାଧିକାରୀଙ୍କୁ ଏକ ଚାରା ଉପହାର ଦେଇଥିଲେ। ମଧ୍ୟପ୍ରଦେଶରେ ୧୦,୦୦୦ରୁ ଅଧିକ ମହିଳା “ମା କି ବାଗିୟା” ଚାଷ କରିବେ। ଚାରାଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମହିଳା ଗୋଷ୍ଠୀଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଉଛି।
*******
SPD
Delighted to be in Dhar, Madhya Pradesh! Speaking at the launch of women-centric initiatives, which will strengthen health and well-being at the grassroots level. PM MITRA Park is also being inaugurated. https://t.co/oRNGJjSLpU
— Narendra Modi (@narendramodi) September 17, 2025
आज ही के दिन देश ने सरदार पटेल की फौलादी इच्छाशक्ति का उदाहरण देखा था।
— PMO India (@PMOIndia) September 17, 2025
भारतीय सेना ने हैदराबाद को अनेकों अत्याचारों से मुक्त कराकर...भारत के गौरव को पुनः प्रतिस्थापित किया था: PM @narendramodi pic.twitter.com/ASlL06iAsw
मां भारती की आन-बान-शान से बड़ा कुछ भी नहीं: PM @narendramodi pic.twitter.com/sIWpDntebn
— PMO India (@PMOIndia) September 17, 2025
‘स्वस्थ नारी-सशक्त परिवार’ अभियान माताओं-बहनों को समर्पित है। pic.twitter.com/GJcUbLtAtI
— PMO India (@PMOIndia) September 17, 2025
गरीब की सेवा ही मेरे जीवन का सबसे बड़ा उद्देश्य है: PM @narendramodi pic.twitter.com/8D99R4p3tS
— PMO India (@PMOIndia) September 17, 2025
5F vision for the textile industry – from Farm to Fibre, Fibre to Factory, Factory to Fashion and Fashion to Foreign. pic.twitter.com/hOBDjlgJQ6
— PMO India (@PMOIndia) September 17, 2025
विश्वकर्मा भाई-बहन - मेक इन इंडिया की बड़ी ताकत। pic.twitter.com/4xhEMwKBuJ
— PMO India (@PMOIndia) September 17, 2025
जो पिछड़ा है, वो हमारी प्राथमिकता है: PM @narendramodi pic.twitter.com/JDVKVz9gma
— PMO India (@PMOIndia) September 17, 2025