Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେଙ୍ଗାଲୁରୁସ୍ଥିତ ପ୍ରଶାନ୍ତି କୁଟୀରମ୍‌ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ବେଙ୍ଗାଲୁରୁସ୍ଥିତ ପ୍ରଶାନ୍ତି କୁଟୀରମ୍‌ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଏଲାର୍ଗୁ ନାନ୍ ନମସ୍କାରଗଲୁ! (ସମସ୍ତଙ୍କୁ ମୋର ନମସ୍କାର!)

 

କର୍ଣ୍ଣାଟକର ରାଜ୍ୟପାଳ ସୁଧା ଯାଦବ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ଆମ ସମସ୍ତଙ୍କ ମାର୍ଗଦର୍ଶକ ଶ୍ରୀ ଦତ୍ତାତ୍ରେୟ ହୋସବାଲେ, ଏସ୍‌-ବ୍ୟାସାର ଅଧ୍ୟକ୍ଷ ଡକ୍ଟର ଏଚ୍‌.ଆର୍‌. ନାଗେନ୍ଦ୍ର, ଉପାଧ୍ୟକ୍ଷ ଡକ୍ଟର ଆର୍‌. ନାଗରତ୍ନା, କୁଳାଧିପତି ଏଚ୍‌.ଆର୍‌. ଦୟାନନ୍ଦ ସ୍ୱାମୀ, କୁଳପତି ମଞ୍ଜୁନାଥ ଏନ୍‌.କେ., ସାଂସଦ ଶ୍ରୀ ସି.ଏନ୍‌. ମଞ୍ଜୁନାଥ, ଦକ୍ଷିଣ କୋରିଆର ମରିୟାଙ୍ଗ ସହରର ମେୟର, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ଅତିଥିବୃନ୍ଦ ତଥା ଏଠାରେ ଉପସ୍ଥିତ ସମସ୍ତ ମହିଳା ଓ ଭଦ୍ରବ୍ୟକ୍ତିଗଣ!

 

ଆଜି ବେଙ୍ଗାଲୁରୁଠାରେ ମୋତେ ଯୋଗର ଅବିଶ୍ୱସନୀୟ ଓ ଅଦ୍ଭୁତ ଶକ୍ତିକୁ ଅନୁଭବ କରିବାର ସୁଯୋଗ ମିଳୁଛି। କର୍ଣ୍ଣାଟକର ଏହି ଭୂମି ପ୍ରାଚୀନ କାଳରୁ ଯୋଗର ଏକ ପ୍ରମୁଖ କେନ୍ଦ୍ର ରହିଆସିଛି। ଯୋଗ ସହ ଜଡ଼ିତ ଅନେକ ଆଚାର୍ଯ୍ୟ ଓ ବିଦ୍ୱାନ ଏଠାରେ ଜନ୍ମଗ୍ରହଣ କରିଛନ୍ତି ଏବଂ ଯୋଗ ପରମ୍ପରାକୁ ସମୃଦ୍ଧ କରିଛନ୍ତି। ଆମେ ସମସ୍ତେ ଜାଣୁ ଯେ, କନ୍ନଡ଼ ସିନେମାର ମହାନ କଳାକାର ଡକ୍ଟର ରାଜକୁମାରଙ୍କ ଭଳି ଯୋଗ ଅଭ୍ୟାସକାରୀ ବ୍ୟକ୍ତିତ୍ୱ ମଧ୍ୟ ଏଠାରେ ରହିଛନ୍ତି, ଯେଉଁମାନେ କଳାଜଗତ ସହିତ ଯୋଗ କ୍ଷେତ୍ରରେ ମଧ୍ୟ ନିଜର ଅବଦାନ ରଖିଛନ୍ତି।

 

ବନ୍ଧୁଗଣ,

କର୍ଣ୍ଣାଟକର ଏହି ମହାନ ଐତିହ୍ୟ ମଧ୍ୟରେ ପ୍ରଶାନ୍ତି କୁଟୀରମ୍‌ର ୫୦ ବର୍ଷର ଯାତ୍ରା, ସେବା ଓ ସମର୍ପଣର ଏକ ଉଲ୍ଲେଖନୀୟ ତଥା ଅଭୂତପୂର୍ବ ଗାଥା, ଯାହା ପ୍ରତ୍ୟେକ ଭାରତୀୟ ଜାଣିବା ଉଚିତ। ଏକ ସରଳ ଯୋଗ କେନ୍ଦ୍ର କିପରି ଏକ ବିଶାଳ ଆନ୍ଦୋଳନରେ ପରିଣତ ହେଲା, ତାହା ନିଜେ ନିଜ ମଧ୍ୟରେ ଏକ ପ୍ରେରଣାଦାୟକ ଉଦାହରଣ।

 

