Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ପଞ୍ଚମ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ପଞ୍ଚମ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସମାବେଶକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଏକ ବୃହତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଲକ୍ଷ୍ନୌକୁ ବଛାଯିବା ଖୁସିର ବିଷୟ । ଉତ୍ତର ପ୍ରଦେଶର ଜଣେ ସାଂସଦ ହୋଇଥିବାରୁ, ଏହା ତାଙ୍କ ପାଇଁ ମଧ୍ୟ ଗର୍ବର ବିଷୟ ।

ଶିକ୍ଷା ଓ ପ୍ରଶିକ୍ଷଣ ସମାପ୍ତ କରୁଥିବା ଯୁବବର୍ଗ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଏବଂ ବର୍ତ୍ତମାନ ସିଧାସଳଖ ଦେଶ ଗଠନ ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଆଇଟିଆଇ ଗୁଡ଼ିକରେ ସେମାନେ ଅର୍ଜନ କରିଥିବା ଦକ୍ଷତା ଓ କାରିଗରୀ କୌଶଳ ‘ବିକଶିତ ଭାରତ’ ପାଇଁ ଏକ ପ୍ରମୁଖ ଚାଳକ ଶକ୍ତି ଭାବରେ କାର୍ଯ୍ୟ କରିବ। ସେ ଆହୁରି ମଧ୍ୟ କହିଥିଲେ, ଯେକୌଣସି ଦେଶ ନିଜ ଯୁବବର୍ଗଙ୍କ ଦକ୍ଷତା ମାଧ୍ୟମରେ ହିଁ ସମର୍ଥ ଭାବେ ଅଗ୍ରଗତି କରିଥାଏ। ଭାରତରେ କାରିଗରୀ କୌଶଳ ପ୍ରତି ରହିଥିବା ଦୀର୍ଘଦିନର ସମ୍ମାନ ଉପରେ ସେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଲକ୍ଷ୍ନୌର ଚିକନକାରୀ, ମଲମଲ୍ ବସ୍ତ୍ର, ବନାରସୀ ଓ କାଞ୍ଜିବରମ୍ ରେଶମ, କାଶ୍ମୀରୀ ପଶମିନା, ସୂତା ବସ୍ତ୍ର, କଲମକାରୀ, ବିଶ୍ୱର ସର୍ବୋତ୍ତମ ଖଣ୍ଡା ତିଆରି ପାଇଁ ବ୍ୟବହୃତ ଇସ୍ପାତ ତଥା କଂସା ଓ ପଞ୍ଚଧାତୁ ନିର୍ମିତ ମୂର୍ତ୍ତି ଭଳି ଶହ ଶହ ପାରମ୍ପରିକ କଳାକୃତିର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ । ସେ କହିଥିଲେ, ଏସବୁ ଏକଦା ସମାଜର ମୂଳଦୁଆ ବା ଆଧାରସ୍ତମ୍ଭ ଥିଲା। ଦୀର୍ଘ ଦିନ ଧରି ଏହିଭଳି ଦକ୍ଷତା ଓ କାରିଗରୀ କୌଶଳ ମାଧ୍ୟମରେ ହିଁ ବିଶ୍ୱ ଦରବାରରେ ଭାରତର ପରିଚୟ ରହିଆସିଛି ।

ଭାରତର ପୂର୍ବତନ ସାମାଜିକ ବ୍ୟବସ୍ଥା ଦକ୍ଷତା ଉପରେ ଆଧାରିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଗୁଜରାଟର ‘ବସାଭାୟା’ ପରମ୍ପରାର ଉଦାହରଣ ଦେଇଥିଲେ। ଏହି ପରମ୍ପରା ଅନୁଯାୟୀ, ଗ୍ରାମୀଣ ଜୀବନଯାପନକୁ ଚିରସ୍ଥାୟୀ କରୁଥିବା କୁଶଳୀ କାରିଗରମାନେ ଯେଉଁଠାରେ ମଧ୍ୟ ଏକ ନୂତନ ଗ୍ରାମ ସ୍ଥାପିତ ହେଉଥିଲା, ସେଠାରେ ଯାଇ ବସବାସ କରୁଥିଲେ। ଶ୍ରୀ ମୋଦୀ କହିଲେ, ଏମାନେ ଏତେ କୁଶଳୀ ଥିଲେ ଯେ, ତାଙ୍କ ବିନା ଗ୍ରାମୀଣ ଜୀବନର କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା।

