Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ର ପ୍ରଦେଶର ଭୋଗାପୁରମରେ ୧୭,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଆନ୍ଧ୍ର ପ୍ରଦେଶର ଭୋଗାପୁରମରେ ୧୭,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


  • ବିମାନ ଚଳାଚଳ, ସ୍ୱଚ୍ଛ ଶକ୍ତି, ସେମିକଣ୍ଡକ୍ଟର ଏବଂ ସଂଯୋଗୀକରଣ କ୍ଷେତ୍ରରେ ଆଜିର ପ୍ରକଳ୍ପଗୁଡ଼ିକ ରାଜ୍ୟର ବିକାଶରେ ନୂଆ ଗତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
  • ଅଲ୍ଲୁରୀ ସୀତାରାମ ରାଜୁ ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିବା ଭୂମିରେ ଆନ୍ଧ୍ରପ୍ରଦେଶ ପାଇଁ ଏକ ନୂତନ ବିମାନବନ୍ଦରର ଉଦ୍‌ଘାଟନ କରାଯାଉଛି : ପ୍ରଧାନମନ୍ତ୍ରୀ
  • ଏହି ବିମାନବନ୍ଦର ଆନ୍ଧ୍ରପ୍ରଦେଶ ଓ ଉତ୍ତର ଆନ୍ଧ୍ର ବିକାଶର ଏକ ରନୱେ ଏବଂ ଆନ୍ଧ୍ରର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଲଞ୍ଚପ୍ୟାଡ୍‌: ପ୍ରଧାନମନ୍ତ୍ରୀ
  • ଆନ୍ଧ୍ରପ୍ରଦେଶ ଏବଂ ଦେଶ ଆମର ପ୍ରତିଭାବାନ ଯୁବଶକ୍ତି ସାମର୍ଥ୍ୟର ସର୍ବାଧିକ ଲାଭ ପାଇବା ପାଇଁ ବର୍ତ୍ତମାନ ଆମର ଧ୍ୟାନ ସେମିକଣ୍ଡକ୍ଟର ପରି ଭବିଷ୍ୟତମୁଖୀ ପ୍ରଯୁକ୍ତି-ଆଧାରିତ ଶିଳ୍ପ ଉପରେ କେନ୍ଦ୍ରିତ ରହିଛି; ବିଶାଖାପାଟଣାରେ ନୂତନ ସେମିକଣ୍ଡକ୍ଟର କାରଖାନାର ଶିଳାନ୍ୟାସ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ପ୍ରଧାନମନ୍ତ୍ରୀ
  • ଆଜି ଦେଶ ନିରନ୍ତର ଭାବେ ନିଜର ନୀଳ ଅର୍ଥନୀତିକୁ ସୁଦୃଢ଼ କରୁଛି; ଆମର ଦୃଷ୍ଟିକୋଣ ହେଉଛି ଏହି ସମଗ୍ର ଅଞ୍ଚଳକୁ ଏକ ଉପକୂଳ ଆର୍ଥିକ କରିଡର ଭାବେ ବିକଶିତ କରିବା; ଏହି ଉଦ୍ଦେଶ୍ୟରେ ବିଶାଖାପାଟଣାରୁ କୃଷ୍ଣପଟ୍ଟନମ ପର୍ଯ୍ୟନ୍ତ ଥିବା ପୁରୁଣା ବନ୍ଦରଗୁଡ଼ିକର ଆଧୁନିକୀକରଣ କରାଯାଉଛି; ଏହା ସହିତ ମୁଲାପେଟା ଏବଂ ରାମାୟପଟ୍ଟନମରେ ନୂତନ ବନ୍ଦର ମଧ୍ୟ ନିର୍ମାଣ କରାଯାଉଛି : ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଭୋଗପୁରମଠାରେ ୧୭,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସ୍ୱର୍ଣ୍ଣ ଆନ୍ଧ୍ର ଭିଜନ୍‌ ସାକାର କରିବା ଦିଗରେ ଏହି ଦିନର ଅପରିସୀମ ଗୁରୁତ୍ୱ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ପବିତ୍ର ମାସରେ ଉତ୍ତର ଆନ୍ଧ୍ରର ପବିତ୍ର ଭୂମିକୁ ଆସିବାର ସୁଯୋଗ ମିଳିଥିବାରୁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ସେ ଭଗବାନ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ, ଶ୍ରୀ କୂର୍ମନାଥ ସ୍ୱାମୀ ଏବଂ ମା’ ପାଇଡିଥାଲ୍ଲି ଅମ୍ମାବାରୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। “ଆଜି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଉତ୍ତର ଆନ୍ଧ୍ରର ପବିତ୍ର ଭୂମିରେ ଉପସ୍ଥିତ ହେବା ମୋ ପାଇଁ ଏକ ବିଶେଷ ସୌଭାଗ୍ୟର ବିଷୟ” ବୋଲି ଶ୍ରୀ ମୋଦୀ କହିଥିଲେ।