ବନ୍ଧୁଗଣ,

ଆଜି ଏହି ଅବସରରେ, ଏଠାରେ ଅନେକ ନୂତନ ସୁବିଧାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ପ୍ରୟାସଗୁଡ଼ିକ ପାଇଁ ମୁଁ ଏସ୍‌-ବ୍ୟାସା ପରିବାରକୁ ଶୁଭେଚ୍ଛା ଜଣାଉଛି। ମୁଁ ଆପଣ ସମସ୍ତଙ୍କୁ ଏବଂ ପ୍ରଶାନ୍ତି କୁଟୀରମ୍‌ ସହ ଜଡ଼ିତ ଲକ୍ଷ ଲକ୍ଷ ସାଧକଙ୍କୁ ଏହି ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ପ୍ରଶାନ୍ତି କୁଟୀରମ୍‌ର ସ୍ୱର୍ଣ୍ଣ ଜୟନ୍ତୀ ସହିତ ଚଳିତ ବର୍ଷ ଆମେ ପୂଜ୍ୟ ଏଚ୍‌.ଭି. ଶେଷାଦ୍ରୀଙ୍କ ଜନ୍ମ ଶତବାର୍ଷିକୀ ମଧ୍ୟ ପାଳନ କରୁଛୁ। ମୁଁ ତାଙ୍କୁ ଗଭୀର ଶ୍ରଦ୍ଧାର ସହିତ ପ୍ରଣାମ ଜଣାଉଛି। ଶେଷାଦ୍ରୀ ମହାଶୟ ନିଜର ସମଗ୍ର ଜୀବନ ଯାତ୍ରାରେ ‘ବ୍ୟକ୍ତିଗତ ବିକାଶ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ’ ମିଶନକୁ ଆଗକୁ ବଢ଼ାଇବା ପାଇଁ ଉତ୍ସର୍ଗ କରିଥିଲେ। ସେ ଜାଣିଥିଲେ ଯେ, ଯଦି ଦେଶକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ହୁଏ, ତେବେ ଏଥିପାଇଁ ସମର୍ପିତ, ସକ୍ଷମ ଓ ଶୃଙ୍ଖଳିତ ନାଗରିକମାନଙ୍କ ଆବଶ୍ୟକତା ରହିଛି। ଏପରି ନାଗରିକ ଗଢ଼ିତୋଳିବା ପାଇଁ ଶେଷାଦ୍ରୀ ମହାଶୟ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ରେ ରହି ସେ ଯେଉଁ ଲକ୍ଷ୍ୟ ହାସଲ କରିଥିଲେ, ଆଜି ମଧ୍ୟ କୋଟି କୋଟି ସ୍ୱୟଂସେବକ ସେଥିରୁ ପ୍ରେରଣା ଗ୍ରହଣ କରୁଛନ୍ତି।

 

ବନ୍ଧୁଗଣ,

ଆମେ ଯେତେବେଳେ ତାଙ୍କୁ ସ୍ମରଣ କରୁ, ସେତେବେଳେ ଆମ ମନରେ ସର୍ବପ୍ରଥମେ ତାଙ୍କର ସରଳ ଓ ନିଷ୍କପଟ ବ୍ୟକ୍ତିତ୍ୱର ଛବି ଉଭା ହୋଇଥାଏ। ଏବେ ଦତ୍ତା ମହାଶୟ ମଧ୍ୟ ଅତି ସୁନ୍ଦର ଶବ୍ଦରେ ତାଙ୍କର ସରଳତା ବିଷୟରେ ବର୍ଣ୍ଣନା କରିଛନ୍ତି। ଏତେ ବଡ଼ ବ୍ୟକ୍ତିତ୍ୱ, ଏତେ ବ୍ୟାପକ ଅଭିଜ୍ଞତା, ତଥାପି ତାଙ୍କର ବ୍ୟବହାରରେ ଏତେ ନମ୍ରତା! ନିଜେ ପଛରେ ରହି ଅନ୍ୟମାନଙ୍କୁ ଆଗକୁ ବଢ଼ାଇବା, ଲୋକମାନଙ୍କୁ ଏକାଠି ଯୋଡ଼ିବା ଏବଂ ସେମାନଙ୍କୁ ଦେଶ ସେବା ପାଇଁ ପ୍ରସ୍ତୁତ କରିବା ଥିଲା ତାଙ୍କ ଜୀବନର ଏକ ମହାନ ସାଧନା। ଆଲୋଚନା ସମୟରେ ସେ ପ୍ରାୟତଃ ଏକ ଉଦାହରଣ ଦେଉଥିଲେ। ସେ କହୁଥିଲେ ଯେ, ଆମେ ଜଣେ ମାଆଙ୍କ ଆଚରଣରୁ ଶିକ୍ଷା ଗ୍ରହଣ କରିବା ଉଚିତ। ଯେପରି ଜଣେ ମାଆ ନିଜ ସନ୍ତାନ ପାଇଁ ସାରା ରାତି ଅନିଦ୍ରା ରହି ମଧ୍ୟ ତାହାର ଯତ୍ନ ନିଅନ୍ତି, ତାକୁ ସ୍ନେହରେ ସମ୍ଭାଳନ୍ତି ଏବଂ କୌଣସି ସ୍ୱାର୍ଥ ନ ରଖି ତା’ ପାଇଁ ସବୁକିଛି କରନ୍ତି, ଠିକ୍ ସେହିଭଳି ଭାବନାକୁ ଯଦି ଆମେ ସମାଜ ପାଇଁ ବିସ୍ତାର କରିପାରିବା, ତେବେ ସମାଜର କେତେ ବଡ଼ ମଙ୍ଗଳ ହୋଇପାରିବ!

