ଯେକୌଣସି ଦେଶର ବିକାଶ ଯାତ୍ରାରେ ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି; ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପ୍ରଗତି, ନିଯୁକ୍ତି ଓ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି କରେ: ପ୍ରଧାନମନ୍ତ୍ରୀ
ବିକାଶର ସୁଯୋଗ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିଲେ ଦାରିଦ୍ର୍ୟ ବିରୋଧୀ ଲଢ଼େଇ ଆହୁରି ମଜଭୁତ ହୁଏ; ଏହାର ପ୍ରତ୍ୟକ୍ଷ ଫଳ ସ୍ୱରୂପ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ନାଗରିକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି: ପ୍ରଧାନମନ୍ତ୍ରୀ
ଦିଲ୍ଲୀ-ଏନସିଆର ଓ ମୁମ୍ବାଇ ମହାନଗର ଅଞ୍ଚଳ ପରେ ବେଙ୍ଗାଲୁରୁ ଦେଶର ତୃତୀୟ ସହର ଭାବେ ମେଟ୍ରୋ ନେଟୱର୍କରେ ୧୦୦ କିଲୋମିଟର ମାଇଲଖୁଣ୍ଟ ଅତିକ୍ରମ କରିଛି: ପ୍ରଧାନମନ୍ତ୍ରୀ
ନମ୍ମା ମେଟ୍ରୋର ସଫଳତା କେବଳ ଗୋଟିଏ ପ୍ରକଳ୍ପର ସଫଳତା ନୁହେଁ; ଏହା ସହଜ ଜୀବନଯାପନ ଓ ସହଜ ଯାତ୍ରା ପାଇଁ ଦେଶର ନୂଆ ଚିନ୍ତାଧାରାର ଏକ ଶକ୍ତିଶାଳୀ ପ୍ରତିଫଳନ: ପ୍ରଧାନମନ୍ତ୍ରୀ
କିଛି ଦିନ ପୂର୍ବରୁ କର୍ଣ୍ଣାଟକ ରାଜ୍ୟର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ପାଇଥିଲା; ଆଜି କର୍ଣ୍ଣାଟକକୁ ଗୋଆ ସହ ସଂଯୋଗ କରୁଥିବା ଆଉ ଏକ ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ କରାଯାଇଛି: ପ୍ରଧାନମନ୍ତ୍ରୀ
ଚିପ୍ରୁ ଜାହାଜ ଏବଂ ଏଆଇ ଓ ଡାଟା ସେଣ୍ଟରରୁ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ ଲକ୍ଷ୍ୟ ନେଇ ଆଜି ଭାରତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ୧୫,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଲୋକାର୍ପଣ, ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କନ୍ନଡ ଭାଷାରେ ଅଭିବାଦନ ଜଣାଇବା ସହ ସହରର ଅଧିଷ୍ଠାତ୍ରୀ ଦେବୀ ଅନ୍ନମ୍ମା ତାଇ ଏବଂ ନାଡପ୍ରଭୁ କେମ୍ପେଗୌଡ଼ାଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ ଯୋଗାଯୋଗ ବ୍ୟବସ୍ଥା ଓ ଶକ୍ତି ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବେଙ୍ଗାଲୁରୁ ଓ କର୍ଣ୍ଣାଟକର ବିକାଶ ଯାତ୍ରାକୁ ନୂଆ ଗତି ଦେବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। “ମେଟ୍ରୋ ଓ ରେଳ ସମ୍ବନ୍ଧୀୟ ପ୍ରକଳ୍ପଠାରୁ ଆରମ୍ଭ କରି ଶକ୍ତି ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପର୍ଯ୍ୟନ୍ତ, ଏହି ସମସ୍ତ ପ୍ରକଳ୍ପ କର୍ଣ୍ଣାଟକର ଭିତ୍ତିଭୂମିକୁ ନୂଆ ଶକ୍ତି ପ୍ରଦାନ କରିବ,” ଶ୍ରୀ ମୋଦୀ କହିଥିଲେ।