 

ପ୍ରାୟ ୧୮ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିମାନବନ୍ଦର ଭିତ୍ତିଭୂମି, ସଡ଼କ ସଂଯୋଗୀକରଣ ଏବଂ ଶକ୍ତି ସୁରକ୍ଷାକୁ ନେଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଦ୍ରୁତ ବିକାଶର ପ୍ରତୀକ। “ଏହି ବିକାଶମୂଳକ କାର୍ଯ୍ୟଗୁଡ଼ିକ ଆନ୍ଧ୍ରପ୍ରଦେଶ କେତେ ଦ୍ରୁତ ଗତିରେ ଅଗ୍ରଗତି କରୁଛି, ତାହାର ପ୍ରକୃତ ପ୍ରତୀକ” ବୋଲି ଶ୍ରୀ ମୋଦୀ କହିଥିଲେ।

 

ଏହି କାର୍ଯ୍ୟକ୍ରମକୁ ଏକ ଅଭୂତପୂର୍ବ ଐତିହାସିକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶାଳ ଭିତ୍ତିଭୂମି ବିକାଶର ମାଇଲଖୁଣ୍ଟ ସହିତ ଆଜିର ଦିନ ପାରମ୍ପରିକ ଧିମ୍‌ସା ନୃତ୍ୟ ମାଧ୍ୟମରେ ସୃଷ୍ଟି ହୋଇଥିବା ଏକ ଚମତ୍କାର ବିଶ୍ୱ ରେକର୍ଡ ପାଇଁ ମଧ୍ୟ ସ୍ମରଣୀୟ ହୋଇ ରହିଛି। “ଆଜିର ଏହି କାର୍ଯ୍ୟକ୍ରମ ଅନେକ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବା ଏବଂ ନୂଆ କୀର୍ତ୍ତିମାନ ସ୍ଥାପନ କରିବାର ପ୍ରତୀକ’’ ବୋଲି ଶ୍ରୀ ମୋଦୀ କହିଥିଲେ।

 

୧୩ ହଜାରରୁ ଅଧିକ ଜନଜାତି ସମ୍ପ୍ରଦାୟର ଭଉଣୀ ଓ ଝିଅମାନଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସେମାନଙ୍କର ଅପୂର୍ବ ଉତ୍ସାହ ଓ ଶୃଙ୍ଖଳାବଦ୍ଧତାକୁ ସାଧୁବାଦ ଜଣାଇଥିଲେ। ସେ କହିଥିଲେ ଯେ, ଏହି ମନୋମୁଗ୍ଧକର ପ୍ରଦର୍ଶନ ଭାରତର ସମୃଦ୍ଧ ବିବିଧତା ଏବଂ ସୁସଂରକ୍ଷିତ ଆଦିବାସୀ ଐତିହ୍ୟର ଏକ ସୁନ୍ଦର ପ୍ରତିଫଳନ। “ଏଠାରେ ପ୍ରଦର୍ଶିତ ଆମର ଜନଜାତି ସଂସ୍କୃତିର ଗୌରବ ପ୍ରକୃତରେ ଏକ ଭବ୍ୟ ଏବଂ ଅବିସ୍ମରଣୀୟ ଦୃଶ୍ୟ ଥିଲା” ବୋଲି ଶ୍ରୀ ମୋଦୀ କହିଥିଲେ।

 