 

ବନ୍ଧୁଗଣ,

ଜଣେ ମାଆଙ୍କ ଭଳି ନିଷ୍କପଟ ଭାବନା ନେଇ ଶେଷାଦ୍ରୀ ମହାଶୟ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଏହା ମୋର ସୌଭାଗ୍ୟ ଯେ, ମୁଁ ନିରନ୍ତର ତାଙ୍କର ସ୍ନେହ ଓ ମାର୍ଗଦର୍ଶନ ପାଇଥିଲି। ତାଙ୍କ ସହିତ ବିତାଇଥିବା ସମୟର ସ୍ମୃତି, ତାଙ୍କର କଥାବାର୍ତ୍ତା ଆଜି ମଧ୍ୟ ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ।

 

ବନ୍ଧୁଗଣ,

ଶେଷାଦ୍ରୀ ମହାଶୟଙ୍କର ଆଉ ଏକ କଥା ମୁଁ କେବେ ଭୁଲିପାରିବି ନାହିଁ। ସେ କହୁଥିଲେ ଯେ, ଯଦି ଆମେ ସମାଜକୁ ଦୁଇ ହାତରେ ଦାନ ଦେଉ, ତେବେ ସମାଜ ଆମକୁ ଲକ୍ଷ ଲକ୍ଷ ହାତରେ ଫେରାଇ ଦିଏ। ମୁଁ ନିଜ ଜୀବନରେ ବାରମ୍ବାର ଏହି କଥାକୁ ସତ୍ୟ ପ୍ରମାଣିତ ହେବାର ଅନୁଭବ କରିଛି। ଜନତା ଜନାର୍ଦ୍ଦନଙ୍କ ସେବା କରିବା ସମୟରେ ଜନସାଧାରଣ ସର୍ବଦା ମୋତେ ସେମାନଙ୍କର ଆଶୀର୍ବାଦ ଦେଇଛନ୍ତି ଏବଂ ଏହା ମୋ ଜୀବନର ସବୁଠାରୁ ବଡ଼ ପୁଞ୍ଜି।

 

ବନ୍ଧୁଗଣ,

ଶେଷାଦ୍ରୀ ମହାଶୟଙ୍କ ପରିବାରରେ ମଧ୍ୟ ଆମେ ଏହି ସେବା ଭାବନାର ପ୍ରତିଫଳନ ଦେଖିବାକୁ ପାଉଛୁ। ଡକ୍ଟର ନାଗେନ୍ଦ୍ର ମହାଶୟ ଏବଂ ଡକ୍ଟର ନାଗରତ୍ନା ମହାଶୟ ନିଜ ନିଜ କାର୍ଯ୍ୟ ମାଧ୍ୟମରେ ତାଙ୍କର ମିଶନକୁ ଆଗକୁ ବଢ଼ାଉଛନ୍ତି। ମୁଁ ସେମାନଙ୍କର ପ୍ରତ୍ୟେକ ପ୍ରୟାସକୁ ପ୍ରଶଂସା କରିବା ସହ ସେମାନଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ଯେତେବେଳେ ଦେଶ ପରାଧୀନତାର ଶୃଙ୍ଖଳରେ ବନ୍ଧା ହୋଇଥିଲା, ସେତେବେଳେ ଗୋଟିଏ ପଟେ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀ ଦେଶର ମୁକ୍ତି ପାଇଁ ଲଢ଼େଇ କରୁଥିଲେ, ତ ଅନ୍ୟପଟେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ରାଷ୍ଟ୍ରଋଷିମାନେ ଭାରତର ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରୁଥିଲେ ଏବଂ ଭାରତର ଯୁବପିଢ଼ିଙ୍କୁ ଯୋଗର ପଥ ଦେଖାଉଥିଲେ।

 