ଭିତ୍ତିଭୂମି ଓ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପ୍ରଗତି, ନିଯୁକ୍ତି ଓ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥାଏ। ଏହାଦ୍ୱାରା ସମାଜର ପ୍ରତ୍ୟେକ ବର୍ଗ ଉପକୃତ ହେବା ସହ ଦାରିଦ୍ର୍ୟ ବିରୋଧୀ ଲଢ଼େଇ ଆହୁରି ମଜଭୁତ ହୋଇଥାଏ। ଏହାର ପ୍ରତିଫଳନ ସ୍ୱରୂପ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ନାଗରିକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ନୂତନ ଭାବେ ଶୁଭାରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। “ବିକଶିତ କର୍ଣ୍ଣାଟକ ମାଧ୍ୟମରେ ବିକଶିତ ଭାରତ ନିର୍ମାଣକୁ ଏହି ପ୍ରକଳ୍ପଗୁଡ଼ିକ ନୂଆ ଗତି ଦେବା ସହ ‘ଟେକ୍ସିଟି’ ଭାବେ ବେଙ୍ଗାଲୁରୁର ପରିଚୟକୁ ଆହୁରି ମଜଭୁତ କରିବ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହା ପୂର୍ବରୁ ବେଙ୍ଗାଲୁରୁ ମେଟ୍ରୋର ନୂତନ ପିଙ୍କ୍ ଲାଇନର ଲୋକାର୍ପଣ କରାଯାଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ମେଟ୍ରୋ କରିଡର୍ ଆଇଆଇଏମ୍ ବେଙ୍ଗାଲୁରୁ, ଅନେକ ଶିକ୍ଷାନୁଷ୍ଠାନ ଏବଂ ସହରର ପ୍ରମୁଖ ବ୍ୟବସାୟିକ, ବୈଷୟିକ ଓ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ଯୋଗାଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। “ବେଙ୍ଗାଲୁରୁର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯାତାୟାତ କେବଳ ସୁବିଧାଜନକ ହେବ ନାହିଁ, ବରଂ ସେମାନଙ୍କର ସମୟ ଓ ଅର୍ଥ ମଧ୍ୟ ସଞ୍ଚୟ ହୋଇପାରିବ,” ସେ କହିଥିଲେ।
ଗତକାଲି ଏହି ଅଞ୍ଚଳ ସହ ଗଭୀର ସମ୍ପର୍କ ରଖିଥିବା ସ୍ୱର୍ଗତ ଅନନ୍ତ କୁମାରଙ୍କ ଶ୍ରାଦ୍ଧଦିବସ ଥିଲା ବୋଲି ସ୍ମରଣ କରି ପ୍ରଧାନମନ୍ତ୍ରୀ ଦିବଂଗତ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ଏହି ମେଟ୍ରୋ ଲାଇନକୁ ଦେଖି ତାଙ୍କ ଆତ୍ମା ମଧ୍ୟ ଆନନ୍ଦିତ ହେଉଥିବ ବୋଲି ଶ୍ରୀ ମୋଦୀ କହିଥିଲେ।
ବେଙ୍ଗାଲୁରୁକୁ ଭାରତର ସିଲିକନ୍ ଭ୍ୟାଲି ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ମୋଟ ସୂଚନା ପ୍ରଯୁକ୍ତିବିଦ୍ୟା ରପ୍ତାନିର ଏକ ତୃତୀୟାଂଶରୁ ଅଧିକ ଏହି ସହରରୁ ହୋଇଥାଏ। ଏହା ନବସୃଜନ ଓ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ କେନ୍ଦ୍ର। କେନ୍ଦ୍ର ସରକାର ବେଙ୍ଗାଲୁରୁ ଅଞ୍ଚଳର ଦ୍ରୁତ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ୨୦୧୪ରେ ମାତ୍ର ୧୭ କିଲୋମିଟର ଥିବା ନମ୍ମା ମେଟ୍ରୋ ନେଟୱର୍କ ଏବେ ୧୦୦ କିଲୋମିଟରରୁ ଅଧିକ ହୋଇଛି। ଏହାଦ୍ୱାରା ଦିଲ୍ଲୀ-ଏନ୍ସିଆର୍ ଓ ମୁମ୍ବାଇ ମହାନଗର ଅଞ୍ଚଳ ପରେ ବେଙ୍ଗାଲୁରୁ ଦେଶର ତୃତୀୟ ସହର ଭାବେ ଏହି ମାଇଲଖୁଣ୍ଟ ହାସଲ କରିଛି। “ନମ୍ମା ମେଟ୍ରୋର ଏହି ସଫଳତା ସହଜ ଜୀବନଯାପନ ଓ ସୁବିଧାଜନକ ଯାତ୍ରା ସମ୍ପର୍କରେ ଦେଶର ନୂତନ ଚିନ୍ତାଧାରା ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପରିଣାମ’’ ଶ୍ରୀ ମୋଦୀ କହିଥିଲେ।
ଭାରତୀୟ ରେଳବାଇ ଔପନିବେଶିକ ଯୁଗର ମାନସିକତାରୁ ବାହାରି ଏକ ନୂତନ ପରମ୍ପରା ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବନ୍ଦେ ଭାରତ ଟ୍ରେନ୍ ଓ ଅମୃତ ଭାରତ ଷ୍ଟେସନ୍ ମାଧ୍ୟମରେ ରେଳ ଷ୍ଟେସନ୍, ଇଞ୍ଜିନ୍ ଓ ରେଳଡବାଗୁଡ଼ିକରେ ଭାରତର ନିଜସ୍ୱ ପରିଚୟ ପ୍ରତିଫଳିତ ହେଉଛି। କର୍ଣ୍ଣାଟକରେ ଏଭଳି ୬୦ରୁ ଅଧିକ ଷ୍ଟେସନ୍ ରହିଥିବା ବେଳେ ଚାମରାଜନଗର, ଚିକ୍କମାଗାଲୁରୁ, ସାକଲେଶପୁର ଓ ସୁବ୍ରମଣ୍ୟ ରୋଡ୍ ଭଳି ଷ୍ଟେସନଗୁଡ଼ିକରେ ଆଧୁନିକତା ସହ ସମ୍ବେଦନଶୀଳତାର ସମନ୍ୱୟ ରଖାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଜନଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଛି। “ପୂର୍ବରୁ ବିମାନବନ୍ଦରରେ ମିଳୁଥିବା ସୁବିଧା ଏବେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ରେଳ ଷ୍ଟେସନଗୁଡ଼ିକରେ ଯୋଗାଇଦେବାକୁ ଉଦ୍ୟମ କରାଯାଉଛି’’ ଶ୍ରୀ ମୋଦୀ କହିଥିଲେ।
ଗତ ୧୦ରୁ ୧୨ ବର୍ଷ ମଧ୍ୟରେ ଭାରତୀୟ ରେଳବାଇର ବଜେଟରେ ଅନେକ ଗୁଣ ବୃଦ୍ଧି ହୋଇଥିବା ବେଳେ କର୍ଣ୍ଣାଟକ ପାଇଁ ରେଳ ବଜେଟ୍ ଆବଣ୍ଟନ ୯ ଗୁଣ ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ରାଜ୍ୟକୁ ୪ଟି ଅମୃତ ଭାରତ ଷ୍ଟେସନ୍, ରେଳ ଲାଇନ୍ ଦୋହରୀକରଣ ଓ ବିଦ୍ୟୁତୀକରଣ ସମ୍ବନ୍ଧୀୟ ୨ଟି ପ୍ରକଳ୍ପ ମିଳିଛି। ଏହା ସହ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ପାଇବାର କିଛି ଦିନ ପରେ କର୍ଣ୍ଣାଟକକୁ ଗୋଆ ସହ ସଂଯୋଗ କରୁଥିବା ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ମିଳିଛି। “ଏହି ଟ୍ରେନ୍ ମାଧ୍ୟମରେ ମାଙ୍ଗାଲୁରୁ ସମେତ କର୍ଣ୍ଣାଟକର ସମଗ୍ର ଉପକୂଳ ଅଞ୍ଚଳର ଯାତ୍ରୀମାନେ ଅର୍ଦ୍ଧ-ଦ୍ରୁତଗାମୀ ଟ୍ରେନ୍ରେ ଯାତ୍ରାର ନୂଆ ଅନୁଭୂତି ପାଇବେ’’ ଶ୍ରୀ ମୋଦୀ କହିଥିଲେ।