ପ୍ରାଚୀନ କାଳରୁ ଭାରତର ପ୍ରତ୍ୟେକ ଅଞ୍ଚଳରେ ଏପରି ଏକ ବ୍ୟବସ୍ଥା ଥିଲେ ମଧ୍ୟ ଏହା ଧୀରେ ଧୀରେ ଗୁରୁତ୍ୱ ହରାଇ ବସିଥିଲା ​​ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ଜଣେ ବ୍ୟକ୍ତିଙ୍କୁ ଜାଗ୍ରତ ହେବା ଠାରୁ ଶୋଇବା ପର୍ଯ୍ୟନ୍ତ ଏବଂ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆବଶ୍ୟକ ପ୍ରତ୍ୟେକ କାର୍ଯ୍ୟ ଏବଂ ସେବାର ତାଲିକା ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭ୍ୟାସ   ପ୍ରାୟ ଏକ ହଜାର ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ କରିଥିଲା ​​ଏବଂ ସମାଜକୁ ଗତିଶୀଳ ରଖିଥିଲା। ମୁଁ ଅଧିକାରୀମାନଙ୍କୁ ଏହି ଜିନିଷ ଉପରେ ଧ୍ୟାନ ଦେବାକୁ କହିଥିଲି ଏବଂ ତା’ପରେ ଗୁଜରାଟରେ ଦକ୍ଷତା ବିକାଶର ଏକ ଆଧୁନିକ ଇକୋସିଷ୍ଟମ ସୃଷ୍ଟି ହୋଇଥିଲା ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଭାରତର ଦକ୍ଷତା ବିକାଶ ଇକୋସିଷ୍ଟମର ଅବନତି ପାଇଁ ଔପନିବେଶିକ ଶିକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଦାୟୀ କରିଥିଲେ । ସେ କହିଥିଲେ, ଏହା ଏକ ଦକ୍ଷତାଭିତ୍ତିକ ସମାଜକୁ କାଗଜ କିରାଣୀ ଉତ୍ପାଦନ କରିବାର ବ୍ୟବସ୍ଥାରେ ପରିଣତ କରିଥିଲା । ଅନ୍ୟପଟେ ବ୍ରିଟିଶମାନେ ନିଜସ୍ୱ ଶିଳ୍ପ ଏବଂ ଉତ୍ପାଦନକୁ ଆଗକୁ ବଢ଼ାଇଥିଲେ। ସ୍ୱାଧୀନତା ପରେ ମଧ୍ୟ କିରାଣୀ ଚାକିରିକୁ ସମ୍ମାନ ଦିଆଯାଇଥିଲା, କିନ୍ତୁ କୁଶଳୀ କାରିଗରମାନେ ଏକ ହୀନମନ୍ୟତାର ଶିକାର ହୋଇଥିଲେ । ସେମାନେ ନିଜ ବ୍ୟବସାୟରୁ ଦୂରେଇ ଯିବା ଆରମ୍ଭ କରିଥିଲେ। ଦାସତ୍ୱର ଏହି ମାନସିକତା ଯୋଗୁଁ ଆମ ଦେଶକୁ ଏକ ବଡ଼ କ୍ଷତି ସହିବାକୁ ପଡିଛି ବୋଲି ସେ ଦୃଢ଼ ଭାବେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରମେବ ଜୟତେର ଭାବନା ​​ଦ୍ୱାରା ପରିଚାଳିତ ସରକାରଙ୍କ କ୍ରମାଗତ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଏଥିରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଡିଗ୍ରୀ ଧାରକଙ୍କ ବ୍ୟତୀତ ଆଇଟିଆଇ ଦକ୍ଷତା ବିକାଶ ପ୍ରମାଣପତ୍ର ଗ୍ରହଣକାରୀଙ୍କ ପର୍ଯ୍ୟନ୍ତ ସମାବର୍ତ୍ତନ ଉତ୍ସବର ପରମ୍ପରାକୁ ବିସ୍ତାର କରିବା ଏବଂ ନୂତନ ଜାତୀୟ ଶିକ୍ଷା ନୀତିରେ ଦକ୍ଷତା ବିକାଶ ଉପରେ ଦୃଢ଼ ଗୁରୁତ୍ୱ ଦେବା ଅନ୍ତର୍ଭୁକ୍ତ । କାରିଗରୀ ଜ୍ଞାନକୌଶଳକୁ ସମ୍ମାନିତ କରିବା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ, ଏକବିଂଶ ଶତାବ୍ଦୀର ଭାରତ କେବଳ ଦକ୍ଷତାକୁ ସମ୍ମାନ ଦେଇ ଆଗକୁ ବଢ଼ିପାରିବ ।  

ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା ନିଯୁକ୍ତି ଛଡ଼ାଇ ନେବା ସମ୍ପର୍କରେ ବ୍ୟାପକ ଆଲୋଚନା ଏବଂ ଚିନ୍ତାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ ମହାମାରୀ ସମୟରେ ସମସ୍ତେ ଅସହାୟ ଅନୁଭବ କରୁଥିଲେ । ସେତେବେଳେ କୁଶଳୀ ଶ୍ରମିକମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଜିନିଷଗୁଡ଼ିକୁ ଚାଲୁ ରଖିଥିଲେ। “ମୋର ଏହି କଥାକୁ ଭଲ ଭାବରେ ବୁଝନ୍ତୁ: ଯାହାର ଦକ୍ଷତା ଅଛି, କେହି ତାଙ୍କ ନିଯୁକ୍ତି ଛଡ଼ାଇ ନେଇପାରିବେ ନାହିଁ,” ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

କୌଣସି କାରିଗରୀ କୌଶଳ ଶିଖିବା କେବଳ ମେସିନ୍ ଚଳାଇବା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଲୋକଙ୍କ ଜୀବନକୁ ସହଜ କରିବା ସହିତ ଦେଶର ସାମର୍ଥ୍ୟ ଏବଂ ଉତ୍ପାଦନ କ୍ଷମତାକୁ ମଧ୍ୟ ସୁଦୃଢ଼ ​​କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ୨୦୧୪ ମସିହାରୁ ଆଇଟିଆଇ ଉପରେ ଦିଆଯାଇଥିବା ଅଭୂତପୂର୍ବ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରାୟ ୫,୦୦୦ ନୂତନ ଆଇଟିଆଇ ସ୍ଥାପନ କରାଯାଇଛି। ଆଇଟିଆଇରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି ଏବଂ ଏଥିମଧ୍ୟରେ ଝିଅମାନଙ୍କ ସଂଖ୍ୟା ଅଢ଼େଇ ଗୁଣରୁ ଅଧିକ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ପୁରୁଣା କାରବାର ଯୋଗୁଁ ପୂର୍ବରୁ ପଛରେ ପଡ଼ିଯାଇଥିବା ଆଇଟିଆଇଗୁଡ଼ିକରେ ତାଲିମ, ଗୁଣବତ୍ତା, ଅଧ୍ୟାପକ ଏବଂ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଇଛି । ଭାରତର ଚାଲୁଥିବା ବାଣିଜ୍ୟ ଚୁକ୍ତିନାମା ଏବଂ ଏଫଟିଏ ଆଲୋଚନା ସହିତ ଭାରତ ଏବଂ ବିଶ୍ୱ ଉଭୟର ଆବଶ୍ୟକତା ପାଇଁ ଡିଜାଇନ୍ କରାଯାଇଥିବା ଏରୋନଟିକାଲ୍ ଷ୍ଟ୍ରକଚର, ଏଆଇ ଆସିଷ୍ଟାଣ୍ଟ, ସାଇବର ସୁରକ୍ଷା ସହାୟକ, ଡ୍ରୋନ୍ ଟେକ୍ନିସିଆନ୍, ସବୁଜ ହାଇଡ୍ରୋଜେନ୍ ଟେକ୍ନିସିଆନ୍, ଶିଳ୍ପ ରୋବୋଟିକ୍ସ, ବୈଦ୍ୟୁତିକ ଯାନବାହନ, ଆନିମେସନ୍ ଓ ସ୍ପେଶାଲ ଇଫେକ୍ଟସ ଏବଂ ସେମିକଣ୍ଡକ୍ଟର ଟେକ୍ନିସିଆନ୍ ସମେତ ୩୦ରୁ ଅଧିକ ନୂତନ ଯୁଗର ବାଣିଜ୍ୟ ବର୍ତ୍ତମାନ ପ୍ରଚଳନ କରାଯାଇଛି । ଏହା ସବୁ ଆପଣମାନଙ୍କ ପାଇଁ କରାଯାଉଛି, ଆପଣମାନଙ୍କ ଭଳି ଯୁବପିଢ଼ିର ଭବିଷ୍ୟତ ପାଇଁ ନୂତନ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସେ ଦୃଢ଼ ଭାବେ କହିଥିଲେ ।