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦଙ୍କ ଭଳି ଋଷିମାନଙ୍କଠାରୁ ମିଳିଥିବା ପ୍ରେରଣା ପ୍ରଶାନ୍ତି କୁଟୀରମ୍‌ ଭଳି ଅନୁଷ୍ଠାନଗୁଡ଼ିକୁ ଜନ୍ମ ଦେଇଛି। ଏଠାରେ କେବଳ ଯୋଗକୁ ଜନସାଧାରଣଙ୍କ ସହ ଯୋଡ଼ିବାର ଅଭିଯାନ ଚାଲିନାହିଁ, ବରଂ ଆଧୁନିକ ବିଜ୍ଞାନ ଆଧାରରେ ଯୋଗକୁ ପରୀକ୍ଷା କରିବା ସହ ଏହା ଉପରେ ନୂତନ ଗବେଷଣା ମଧ୍ୟ କରାଯାଇଛି। ଏଠାରେ କେବଳ ଯୋଗାଭ୍ୟାସୀ ସୃଷ୍ଟି କରାଯାଇନାହିଁ, ବରଂ ସମାଜ ପାଇଁ ପ୍ରଶିକ୍ଷକ ଓ ଦାର୍ଶନିକମାନଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଶିକ୍ଷକ, ଡାକ୍ତର ଓ ଗବେଷକମାନେ ଆଜି ଯୋଗ ମାଧ୍ୟମରେ ଦେଶ ଓ ବିଶ୍ୱର ଲୋକମାନଙ୍କ ସେବା କରୁଛନ୍ତି। ପ୍ରଶାନ୍ତି କୁଟୀରମ୍‌ରୁ ବିକଶିତ ହୋଇଥିବା ଏସ୍‌-ବ୍ୟାସା ଯୋଗ ଶିକ୍ଷା, ବୈଜ୍ଞାନିକ ଗବେଷଣା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ପରିଣତ ହୋଇଛି। ଆପଣମାନେ ଯୋଗ ସହିତ ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ସୁବିଧାଗୁଡ଼ିକୁ ଏକତ୍ର କରି ଏକ ସମନ୍ୱିତ ସ୍ୱାସ୍ଥ୍ୟ ଓ ସୁସ୍ଥତା ବ୍ୟବସ୍ଥା ମଧ୍ୟ ବିକଶିତ କରିଛନ୍ତି। ଚାପଜନିତ ସମସ୍ୟା ଏବଂ ଜୀବନଶୈଳୀ ସହ ଜଡ଼ିତ ରୋଗଗୁଡ଼ିକ ଉପରେ ଏଠାରେ କରାଯାଇଥିବା ଗବେଷଣା ସମଗ୍ର ବିଶ୍ୱର ମାନବ ସମାଜ ପାଇଁ ଉପକାରୀ ହୋଇଛି। ଏହି ସମସ୍ତ ପ୍ରୟାସ ପାଇଁ ମୁଁ ପ୍ରଶାନ୍ତି କୁଟୀରମ୍‌ର ପ୍ରଶଂସା କରୁଛି।

 