ଇରାନ ଓ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ଶକ୍ତି ସୁରକ୍ଷାର ଗୁରୁତ୍ୱକୁ ପ୍ରମାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଏ କ୍ଷେତ୍ରରେ ନେଇଥିବା ପଦକ୍ଷେପ ଯୋଗୁଁ ଏଭଳି ଆହ୍ୱାନପୂର୍ଣ୍ଣ ସ୍ଥିତିର ଦୃଢ଼ତାର ସହ ମୁକାବିଲା କରିପାରିଛି। ପେଟ୍ରୋଲ, ଡିଜେଲ ଓ ଏଲପିଜି ଉତ୍ପାଦନ ବୃଦ୍ଧି, ଅଶୋଧିତ ତୈଳ ସଂରକ୍ଷଣ, ସୌର, ଜଳ ଓ ପବନ ଶକ୍ତିର ବିକାଶ, ରେଳପଥର ପ୍ରାୟ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଏବଂ ମେଟ୍ରୋ ନେଟୱର୍କର ସମ୍ପ୍ରସାରଣ ଏଥିରେ ସହାୟକ ହୋଇଛି। ଏହି ଅବସରରେ ସେ କର୍ଣ୍ଣାଟକରେ ତିନୋଟି ନୂଆ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମାଙ୍ଗାଲୁରୁ ଏଲପିଜି ପ୍ରକଳ୍ପ ମାଧ୍ୟମରେ ୮୦ ହଜାର ମେଟ୍ରିକ୍ ଟନ୍ ଅତିରିକ୍ତ ଗ୍ୟାସ୍ ସଂରକ୍ଷଣ କ୍ଷମତା ସୃଷ୍ଟି ହେବ। ଦେବନଗୋନ୍ଥି ମାର୍କେଟିଂ ଟର୍ମିନାଲ୍ ମାଧ୍ୟମରେ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଯୋଗାଣ ବ୍ୟବସ୍ଥା ସୁଗମ ହେବ। ସେହିପରି ବେଙ୍ଗାଲୁରୁରେ ଥିବା ସିବିଜି ପ୍ଲାଣ୍ଟରେ ଦୈନିକ ୧୩ ଟନ୍ ବାୟୋଗ୍ୟାସ୍ ଉତ୍ପାଦନ ହେବ। “ଏହାଦ୍ୱାରା ଆବର୍ଜନା ପରିଚାଳନାରେ ଉନ୍ନତି ଆସିବା ସହ ପ୍ରାକୃତିକ ଗ୍ୟାସ୍ ଆମଦାନୀ ବାବଦରେ ହେଉଥିବା ଖର୍ଚ୍ଚ ସଞ୍ଚୟ ହେବ’’ ସେ କହିଥିଲେ।
ଚିପରୁ ଜାହାଜ ଏବଂ କୃତ୍ରିମ ବୁଦ୍ଧିମତ୍ତା, ଡାଟା ସେଣ୍ଟରରୁ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ବିଭିନ୍ନ ନୂତନ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ ହାସଲ ପାଇଁ ଭାରତ ଉଦ୍ୟମ କରୁଥିବାରୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଉତ୍ପାଦନ ଅତ୍ୟନ୍ତ ଜରୁରୀ। ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ ପାଇଁ ଦେଶରେ ଆଣବିକ ବିଦ୍ୟୁତ୍ କେନ୍ଦ୍ରର ସମ୍ପ୍ରସାରଣ କରାଯାଉଛି। ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ଆଜି ୩୦୦ ଗିଗାୱାଟ୍ ଅତିକ୍ରମ କରିଛି ବୋଲି ଶ୍ରୀ ମୋଦୀ କହିଥିଲେ।
କେନ୍ଦ୍ରୀୟ ଯୋଜନାଗୁଡ଼ିକ ଭାରତୀୟ ନାଗରିକଙ୍କୁ ବିଦ୍ୟୁତ୍ ଉପଭୋକ୍ତାରୁ ବିଦ୍ୟୁତ୍ ଉତ୍ପାଦକରେ ପରିଣତ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପିଏମ୍ ସୂର୍ଯ୍ୟ ଘର ମୁଫତ ବିଜୁଳି ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରାୟ ୮୦ ହଜାର ଟଙ୍କାର ସହାୟତାରେ କର୍ଣ୍ଣାଟକର ୪୦ ହଜାରରୁ ଅଧିକ ପରିବାର ସମେତ ସାରା ଦେଶର ୬୦ ଲକ୍ଷରୁ ଅଧିକ ପରିବାର ନିଜ ଘର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଛନ୍ତି। ସେହିପରି ପିଏମ୍ କୁସୁମ୍ ଯୋଜନା ଅଧୀନରେ ୮ ଲକ୍ଷରୁ ଅଧିକ ସୌରଚାଳିତ ପମ୍ପ ମାଧ୍ୟମରେ କର୍ଣ୍ଣାଟକର କୃଷକଙ୍କ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇବା ସହ ନୂଆ ଆୟ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। “ଅର୍ଥାତ୍ କର୍ଣ୍ଣାଟକର ଅନ୍ନଦାତାମାନେ ଏବେ ଉର୍ଜାଦାତା ମଧ୍ୟ ହେବାକୁ ଯାଉଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