ଆଇଟିଆଇ ପାଠ୍ୟକ୍ରମ ଓ ଯନ୍ତ୍ରପାତିର ଆଧୁନିକୀକରଣ, ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ଏବଂ ପ୍ରଶିକ୍ଷଣ ତଥା ଶିଳ୍ପକ୍ଷେତ୍ର ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ ପାଇଁ କରାଯାଉଥିବା ପ୍ରୟାସଗୁଡ଼ିକ ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ପିଏମ-ସେତୁ ଯୋଜନା ଅଧୀନରେ ୬୦,୦୦୦ କୋଟି ଟଙ୍କାର ନିବେଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଏହା ଦ୍ୱାରା ଆମର ଯୁବବର୍ଗ ବହୁଳ ଭାବେ ଉପକୃତ ହେବେ ।

ଭାରତର ଦ୍ରୁତ ବିକାଶ କୁଶଳୀ ଶ୍ରମିକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ସୃଷ୍ଟି କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୨ ରୁ ୧୩ ବର୍ଷ ମଧ୍ୟରେ ସରକାରୀ ସୁବିଧା-ସୁଯୋଗ ଯୋଗୁଁ ୫୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିପାରିଛନ୍ତି, ଯାହା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଗରିବ ଲୋକଙ୍କ ପାଇଁ ୪ କୋଟି ଘର ନିର୍ମାଣ, ପାନୀୟ ଜଳ ପାଇପ୍‌ ଲାଇନ୍ ବିଛାଇବା ଏବଂ ପ୍ରଥମ ଥର ପାଇଁ ବିଦ୍ୟୁତ୍ ସଂଯୋଗ ପହଞ୍ଚାଇବା ଭଳି ବୃହତ ଅଭିଯାନ ଯୋଗୁଁ ବିଦ୍ୟୁତ୍ ମିସ୍ତ୍ରୀ, ବଢ଼େଇ ଏବଂ ଅନ୍ୟାନ୍ୟ କୁଶଳୀ ଯୁବବର୍ଗ କାମ ପାଇଛନ୍ତି । ଏହା ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇଛି । ଏହି ବୃହତ ଅଭିଯାନ ମାଧ୍ୟମରେ ଦେଶର କୁଶଳୀ ଶ୍ରମିକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ପ୍ରଗତିଶୀଳ କ୍ଷେତ୍ରଗୁଡ଼ିକରେ ଦକ୍ଷତା ବିକାଶର ଚାହିଦା ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, କିଛି ମାସ ପୂର୍ବେ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା। ସରକାର ପ୍ରତିଦିନ ଅତି କମରେ ଏକ ଲକ୍ଷ ପିଏନଜି ସଂଯୋଗ ପାଇଁ ଲକ୍ଷ୍ୟ ରଖିଥିଲେ ଏବଂ ସମୀକ୍ଷା ବୈଠକରେ ପ୍ଲମ୍ବରଙ୍କ ଅଭାବ ରହିଥିବା ବାରମ୍ବାର ଜଣାପଡ଼ିଥିଲା ଯାହା ଲକ୍ଷ୍ୟକୁ ବିଳମ୍ବ କରୁଥିଲା। ସୌର ଶକ୍ତି କ୍ଷେତ୍ରରେ ବହୁଳ କୁଶଳୀ ମାନବଶକ୍ତିର ଆବଶ୍ୟକତା ଏବଂ କ୍ରୀଡ଼ା ସାମଗ୍ରୀ ନିର୍ମାଣ ତଥା ଫିଟନେସ୍‌କୁ ନେଇ ବିସ୍ତାରିତ ହେଉଥିବା କ୍ରୀଡ଼ା ଅର୍ଥବ୍ୟବସ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ, ଯଦି ଆପଣ କୁଶଳୀ, ତେବେ ଆପଣଙ୍କ ପାଇଁ ନିଯୁକ୍ତି ପାଇବାର ଅନେକ ଅଧିକ ସୁଯୋଗ ରହିଛି ।