ବନ୍ଧୁଗଣ,

ଗତ ୧୨ ବର୍ଷ ମଧ୍ୟରେ ଭାରତ ନିଜର ସଂସ୍କୃତି, ନିଜର ପରିଚୟ ଏବଂ ନିଜର ଜ୍ଞାନ-ବିଜ୍ଞାନକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ସମଗ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଆସୁଛି। ଏହି କଥା ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱର ସହିତ କହୁଛି। ଏହାର ପରିଣାମ ହେଉଛି, ଭାରତର ପ୍ରୟାସରେ ଆଜି ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଯୋଗ ଦିବସ ଅବସରରେ ଅଷ୍ଟ୍ରେଲିଆଠାରୁ ଆରମ୍ଭ କରି ଆଫ୍ରିକା ଓ ଆମେରିକା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଯୋଗ ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। କୋଟି କୋଟି ସଂଖ୍ୟାରେ ଲୋକ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆଜି ବିଶ୍ୱର ଅନେକ ଦେଶରେ ଆମର ଯୋଗ ବିଦ୍ୟାଳୟ, ଅନୁଷ୍ଠାନ ଏବଂ କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିସାରିଛି। ଉଦାହରଣ ସ୍ୱରୂପ, ସାଉଦି ଆରବରେ ଯୋଗକୁ ଏକ କ୍ରୀଡ଼ା କାର୍ଯ୍ୟକଳାପ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ସେଠାକାର କ୍ରୀଡ଼ା ମନ୍ତ୍ରଣାଳୟ ଯୋଗର ପ୍ରଚାର ଓ ପ୍ରସାର ପାଇଁ ଭାରତର ଆୟୁଷ ମନ୍ତ୍ରଣାଳୟ ସହିତ ଏକ ବୁଝାମଣା ଚୁକ୍ତି ସ୍ୱାକ୍ଷର କରିଛି। ବିଦେଶୀ ନାଗରିକମାନଙ୍କ ଦ୍ୱାରା ଯୋଗର ପ୍ରଚାର ଓ ପ୍ରସାରର ଉଦାହରଣ ମଧ୍ୟ ନିରନ୍ତର ସାମ୍ନାକୁ ଆସୁଛି। ମୋର ନିଜସ୍ୱ ଅନୁଭୂତି ରହିଛି ଯେ, ମୁଁ ବିଶ୍ୱର ଯେଉଁଠାକୁ ମଧ୍ୟ ଯାଏ, ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରିଭୋଜନ ସମୟରେ ମୋ ସହିତ ବସୁଥିବା ବିଦେଶୀ ଅତିଥି କିମ୍ବା ସେହି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଯୋଗ ବିଷୟରେ ଆଲୋଚନା ହୋଇନଥିବା ଖୁବ୍ କମ୍ ଘଟଣା ରହିଛି। ପ୍ରଥମେ ମୋତେ ସେମାନଙ୍କୁ ବୁଝାଇବାକୁ ପଡ଼େ ଯେ, ମୁଁ ଯୋଗର କୌଣସି ବିଶେଷଜ୍ଞ ନୁହେଁ, ମୁଁ ଜଣେ ଯୋଗାଭ୍ୟାସୀ ମାତ୍ର। ଏହାପରେ ମୁଁ ସେମାନଙ୍କୁ ଯୋଗର ବିଭିନ୍ନ ଉପକାରିତା ବିଷୟରେ କହିଥାଏ। ସେମାନେ ମଧ୍ୟ ଏ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥାନ୍ତି। ମୁଁ ବିଶ୍ୱର ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ଦେଖିଛି, ଯେଉଁମାନେ କହିଥାନ୍ତି ଯେ, ତାଙ୍କ ପତ୍ନୀ ପ୍ରତିବର୍ଷ ଭାରତ ଆସି ଯୋଗ ଶିଖନ୍ତି। କେହି କେହି କହନ୍ତି, ତାଙ୍କ ଝିଅ ଯୋଗ ଶିଖୁଛନ୍ତି ଏବଂ ଯୋଗ ପାଇଁ ନିଜକୁ ସମର୍ପିତ କରିଛନ୍ତି। ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟଙ୍କ ପରିବାରରେ ମଧ୍ୟ ଏପରି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଯୋଗ ସହିତ ଜଡ଼ିତ ଅଛନ୍ତି। ଅର୍ଥାତ୍‌, ଯୋଗ ମାଧ୍ୟମରେ ଭାରତ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିଛି। ଏପରି ଲାଗୁଛି ଯେ, ଯୋଗ ଭାରତକୁ ଜାଣିବା ପାଇଁ ଏକ ପ୍ରବେଶ ଦ୍ୱାରରେ ପରିଣତ ହୋଇଛି। ମୁଁ ଦେଖିଛି ଯେ, କତାରର ରାଜପରିବାର ହୁଅନ୍ତୁ କିମ୍ବା ଅନ୍ୟ ଦେଶର ନାଗରିକ, ଅନେକ ବିଦେଶୀ ବ୍ୟକ୍ତି ଯୋଗ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଅଛନ୍ତି। ଏପରି ଅନେକ ବ୍ୟକ୍ତିଙ୍କୁ ଭାରତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରି ସେମାନଙ୍କର ଗୌରବ ମଧ୍ୟ ବୃଦ୍ଧି କରିଛି।

 

ବନ୍ଧୁଗଣ,

ସାରା ବିଶ୍ୱର ଲୋକମାନେ ଯେତେବେଳେ ଯୋଗ ସହିତ ଅଧିକ ପରିଚିତ ହେଉଛନ୍ତି, ସେତେବେଳେ ଭାରତକୁ ଜାଣିବା ପାଇଁ ସେମାନଙ୍କର ଉତ୍ସୁକତା ମଧ୍ୟ ବୃଦ୍ଧି ପାଉଛି। ଆମର ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନ ପ୍ରତି ଏକ ନୂତନ ଆକର୍ଷଣ ସୃଷ୍ଟି ହେଉଛି। ଏହାଦ୍ୱାରା ଭାରତ ଓ ବିଶ୍ୱ ମଧ୍ୟରେ ସମ୍ପର୍କର ଏକ ନୂତନ ମାର୍ଗ ଉନ୍ମୁକ୍ତ ହେଉଛି। ଏଥିସହିତ ଏସବୁ ଆମ ସମସ୍ତଙ୍କର ସାମୂହିକ ପ୍ରୟାସ ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ଯଦି ମୁଁ ଆୟୁର୍ବେଦ ବିଷୟରେ କହିବି, ତେବେ ବିଶ୍ୱର ବିଭିନ୍ନ ଦେଶରେ ୧୫୦ରୁ ଅଧିକ ଆୟୁର୍ବେଦ ପ୍ରଶିକ୍ଷଣ ପାଠ୍ୟକ୍ରମକୁ ମାନ୍ୟତା ମିଳିଛି। ଆୟୁର୍ବେଦର ପ୍ରସାର ଓ ବିକାଶରେ ସହଯୋଗ ପାଇଁ ବିଶ୍ୱର ୨୮ଟି ଦେଶ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି।