ଜନଜାତିଙ୍କ ମହାନ ବୀର ଅଲ୍ଲୁରୀ ସୀତାରାମ ରାଜୁଙ୍କ ବୀରତ୍ୱପୂର୍ଣ୍ଣ ଐତିହ୍ୟ ଏବଂ ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ତାଙ୍କର ଜୀବନବ୍ୟାପୀ ସମର୍ପଣକୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ପବିତ୍ର ଭୂମିରେ ଆଜି ଆରମ୍ଭ ହୋଇଥିବା ନୂତନ ବିମାନବନ୍ଦର ଏହି ଅଞ୍ଚଳର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରନୱେ ସଦୃଶ ଏବଂ ଯୁବପିଢ଼ିଙ୍କ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଲଞ୍ଚପ୍ୟାଡ୍‌ ଭାବରେ କାର୍ଯ୍ୟ କରିବ। “ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ଆନ୍ଧ୍ରର ବିକାଶ ପାଇଁ ଏହି ବିମାନବନ୍ଦର ଏକ ରନୱେ ସଦୃଶ। ଏହା ଆନ୍ଧ୍ରର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସର୍ବୋତ୍ତମ ଲଞ୍ଚପ୍ୟାଡ୍‌” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

ନୂତନ ବିମାନବନ୍ଦରର ନାମ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ ନାମରେ ନାମିତ କରିବାକୁ ସରକାର ଔପଚାରିକ ଭାବେ ନିଷ୍ପତ୍ତି ନେଇଥିବା ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସ୍ମାରକୀ ଶ୍ରଦ୍ଧାଞ୍ଜଳି ଏହାର ଦ୍ୱାର ଦେଇ ଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କ ମନରେ ଜାତୀୟ କର୍ତ୍ତବ୍ୟର ଗଭୀର ଭାବନା ସୃଷ୍ଟି କରିବ। “ଏହି ବିମାନବନ୍ଦର ଦେଇ ଯାତ୍ରା କରୁଥିବା ଯେକୌଣସି ନାଗରିକ ଶ୍ରୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ ନାମରୁ ତୁରନ୍ତ ସାର୍ବଜନୀନ ଏବଂ ଜାତୀୟ ସେବା ପାଇଁ ପ୍ରେରଣା ପାଇବେ” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। 

 

ଗତ ୧୨ ବର୍ଷ ମଧ୍ୟରେ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଘଟିଥିବା ଅସାଧାରଣ ପରିବର୍ତ୍ତନର ରୂପରେଖ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ମସିହାରେ ଦେଶରେ ମାତ୍ର ୭୪ଟି କାର୍ଯ୍ୟକ୍ଷମ ବିମାନବନ୍ଦର ଥିବାବେଳେ ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ ୧୬୬ରେ ପହଞ୍ଚିଛି। ସେ କହିଥିଲେ ଯେ, ବର୍ତ୍ତମାନ ସରକାରଙ୍କ ପ୍ରୟାସ ଫଳରେ ଛୋଟ ସହରର ସାଧାରଣ ଲୋକମାନଙ୍କ ପାଇଁ ମଧ୍ୟ ବିମାନ ଯାତ୍ରା ସୁଲଭ ହୋଇପାରିଛି। “ଆଜି ଛୋଟ ସହରର ସାଧାରଣ ଲୋକମାନେ ମଧ୍ୟ ସହଜରେ ବିମାନରେ ଯାତ୍ରା କରୁଛନ୍ତି। ମାତ୍ର ଏକ ସମୟ ଥିଲା, ଯେତେବେଳେ ବିମାନ ଯାତ୍ରା କେବଳ ବଡ଼ ବଡ଼ ମହାନଗରର ଲୋକମାନଙ୍କ ମଧ୍ୟରେ ସୀମିତ ଥିଲା” ବୋଲି ମୋଦୀ କହିଥିଲେ।

 

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ‘ଉଡାନ’ ଯୋଜନାର ଭୂମିକା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା ଦେଶର ବିମାନ ସେବାର ପରିଦୃଶ୍ୟକୁ ମୂଳତଃ ପରିବର୍ତ୍ତନ କରିଦେଇଛି। ଏହା ମାଧ୍ୟମରେ ଗରିବରୁ ଗରିବ ପରିବାରର ଲୋକମାନେ ମଧ୍ୟ ବିମାନରେ ଯାତ୍ରା କରିବାର ସ୍ୱପ୍ନକୁ ସାକାର କରିପାରିଛନ୍ତି। ନିକଟରେ ୨୯ ହଜାର କୋଟି ଟଙ୍କାର ବିପୁଳ ନିବେଶ ସହିତ ‘ଉଡାନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ’ ଆରମ୍ଭ କରାଯାଇଥିବା ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। “ଏହି ଯୋଜନା ଗରିବରୁ ଗରିବ ଲୋକଙ୍କୁ ମଧ୍ୟ ସେମାନଙ୍କ ଜୀବନବ୍ୟାପୀ ସ୍ୱପ୍ନ ପୂରଣ କରିବାରେ ସକ୍ରିୟ ଭାବରେ ସାହାଯ୍ୟ କରିଛି” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। 