୨୦୧୪ ପରବର୍ତ୍ତୀ ‘ସବକା ସାଥ୍, ସବକା ବିକାଶ’ ସଂକଳ୍ପ ଅନୁଯାୟୀ ଉଦ୍ଦେଶ୍ୟମୂଳକ ଜାତୀୟ କାର୍ଯ୍ୟକାରିତା, ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ କରଦାତାଙ୍କ ଅର୍ଥର ସଠିକ୍ ବିନିଯୋଗ ଦ୍ୱାରା ମଧ୍ୟବିତ୍ତ ବର୍ଗର ସମ୍ପ୍ରସାରଣ ହୋଇଛି ଏବଂ ଏକ ନୂଆ ଆକାଂକ୍ଷୀ ବର୍ଗର ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ବର୍ଗ ଘରୋଇ ଉପକରଣ, ଦୁଇଚକିଆ ଯାନ, ଗୁଣାତ୍ମକ ଶିକ୍ଷା, ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ ଅନୁଭୂତି ଭଳି ସୁବିଧା ଓ ସେବା ପାଇଁ ଆଗ୍ରହୀ। ଏହି ବର୍ଦ୍ଧିତ ଆକାଂକ୍ଷା ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ଓ ସେବା କ୍ଷେତ୍ରରେ ନୂଆ ଶିଳ୍ପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଏହାଦ୍ୱାରା ନବ୍ୟ-ମଧ୍ୟବିତ୍ତ ବର୍ଗ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ଚାଳକ ଶକ୍ତି ପାଲଟିଛି। “କର୍ଣ୍ଣାଟକ ଓ ବେଙ୍ଗାଲୁରୁରେ ବହୁ ସଂଖ୍ୟାରେ ଥିବା ଏହି ନବ୍ୟ-ମଧ୍ୟବିତ୍ତ ବର୍ଗର ସ୍ୱାର୍ଥରକ୍ଷା କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରାଥମିକତା ମଧ୍ୟରୁ ଅନ୍ୟତମ,” ବୋଲି ଶ୍ରୀ ମୋଦୀ କହିଥିଲେ।
ମଧ୍ୟବିତ୍ତ ପରିବାରର ସଞ୍ଚୟ ବୃଦ୍ଧି କରିବା ଏବଂ ସେମାନଙ୍କ ହାତରେ ଅଧିକ ବଳକା ଅର୍ଥ ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ଏଥିପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆୟକରମୁକ୍ତ କରିବା, ବରିଷ୍ଠ ନାଗରିକ ଓ ଭଡ଼ାରୁ ଆୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ଦେବା ପାଇଁ ଟିଡିଏସ୍ ନିୟମରେ ସଂଶୋଧନ ଏବଂ ନୂତନ ପିଢ଼ିର ଜିଏସଟି ସଂସ୍କାର ମାଧ୍ୟମରେ ଦୈନନ୍ଦିନ ବ୍ୟବହାର ସାମଗ୍ରୀର ମୂଲ୍ୟ ହ୍ରାସ ଭଳି ପଦକ୍ଷେପ ଏଥିରେ ସାମିଲ ରହିଛି। “ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରୁ ଜିଏସଟି ଉଚ୍ଛେଦ କରି ଆମେ ବୀମାକୁ ଅଧିକ ସୁଲଭ କରିଛୁ,” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