 

ବନ୍ଧୁଗଣ,

ଆମର ପ୍ରୟାସ ହେଉଛି ଆୟୁର୍ବେଦ ଓ ଯୋଗର ସୁଫଳ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ଉପଲବ୍ଧ କରାଇବା। ଆଜି ବିଶ୍ୱରେ ସମନ୍ୱିତ ସ୍ୱାସ୍ଥ୍ୟସେବା ଏକ ନୂତନ ଆନ୍ଦୋଳନର ରୂପ ନେଇଛି। ଏହାର ପରିଣାମସ୍ୱରୂପ ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକମାନଙ୍କର ସ୍ୱାଭାବିକ ଆକର୍ଷଣ ବୃଦ୍ଧି ପାଇଛି।

 

ବନ୍ଧୁଗଣ,

ଯେତେବେଳେ ଚାରିଆଡ଼େ ଏତେ ଉତ୍କର୍ଷତା ଓ ଉତ୍ସାହ ଦେଖିବାକୁ ମିଳୁଛି, ସେତେବେଳେ ଯୋଗର ପ୍ରଚାର ଓ ପ୍ରସାର ସହିତ ଆବଶ୍ୟକତା ଅନୁଯାୟୀ ଆମେ ଅନେକ ନୂତନ ପରିବର୍ତ୍ତନ ମଧ୍ୟ ଆଣିଛୁ। ଭାରତରେ ଯୋଗାସନକୁ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ମଧ୍ୟ ମାନ୍ୟତା ଦିଆଯାଇଛି। ଖେଲୋ ଇଣ୍ଡିଆ ଏବଂ ଜାତୀୟ କ୍ରୀଡ଼ା ଭଳି ଆୟୋଜନଗୁଡ଼ିକରେ ମଧ୍ୟ ଯୋଗାସନ ପାଇଁ ନୂତନ ସ୍ଥାନ ସୃଷ୍ଟି ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ନିକଟରେ ଅହମ୍ମଦାବାଦରେ ଏକ ଅନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହା ପରେ ମୁଁ ଯେତେବେଳେ ଉଜବେକିସ୍ତାନ ଗସ୍ତରେ ଯାଇଥିଲି, ସେଠାରେ ଏକ ଆଶ୍ଚର୍ଯ୍ୟଜନକ ଅନୁଭୂତି ମୋର ହୃଦୟଙ୍ଗମ ହୋଇଥିଲା। ସେଠାରେ ଉଜବେକିସ୍ତାନର ନାଗରିକମାନେ ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେମାନଙ୍କର ସମସ୍ତ ବିଜେତା ଓ ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ଏକାଠି କରାଯାଇଥିଲା। ଅର୍ଥାତ୍‌, ମୁଁ ଯେଉଁଠାକୁ ଯାଉଛି, ଯାହାଙ୍କୁ ଭେଟୁଛି, ସବୁଠାରେ ଦେଖୁଛି ଯେ, ଯୋଗ ଆଲୋଚନାର ଏକ ପ୍ରମୁଖ ବିଷୟ ପାଲଟିଛି। ଏହାଦ୍ୱାରା ଯୋଗ ସହ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ପ୍ରତିଯୋଗିତାମୂଳକ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି।

 