 

ବିମାନ ଚଳାଚଳ କ୍ଷେତ୍ରର ଆଉ ଏକ ପ୍ରମୁଖ ସଫଳତା ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନିକଟରେ କାଶୀରେ ‘ସ୍ପୋକ୍ ଏୟାରପୋର୍ଟ’ ମଡେଲ୍‌ର ସାମ୍ପ୍ରତିକ କାର୍ଯ୍ୟାନ୍ୱୟନ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଏହି ମଡେଲ୍‌କୁ ଅମୃତସର ପର୍ଯ୍ୟନ୍ତ ସଫଳତାର ସହ ବିସ୍ତାର କରାଯାଇଛି, ଯାହା ଫଳରେ ପଞ୍ଜାବର ଏହି ସହର ବିଶ୍ୱର ୨୫ରୁ ଅଧିକ ଆନ୍ତର୍ଜାତିକ ଗନ୍ତବ୍ୟ ସହ ସିଧାସଳଖ ସଂଯୁକ୍ତ ହୋଇପାରିଛି। “ଆନ୍ଧ୍ରପ୍ରଦେଶର ଏହି ପବିତ୍ର ଭୂମିରୁ ମୁଁ ପଞ୍ଜାବର ଲୋକମାନଙ୍କୁ ମଧ୍ୟ ଏହି ସଫଳତା ପାଇଁ ହୃଦୟରୁ ଅଭିନନ୍ଦନ ଜଣାଉଛି” ବୋଲି ଶ୍ରୀ ମୋଦୀ କହିଥିଲେ।

 

ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନର ନେତୃତ୍ୱ ରାଜ୍ୟର ବିକାଶ ଏଜେଣ୍ଡାକୁ ଦୁଇଗୁଣା ବେଗରେ କାର୍ଯ୍ୟକାରୀ କରୁଛି। “ବିକଶିତ ଭାରତ ଗଠନରେ ଆନ୍ଧ୍ରପ୍ରଦେଶ ସର୍ବୋତ୍ତମ ଅଭିବୃଦ୍ଧିର ଇଞ୍ଜିନ୍‌ ହେବାର ଅପାର ସାମର୍ଥ୍ୟ ସଦାବେଳେ ରଖିଆସିଛି” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

ଦେଶର ‘ନୀଳ ଅର୍ଥନୀତି’କୁ ସୁଦୃଢ଼ କରିବା ପାଇଁ ଜାତୀୟ ରଣନୀତିର ବିବରଣୀ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶାଖାପାଟଣାରୁ କୃଷ୍ଣପଟ୍ଟନମ ପର୍ଯ୍ୟନ୍ତ ଥିବା ପୁରାତନ ବନ୍ଦରଗୁଡ଼ିକର ଆଧୁନିକୀକରଣ ଏବଂ ମୁଲାପେଟା ଓ ରାମାୟାପଟ୍ଟନମରେ ନୂତନ ସାମୁଦ୍ରିକ ବନ୍ଦର ନିର୍ମାଣ ମାଧ୍ୟମରେ ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏକ ସମନ୍ୱିତ ଆର୍ଥିକ କରିଡରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। “ଆମର ରଣନୀତିକ ଦୃଷ୍ଟିକୋଣ ହେଉଛି ଏହି ସମଗ୍ର ଅଞ୍ଚଳକୁ ଏକ ସମୃଦ୍ଧ ଉପକୂଳ ଆର୍ଥିକ କରିଡର ଭାବେ ସାମଗ୍ରିକ ଭାବରେ ବିକଶିତ କରିବା” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