କର୍ଣ୍ଣାଟକରେ ଆଜି ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଦେଶର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି କହିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଶେଷ କରିଥିଲେ। ମଧ୍ୟବିତ୍ତ ପରିବାରକୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ଆମର ପ୍ରୟାସ ହେଉଛି, ମଧ୍ୟବିତ୍ତ ବର୍ଗର ସଞ୍ଚୟ ବୃଦ୍ଧି ପାଉ, ସେମାନଙ୍କ କ୍ରୟ କ୍ଷମତା ମଜଭୁତ ହେଉ ଏବଂ ପରିବାରର ସ୍ୱପ୍ନ ପୂରଣ କରିବା ସହ ସେମାନେ ଦେଶର ଆର୍ଥିକ ପ୍ରଗତିରେ ମଧ୍ୟ ଭାଗୀଦାର ହୁଅନ୍ତୁ’’ ଶ୍ରୀ ମୋଦୀ କହିଥିଲେ।
***
TKM
A major boost to Karnataka's growth! Projects worth over ₹15,000 crore are being launched today to strengthen connectivity and energy security. https://t.co/jfMwD06wCK
— Narendra Modi (@narendramodi) November 13, 2026
किसी भी देश की विकास यात्रा में infrastructure की बहुत बड़ी भूमिका होती है। बेहतर connectivity तरक्की, रोजगार और उद्योग सबकी नई संभावनाएं बनाती है। और जब विकास के ये अवसर समाज के हर वर्ग तक पहुंचते हैं, तो गरीबी के खिलाफ लड़ाई भी मजबूत होती है। इसी का परिणाम है कि बीते वर्षों में देश के करीब 50 करोड़ नागरिक भीषण गरीबी से बाहर आए हैं: PM @narendramodi
— PMO India (@PMOIndia) November 13, 2026
दिल्ली-NCR और मुंबई-मेट्रोपॉलिटन रीजन के बाद बेंगलुरू, देश का तीसरा शहर बना है जहां मेट्रो नेटवर्क की सेंचुरी लगी है। नम्मा मेट्रो की ये सफलता केवल एक प्रोजेक्ट तक सीमित नहीं है। ये Ease of Living को लेकर, Ease of Travel को लेकर देश की नई सोच का परिणाम है: PM @narendramodi
— PMO India (@PMOIndia) November 13, 2026
कुछ दिन पहले कर्नाटका को राज्य की पहली वंदे भारत स्लीपर ट्रेन मिली थी और आज कर्नाटका को गोवा से जोड़ने वाली वंदे भारत ट्रेन मिली है: PM @narendramodi
— PMO India (@PMOIndia) November 13, 2026
आज भारत chip से लेकर ship तक, AI, data centres से लेकर quantum computing तक... नई technology में नेतृत्व का लक्ष्य लेकर आगे बढ़ रहा है: PM @narendramodi
— PMO India (@PMOIndia) November 13, 2026