ବନ୍ଧୁଗଣ,

ଯୋଗ ଭଳି ଆୟୁର୍ବେଦକୁ ମଧ୍ୟ ଭାରତ ସରକାର ନିରନ୍ତର ପ୍ରୋତ୍ସାହିତ କରୁଛନ୍ତି। ଆମ ଦେଶରେ ଏପରି ଅନେକ ବିଷୟ ରହିଛି, ଯାହା ପ୍ରତି ଲୋକମାନଙ୍କର ଧ୍ୟାନ ଆକର୍ଷିତ ହୋଇନଥାଏ। ଏପରିକି ଏହି ବିଷୟଗୁଡ଼ିକରେ ଆଗ୍ରହ ରଖୁଥିବା ଲୋକମାନଙ୍କର ମଧ୍ୟ ଏଥିପ୍ରତି ଆବଶ୍ୟକ ଧ୍ୟାନ ରହିନଥାଏ। ସ୍ୱାଧୀନତାର ଏତେ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ଗଠନ କରାଯାଇଛି। ଆମେ ଆୟୁର୍ବେଦ ସମ୍ବନ୍ଧୀୟ ଗବେଷଣା ଏବଂ ଆୟୁର୍ବେଦ ଆଧାରିତ ପେଟେଣ୍ଟ୍‌ଗୁଡ଼ିକୁ ପ୍ରୋତ୍ସାହନ ଦେଇଛୁ। ଆଜି ଏହାର ପରିଣାମ ମଧ୍ୟ ଆମ ସମ୍ମୁଖରେ ରହିଛି। ଭାରତରୁ ଆୟୁଷ ଓ ଔଷଧୀୟ ଉଦ୍ଭିଦ ଆଧାରିତ ସାମଗ୍ରୀର ରପ୍ତାନୀ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆୟୁଷ କ୍ଷେତ୍ର ସହ ଜଡ଼ିତ ଅର୍ଥନୀତି ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ହଳଦୀ ଭଳି ଉତ୍ପାଦ, ଯାହାକୁ ପିଢ଼ି ପରେ ପିଢ଼ି ଧରି ଭାରତୀୟ ପରିବାରଗୁଡ଼ିକ ନିଜର ଖାଦ୍ୟପେୟ ଓ ଘରୋଇ ପରମ୍ପରାରେ ବ୍ୟବହାର କରିଆସୁଛନ୍ତି, ଆଜି ସେଗୁଡ଼ିକର ଚାହିଦା ମଧ୍ୟ ସମଗ୍ର ବିଶ୍ୱରେ ବୃଦ୍ଧି ପାଉଛି। ଭାରତରୁ ହଳଦୀର ରପ୍ତାନୀ ପରିମାଣ କ୍ରମାଗତ ଭାବେ ବଢ଼ୁଛି। ହଳଦୀର ଉତ୍ପାଦନ, ଗୁଣବତ୍ତା ଏବଂ ରପ୍ତାନୀକୁ ନୂତନ ଶକ୍ତି ଦେବା ପାଇଁ ଆମେ ଜାତୀୟ ହଳଦୀ ବୋର୍ଡ ମଧ୍ୟ ଗଠନ କରିଛୁ।

 

ବନ୍ଧୁଗଣ, 

ଆମର ପ୍ରାଚୀନ ବିଜ୍ଞାନ ଏବଂ ଆଧୁନିକ ଗବେଷଣାର ସୁଫଳ ସମଗ୍ର ମାନବଜାତିକୁ ପ୍ରଦାନ କରିବା ସହିତ ଯୁବପିଢ଼ିଙ୍କ ପାଇଁ ଏହା ସହ ଜଡ଼ିତ ସୁଯୋଗଗୁଡ଼ିକୁ ମଧ୍ୟ ସାକାର କରିବା ଆମର ଲକ୍ଷ୍ୟ। ଏଥିପାଇଁ ସରକାର ଇ-ଆୟୁଷ ଭିସା ସୁବିଧା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଚିକିତ୍ସା ପାଇଁ ବିଦେଶରୁ ଭାରତ ଆସୁଥିବା ଲୋକମାନେ ବିଶେଷ ସୁବିଧା ପାଉଛନ୍ତି। ଜାମନଗରଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ଗ୍ଲୋବାଲ୍ ଟ୍ରାଡିସନାଲ୍ ମେଡିସିନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏହା ମାଧ୍ୟମରେ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଗବେଷଣା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରାଯାଉଛି।

 