ବନ୍ଦର ଭିତ୍ତିଭୂମିର ବ୍ୟାପକ ବିକାଶ ସହିତ ରାଜ୍ୟରେ ଦ୍ରୁତ ଗତିରେ ନିର୍ମାଣ ହେଉଥିବା ରାଜପଥ ଓ ଏକ୍ସପ୍ରେସୱେ ନେଟୱର୍କର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ବିଶାଖାପାଟଣା-ରାୟପୁର ଏକ୍ସପ୍ରେସୱେ’ ପରି ପ୍ରମୁଖ ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ବିକାଶକୁ ନୂଆ ଗତି ପ୍ରଦାନ କରୁଛି। “ଏହି ଏକ୍ସପ୍ରେସୱେ ପ୍ରକଳ୍ପଗୁଡ଼ିକ ସମଗ୍ର ଅଞ୍ଚଳର ବିକାଶକୁ ଅଭୂତପୂର୍ବ ଗତି ପ୍ରଦାନ କରୁଛି” ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

 

ଏହି ଅଞ୍ଚଳକୁ ଦେଶର ପ୍ରମୁଖ ଔଦ୍ୟୋଗିକ କେନ୍ଦ୍ରଗୁଡ଼ିକ ସହ ନିରବଚ୍ଛିନ୍ନ ଭାବେ ସଂଯୁକ୍ତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ପ୍ରାୟ ‘ଏକ ଲକ୍ଷ କୋଟି ଟଙ୍କା’ ବ୍ୟୟର ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଜାରି ରହିଛି। ଏହା ସହିତ ସମ୍ପୂର୍ଣ୍ଣ ରେଳ ନେଟୱର୍କର ବିଦ୍ୟୁତୀକରଣ ଶେଷ ହୋଇଥିବାବେଳେ ୭୦ରୁ ଅଧିକ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। “ଏହି ସମଗ୍ର ଅଞ୍ଚଳକୁ ଦେଶର ସବୁଠୁ ବଡ଼ ଔଦ୍ୟୋଗିକ କେନ୍ଦ୍ରଗୁଡ଼ିକ ସହ ସହଜରେ ସଂଯୁକ୍ତ କରିବା ପାଇଁ ଆମେ ସକ୍ରିୟ ଭାବେ କାମ କରୁଛୁ” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। 

 

ଏହି ବହୁମୁଖୀ ପରିବହନ ଭିତ୍ତିଭୂମିର ସମନ୍ୱିତ ବିକାଶର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ‘ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌’ର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ ରେଳ, ବନ୍ଦର ଏବଂ ବିମାନ ପରିବହନ ଭିତ୍ତିଭୂମିକୁ ଏକୀକୃତ କରାଯାଉଛି, ଯାହା ଫଳରେ ଲଜିଷ୍ଟିକ୍ସ ବ୍ୟବସ୍ଥା ଅଧିକ କାର୍ଯ୍ୟକ୍ଷମ ହେବ, ସ୍ଥାନୀୟ କୃଷକମାନେ ଉପକୃତ ହେବେ ଏବଂ ବ୍ୟବସାୟ କରିବାର ମାଧ୍ୟମରେ ଉଲ୍ଲେଖନୀୟ ଭାବରେ ସୁଧାର “ଏହି ଆଧୁନିକ ଲଜିଷ୍ଟିକ୍ସ ନେଟୱର୍କ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ଶିଳ୍ପଗୁଡ଼ିକୁ ଉନ୍ନତ ସଂଯୋଗୀକରଣ ମିଳିବ, ଆମ କୃଷକମାନେ ବହୁତ ଉପକୃତ ହେବେ ଏବଂ ‘ବ୍ୟବସାୟ କରିବାର ସହଜତା’ ମଧ୍ୟ ଆହୁରି ବୃଦ୍ଧି ପାଇବ” ବୋଲି ଶ୍ରୀ ମୋଦୀ କହିଥିଲେ।

 

ରାଜ୍ୟର ଅଗ୍ରଗାମୀ ଚିନ୍ତାଧାରା ଏବଂ ନବସୃଜନ ପ୍ରତି ଐତିହାସିକ ପ୍ରବୃତ୍ତିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆନ୍ଧ୍ରପ୍ରଦେଶର ଯୁବପିଢ଼ି ସଫ୍ଟୱେର ଏବଂ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ପ୍ରତିଭାର ପରିଚୟ ଦେଇଆସୁଛନ୍ତି। ସେ କହିଥିଲେ ଯେ, ଏହି ଅପାର ପ୍ରତିଭାକୁ ରାଜ୍ୟର ବିକାଶ ପାଇଁ ସିଧାସଳଖ ଭାବେ ଉପଯୋଗ କରିବାକୁ ସରକାର ଦୃଢ଼ ସଂକଳ୍ପବଦ୍ଧ।