ଭାରତ ବିଶ୍ୱର ଦକ୍ଷତା ବିକାଶ କେନ୍ଦ୍ର ବା ସ୍କିଲ୍‌ କ୍ୟାପିଟାଲ ହେବା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୨୭ ମସିହାରେ ଗ୍ରେଟର ନୋଏଡ଼ା ଠାରେ ଭାରତ ‘ୱାର୍ଲ୍ଡ ସ୍କିଲ୍ସ ଏସିଆ’ ପ୍ରତିଯୋଗିତା ଆୟୋଜନ କରିବ ବୋଲି ଦେଶର ଯୁବବର୍ଗ ଏବଂ ଉତ୍ତର ପ୍ରଦେଶର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଖୁସି  ଖବର ଦେଇଥିଲେ । ସେ କହିଥିଲେ, ଏଥିରେ ବିଭିନ୍ନ ଦେଶର କୁଶଳୀ ଯୁବବର୍ଗ ଅଂଶଗ୍ରହଣ କରିବେ। ଏଥିପାଇଁ ସେ ଉତ୍ତର ପ୍ରଦେଶକୁ ଆଗୁଆ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ଉତ୍ତର ପ୍ରଦେଶର ଯୋଗଦାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବର୍ତ୍ତମାନର ସରକାର ଉତ୍ତରପ୍ରଦେଶକୁ ଏକ ଦ୍ରୁତ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିଛନ୍ତି । ଏଠାରେ ଅନେକ ଅନ୍ତର୍ଜାତୀୟ ବିମାନବନ୍ଦର, ପ୍ରମୁଖ ବିଶ୍ୱବିଦ୍ୟାଳୟ, ସମୃଦ୍ଧ ପର୍ଯ୍ୟଟନ ସ୍ଥଳୀ, ବଡ଼ ମୋବାଇଲ୍ ଉତ୍ପାଦନ ପ୍ଲାଣ୍ଟ, ଏକ ପ୍ରସ୍ତାବିତ ଚିପ୍ କାରଖାନା ଏବଂ ବ୍ରହ୍ମୋସର ଉତ୍ପାଦନ କେନ୍ଦ୍ର ରହିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ର ଅପରେସନ୍ ସିନ୍ଦୁରରେ ଶତ୍ରୁ ପକ୍ଷକୁ ଧୂଳିସାତ କରି ଦେଇଥିଲା। ୟୁପିରେ ହେଉଥିବା ଏହି ସମସ୍ତ ବିକାଶମୂଳକ କାର୍ଯ୍ୟ ଯୋଗୁଁ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ନିଜର ସଂସଦୀୟ କ୍ଷେତ୍ର ବନାରସରେ ଏକ କାରଖାନା ଉଦଘାଟନ ସମୟରେ ହୋଇଥିବା ଆଲୋଚନାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ଶ୍ରୀ ମୋଦୀ କହିଥିଲେ, ସେଠାରେ ଜଣେ ଯୁବତୀ ତାଙ୍କୁ କହିଥିଲେ ଯେ ଏବେ ସେ ରାତି ୧୧ଟାରେ ମଧ୍ୟ ଆରାମରେ ଘରକୁ ଫେରୁଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବର୍ତ୍ତମାନର ସରକାର ରାଜ୍ୟରେ ସୁରକ୍ଷାର ପରିବେଶ ସୃଷ୍ଟି କରିଛନ୍ତି । ସୁରକ୍ଷା ଭାବନା ଏବଂ ସମୃଦ୍ଧିର ଆତ୍ମବିଶ୍ୱାସ ଏକ ବିକଶିତ ଭାରତ ଗଠନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଯୁବପିଢ଼ିଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ସମୟରେ ଆପଣଙ୍କ ସମ୍ମୁଖରେ ସୀମାହୀନ ସମ୍ଭାବନା ଅଛି; ବଡ଼ ସ୍ୱପ୍ନ ଦେଖନ୍ତୁ, ନିଜର ଦକ୍ଷତା ବିକଶିତ କରନ୍ତୁ ଏବଂ ନିଜର ସ୍ୱପ୍ନ ପୂରଣ କରିବାରେ ନିଜର ପୂର୍ଣ୍ଣ ଶକ୍ତି ଲଗାଇ ଆଗକୁ ବଢ଼ନ୍ତୁ ।

*********

PS