ବନ୍ଧୁଗଣ, 

ଆଜି ୧୪୦ କୋଟି ଦେଶବାସୀ ଏକ ସାଧାରଣ ଲକ୍ଷ୍ୟ ନେଇ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଆଉ ସେହି ଲକ୍ଷ୍ୟ ହେଉଛି – ‘ବିକଶିତ ଭାରତ ଗଠନ!’ ଏହି ଅଭିଯାନକୁ ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଏକ ନୂତନ ପ୍ରେରଣା ପ୍ରଦାନ କରିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟରେ କୁହାଯାଇଛି ଯେ, ଗତ ୧୨-୧୩ ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଭାରତୀୟ ଦାରିଦ୍ର୍ୟର ଉତ୍କଟ ସ୍ଥିତିରୁ ବାହାରି ଆସିଛନ୍ତି। ଏହା ଏକ ବହୁତ ବଡ଼ ସଂଖ୍ୟା। ଏବେ ଏହି କୋଟି କୋଟି ପରିବାର ସମ୍ମୁଖରେ ଉନ୍ନତ ଜୀବନଯାପନ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି। ଆମର ପ୍ରୟାସ ହେଉଛି, ସୁସ୍ଥ ଜୀବନଶୈଳୀ ପ୍ରତ୍ୟେକ ପରିବାରର ପ୍ରାଥମିକତା ହେବା ଉଚିତ। ଏଥିରେ ଯୋଗ ଏକ ବଡ଼ ଭୂମିକା ନିର୍ବାହ କରିପାରିବ। ମୁଁ ସବୁବେଳେ କହିଥାଏ, ଯୋଗ ଦ୍ୱାରା ରୋଗରୁ ମୁକ୍ତି ମିଳେ ଏବଂ ଯୋଗ ଦ୍ୱାରା ଭୋଗବିଳାସର ଆସକ୍ତିରୁ ମଧ୍ୟ ମୁକ୍ତି ମିଳିଥାଏ। କେବଳ ସେତିକି ନୁହେଁ, ଏହା ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସବୁଠାରୁ ବଡ଼ ଓ ପ୍ରଭାବଶାଳୀ ଉପଚାର। ପ୍ରଶାନ୍ତି କୁଟୀରମ୍ ଏହି ଅଭିଯାନର ଏକ ଅଂଶ। ସେମାନଙ୍କ ପକ୍ଷରୁ ମଧ୍ୟ ଅନେକ ନୂତନ ପ୍ରକଳ୍ପ ଆରମ୍ଭ କରାଯାଉଛି ଏବଂ ଏଥିରେ ସେମାନଙ୍କର ସହଯୋଗ ମିଳୁଛି। ସେମାନଙ୍କର ଏହି କାର୍ଯ୍ୟ ଆମ ପାଇଁ ବହୁତ ସହାୟକ ହେଉଛି। ତେଣୁ ମୁଁ ଚାହୁଛି, ଆପଣମାନେ ଏବେଠାରୁ ନୂତନ ଲକ୍ଷ୍ୟ ହାସଲ ପାଇଁ ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରନ୍ତୁ। ମୁଁ ଏବେ ଆସିଛି, ତେଣୁ କିଛି ଦାୟିତ୍ୱ ନାଗେନ୍ଦ୍ର ମହାଶୟଙ୍କୁ ଦେଇ ଯିବି। ଡକ୍ଟର ନାଗେନ୍ଦ୍ର ମହାଶୟ ମଧ୍ୟ କିଛି ଦିନ ପୂର୍ବରୁ ମୋତେ ଏକ ପତ୍ର ଲେଖି ଜଣାଇଥିଲେ ଯେ, ସେ ନିଜକୁ ପୂର୍ବାପେକ୍ଷା ଅଧିକ ଯୁବକ ଅନୁଭବ କରୁଛନ୍ତି। ତେଣୁ ତାଙ୍କର ଏହି ଯୁବସୁଲଭ ଶକ୍ତିର ଲାଭ ପ୍ରଶାନ୍ତି କୁଟୀରମ୍ ସହିତ ଦେଶକୁ ମଧ୍ୟ ମିଳିବ। ମୁଁ ଚାହୁଛି, ଯେତେବେଳେ ଆପଣମାନେ ୭୫ ବର୍ଷରେ ପଦାର୍ପଣ କରିବେ, ସେତେବେଳେ ପ୍ରଶାନ୍ତି କୁଟୀରମ୍ ମଧ୍ୟ ୭୫ ବର୍ଷ ପୂରଣ କରିଥିବ ଏବଂ ଆମ ଦେଶ ଏକ ବିକଶିତ ଭାରତରେ ପରିଣତ ହୋଇସାରିଥିବ। ତେଣୁ ବିକଶିତ ଭାରତକୁ ଦୃଷ୍ଟିରେ ରଖି ଆଗାମୀ ୨୫ ବର୍ଷ ପାଇଁ ଏବେଠାରୁ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ନିଜକୁ ଏହି ଲକ୍ଷ୍ୟ ପୂରଣରେ ସମର୍ପିତ କରନ୍ତୁ। ଯାହାଦ୍ୱାରା ଆପଣମାନଙ୍କର ଏହି ଯାତ୍ରା ଦେଶର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ଏବଂ ବିକଶିତ ଭାରତ ଗଠନରେ ଆପଣମାନଙ୍କର ଆଗାମୀ ୨୫ ବର୍ଷର ଯାତ୍ରା ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଏହି ଦିଗରେ ଆପଣମାନେ ଚିନ୍ତା କରନ୍ତୁ। ଏହି ବିଶ୍ୱାସ ସହିତ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ପୂଜ୍ୟ ଶେଷାଦ୍ରୀ ମହାଶୟଙ୍କ ଚରଣରେ ମଧ୍ୟ ପୁନର୍ବାର ମୋର ଶ୍ରଦ୍ଧାପୂର୍ଣ୍ଣ ପ୍ରଣାମ ଜଣାଉଛି।

 

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

 

*****

MT