 

ଦେଶର ପ୍ରତିଭାବାନ ଯୁବଶକ୍ତିକୁ ଦେଶ ମଧ୍ୟରେ ରଖି ସେମାନଙ୍କ ପ୍ରତିଭାର ସର୍ବାଧିକ ଉପଯୋଗ କରିବାର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଭବିଷ୍ୟତମୁଖୀ ପ୍ରଯୁକ୍ତି ଶିଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ସେ କହିଥିଲେ ଯେ, ବିଶାଖାପାଟଣାରେ ନୂତନ ‘ସେମିକଣ୍ଡକ୍ଟର କାରଖାନା’ର ଶିଳାନ୍ୟାସ ଏହି ଦିଗରେ ଏକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। “ଆମର ପ୍ରତିଭାବାନ ଯୁବଶକ୍ତିଙ୍କ ସାମର୍ଥ୍ୟର ସର୍ବାଧିକ ଉପଯୋଗ କରିବା ପାଇଁ ବର୍ତ୍ତମାନ ଆମର ପ୍ରମୁଖ ସ୍ମାରକୀ ସେମିକଣ୍ଡକ୍ଟର ପରି ଭବିଷ୍ୟତମୁଖୀ ପ୍ରଯୁକ୍ତି ଶିଳ୍ପ ଉପରେ କେନ୍ଦ୍ରିତ ରହିଛି” ବୋଲି ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ। 

 

ରାଜ୍ୟରେ ଏକ ବୈପ୍ଳବିକ ଶିଳ୍ପ ପରିବର୍ତ୍ତନର ପରିକଳ୍ପନା ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସଫ୍ଟୱେର କ୍ଷେତ୍ରରେ ନିଜର ସଫଳତା ସହିତ ଆନ୍ଧ୍ରପ୍ରଦେଶ ଏବେ ଏକ ପ୍ରମୁଖ ଉତ୍ପାଦନ (ମ୍ୟାନୁଫ୍ୟାକ୍ଚରିଂ) କେନ୍ଦ୍ରରେ ପରିଣତ ହେବ। ଏହା ଫଳରେ ଭବିଷ୍ୟତମୁଖୀ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବା ସହ ପ୍ରଯୁକ୍ତି ଶିଳ୍ପ ପାଇଁ ଏକ ନୂତନ ପରିବେଶ ମଧ୍ୟ ଗଠନ ହେବ। “ଏହି ରଣନୀତିକ ପରିବର୍ତ୍ତନ ରାଜ୍ୟରେ ଭବିଷ୍ୟତମୁଖୀ ରୋଜଗାର ସୃଷ୍ଟି କରିବା ସହ ପ୍ରଯୁକ୍ତି ଶିଳ୍ପ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ପରିବେଶ ସୃଷ୍ଟି କରିବ” ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। 

 

ବିଶ୍ୱସ୍ତରୀୟ ଆର୍ଥିକ ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକର ଜଟିଳ ଯନ୍ତ୍ରକୌଶଳ ସମ୍ପର୍କରେ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେବଳ କାରଖାନା ସ୍ଥାପନ କରିଦେଲେ ହିଁ ଔଦ୍ୟୋଗିକ ବିକାଶ ସମ୍ଭବ ନୁହେଁ। ଏଥିପାଇଁ ଏକ ସମନ୍ୱିତ ଔଦ୍ୟୋଗିକ ପରିବେଶ ଏବଂ ସହାୟକ ଇକୋସିଷ୍ଟମ୍‌ର ଆବଶ୍ୟକତା ରହିଛି। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ସେହିଭଳି ଏକ ଅନୁକୂଳ ଔଦ୍ୟୋଗିକ ପରିବେଶ ସୃଷ୍ଟି କରାଯାଉଛି। “ଏହି ଦିନରାତି କଠିନ ପରିଶ୍ରମର ପରିଣାମ ସ୍ୱରୂପ ଆଜି ବିଶ୍ୱର ଅନେକ ବଡ଼ ବଡ଼ କମ୍ପାନୀ ଏଠାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି” ବୋଲି ଶ୍ରୀ ମୋଦୀ ମତ ପ୍ରକାଶ କରିଥିଲେ।

 

ଉନ୍ନତ ପ୍ରଯୁକ୍ତି ଭିତ୍ତିଭୂମିର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ‘କୃତ୍ରିମ ବୁଦ୍ଧିମତ୍ତା (ଏଆଇ)’ ଏବଂ ‘ଡାଟା ସେଣ୍ଟର’ କ୍ଷେତ୍ରରେ ମଧ୍ୟ ଦ୍ରୁତ ଅଗ୍ରଗତି ହେଉଛି। ସେ ‘ଗୁଗୁଲ୍‌’ ପକ୍ଷରୁ ୧୫ ବିଲିୟନ୍‌ ଆମେରିକୀୟ ଡଲାର ମୂଲ୍ୟର କ୍ୟାମ୍ପସ ସ୍ଥାପନ ଘୋଷଣାର ଉଲ୍ଲେଖ କରି କହିଥିଲେ ଯେ, ଏହା ଆନ୍ଧ୍ରପ୍ରଦେଶ ପ୍ରତି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବଢ଼ୁଥିବା ଆଗ୍ରହର ଏକ ସ୍ପଷ୍ଟ ପ୍ରମାଣ, ଯାହା ରାଜ୍ୟ ଏବଂ ଦେଶର ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ। “ବିଶ୍ୱର ଆହୁରି ଅନେକ ବଡ଼ କମ୍ପାନୀ ଏଠାରେ ଅବିଶ୍ୱସନୀୟ ନୂତନ ସମ୍ଭାବନା ଦେଖୁଛନ୍ତି, ଯାହା ରାଜ୍ୟ ଏବଂ ଦେଶର ଯୁବପିଢ଼ିଙ୍କୁ ବହୁମାତ୍ରାରେ ଉପକୃତ କରିବ” ବୋଲି ଶ୍ରୀ ମୋଦୀ ଦୃଢୋକ୍ତି ପ୍ରକାଶ କରିଥିଲେ। 

 

ଡିଜିଟାଲ ପ୍ରଯୁକ୍ତି କ୍ଷେତ୍ର ବ୍ୟତୀତ ରାଜ୍ୟର ଔଦ୍ୟୋଗିକ ବିକାଶର ପରିସରକୁ ଆହୁରି ବିସ୍ତାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ନକ୍କାପଲ୍ଲୀରେ ପ୍ରସ୍ତାବିତ ବୃହତ୍ ଫାର୍ମା ପାର୍କ’ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରାଯାଉଛି। ଏହା ଫଳରେ ଆନ୍ଧ୍ରପ୍ରଦେଶ ଦେଶର ଅଗ୍ରଣୀ ଔଷଧ ଉତ୍ପାଦନ କେନ୍ଦ୍ର (ଫାର୍ମା ହବ୍‌) ଭାବେ ଗଢ଼ିଉଠିବ। “ଏହି ସହଯୋଗ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ଖୁବ୍‌ ଶୀଘ୍ର ଦେଶର ସବୁଠୁ ବଡ଼ ଫାର୍ମା ହବ୍‌ମାନଙ୍କ ମଧ୍ୟରୁ ଗୋଟିଏରେ ପରିଣତ ହେବ” ବୋଲି ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ।

 

ନବୀକରଣୀୟ ଶକ୍ତି କ୍ଷେତ୍ରର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ରାୟଲସୀମା ଅଞ୍ଚଳ’ କେବଳ ଏକାକୀ ‘୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ’ ଆକର୍ଷିତ କରିଛି। ସେ କହିଥିଲେ ଯେ, ଏହି ସମସ୍ତ ମହତ୍ୱାକାଂକ୍ଷୀ ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। “ଏଭଳି ପ୍ରତ୍ୟେକ ବିଶାଳ ସମ୍ଭାବନାକୁ ବାସ୍ତବରେ ପରିଣତ କରିବା ପାଇଁ ଆମ ସରକାର ଦିନରାତି କାମ କରିଚାଲିବ” ବୋଲି ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ।

 

ସମସ୍ତ କ୍ଷେତ୍ରରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଦ୍ରୁତ ଅଗ୍ରଗତିର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେବଳ ତାଙ୍କର ଗତ ତିନିଟି ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ‘୨ ଲକ୍ଷ କୋଟି ଟଙ୍କା’ରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେ କହିଥିଲେ ଯେ, ଏହି ବିଶାଳ ପ୍ରକଳ୍ପଗୁଡ଼ିକରୁ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କାର୍ଯ୍ୟ କେତେ ଦ୍ରୁତ ଗତିରେ ଆଗେଇ ଚାଲିଛି, ତାହା ସହଜରେ ଅନୁମାନ କରାଯାଇପାରେ। “ନିକଟ ଅତୀତରେ ଆରମ୍ଭ ହୋଇଥିବା ଏହି ବିଶାଳ ପ୍ରକଳ୍ପଗୁଡ଼ିକରୁ ଆପଣମାନେ ସହଜରେ ବୁଝିପାରିବେ ଯେ, ପ୍ରତ୍ୟେକ କ୍ଷେତ୍ରରେ କାମ କେତେ ଦ୍ରୁତ ଗତିରେ ଚାଲିଛି” ବୋଲି ଶ୍ରୀ ମୋଦୀ କହିଥିଲେ।

 

ବିକାଶର ଏହି ବ୍ୟାପକ ଯାତ୍ରାରେ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକର ସଶକ୍ତୀକରଣ ଉପରେ ଗଭୀର ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ ‘ବିଶାଖାପାଟଣା ଆର୍ଥିକ ଅଞ୍ଚଳ’କୁ ଏସିଆର ଏକ ପ୍ରମୁଖ ଆର୍ଥିକ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାରଙ୍କ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ନୂତନ ଭିତ୍ତିଭୂମି ଓ ସୁବିଧା ଏହି ଏକକ ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହେବ। “ଆମର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ବିଶାଖାପାଟଣା ଆର୍ଥିକ ଅଞ୍ଚଳକୁ ଏସିଆର ସବୁଠୁ ପ୍ରମୁଖ ଆର୍ଥିକ କେନ୍ଦ୍ରରେ ପରିଣତ କରିବା” ବୋଲି ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ। 

 

ସରକାରଙ୍କ ଆର୍ଥିକ ନୀତିର ମୂଳ ଦର୍ଶନ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିବେଶକୁ ସିଧାସଳଖ ରୋଜଗାରରେ ପରିଣତ କରିବା ହିଁ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ। ସେ କହିଥିଲେ ଯେ, ସରକାରୀ ଏବଂ ଘରୋଇ ନିବେଶ ବୃଦ୍ଧି ପାଇଲେ ଉତ୍ପାଦନ କ୍ଷେତ୍ରର ସମ୍ପ୍ରସାରଣ ହୁଏ, ରପ୍ତାନୀ ବୃଦ୍ଧି ପାଏ ଏବଂ ଶେଷରେ ଲୋକଙ୍କ ଆୟ ସହିତ ଜୀବନଧାରଣର ମାନ ମଧ୍ୟ ଉନ୍ନତ ହୋଇଥାଏ। ସେ କହିଥିଲେ ଯେ, ଆନ୍ଧ୍ରପ୍ରଦେଶରେ ଏହି ବିକାଶମୂଳକ ଚକ୍ର ବର୍ତ୍ତମାନ ସଫଳତାର ସହ ଆଗକୁ ବଢ଼ୁଛି। “ଯେତେବେଳେ ରୋଜଗାର ବୃଦ୍ଧି ପାଏ, ସେତେବେଳେ ଲୋକଙ୍କ ଆୟ ସ୍ୱାଭାବିକ ଭାବେ ବଢ଼ିଥାଏ ଏବଂ ପରିବାରଗୁଡ଼ିକର ଦୈନନ୍ଦିନ ଜୀବନରେ ଉଲ୍ଲେଖନୀୟ ସୁଧାର ଆସିଥାଏ” ବୋଲି ଶ୍ରୀ ମୋଦୀ କହିଥିଲେ।

 

ନିଜ ଅଭିଭାଷଣର ସମାପ୍ତିରେ ଏହି ଅଞ୍ଚଳର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଦୃଢ଼ ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ‘ସ୍ୱର୍ଣ୍ଣ ଆନ୍ଧ୍ର’ ଏବଂ ‘ବିକଶିତ ଭାରତ’ର ମହାନ ସଂକଳ୍ପ ପୂରଣ କରିବାରେ ଦୃଢ଼ ମୂଳଦୁଆ ଭାବେ କାର୍ଯ୍ୟ କରିବ। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ଆନ୍ଧ୍ରପ୍ରଦେଶର ସର୍ବାଙ୍ଗୀନ ବିକାଶକୁ ନୂତନ ଗତି ପ୍ରଦାନ କରିବା ସହିତ ବିକଶିତ ଭାରତ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। 

*****

MT