ଚରିତ୍ର ଗଠନ ମାଧ୍ୟମରେ ରାଷ୍ଟ୍ର ଗଠନର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିବା ପୂଜ୍ୟ ଏଚ୍. ଭି. ଶେଷାଦ୍ରିଙ୍କ ଜନ୍ମ ଶତବାର୍ଷିକୀକୁ ଆମେ ପାଳନ କରୁଛୁ : ପ୍ରଧାନମନ୍ତ୍ରୀ
ଗତ ୧୨ ବର୍ଷ ମଧ୍ୟରେ, ଭାରତ ବିଶ୍ୱ ସମ୍ମୁଖରେ ନିଜର ସଂସ୍କୃତି, ପରିଚୟ ତଥା ଜ୍ଞାନ ଓ ବିଜ୍ଞାନକୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ପ୍ରଦର୍ଶନ କରିଆସୁଛି ; ଭାରତର ପ୍ରୟାସ ଯୋଗୁଁ ଆଜି ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି : ପ୍ରଧାନମନ୍ତ୍ରୀ
ଯୋଗାସନକୁ ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବରେ ସ୍ୱୀକୃତି ମିଳିଛି ଏବଂ ଏହା ଖେଲୋ ଇଣ୍ଡିଆ ତଥା ଜାତୀୟ କ୍ରୀଡ଼ା ଭଳି ଇଭେଣ୍ଟରେ ସ୍ଥାନ ପାଇଛି ; ଏହା ଯୋଗ ଅଭ୍ୟାସକାରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାର ନୂତନ ମାର୍ଗ ଉନ୍ମୁକ୍ତ କରିଛି : ପ୍ରଧାନମନ୍ତ୍ରୀ
ଆମେ ଆୟୁର୍ବେଦ ସମ୍ବନ୍ଧୀୟ ଗବେଷଣା ଏବଂ ଆୟୁର୍ବେଦ – ଆଧାରିତ ପେଟେଣ୍ଟକୁ ପ୍ରୋତ୍ସାହିତ କରିଛୁ, ଯାହାର ଫଳାଫଳ ଆଜି ଆମ ସାମ୍ନାରେ ରହିଛି ; ଭାରତରୁ ଆୟୁଷ ଏବଂ ହର୍ବାଲ (ଚେରମୂଳି) ଉତ୍ପାଦଗୁଡ଼ିକର ରପ୍ତାନି କ୍ରମାଗତ ଭାବେ ବୃଦ୍ଧି ପାଉଛି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ପ୍ରଶାନ୍ତି କୁଟୀରମ୍ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଜନସମାବେଶକୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କନ୍ନଡ଼ ଭାଷାରେ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ବେଙ୍ଗାଲୁରୁରେ ଯୋଗର ଏକ ଅଦ୍ଭୁତ ଶକ୍ତି ଅନୁଭବ କରି ନିଜର ଆନନ୍ଦ ବ୍ୟକ୍ତ କରିଥିଲେ। କର୍ଣ୍ଣାଟକ ଶହ ଶହ ବର୍ଷ ଧରି ଯୋଗର ଏକ କେନ୍ଦ୍ରସ୍ଥଳୀ ହୋଇ ରହିଆସିଛି। ଏଠାରେ ଅନେକ ଗୁରୁ ଓ ବିଦ୍ୱାନ ଜନ୍ମ ନେଇଛନ୍ତି ଯେଉଁମାନେ ଏହି ପରମ୍ପରାର ସମୃଦ୍ଧି ସାଧନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କନ୍ନଡ଼ ଚଳଚ୍ଚିତ୍ର ଜଗତର ମହାନ ବ୍ୟକ୍ତିତ୍ୱ ଡକ୍ଟର ରାଜକୁମାରଙ୍କ ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ। ଶ୍ରୀ ମୋଦୀ ମତ ଦେଇଥିଲେ ଯେ, “ଏଠାରେ ଏପରି ଯୋଗ ସାଧକ ମଧ୍ୟ ରହିଆସିଛନ୍ତି, ଯେଉଁମାନେ କଳା ଜଗତ ସହିତ ଯୋଗର ମଧ୍ୟ ସେବା କରିଛନ୍ତି।“
କର୍ଣ୍ଣାଟକର ସମୃଦ୍ଧ ଐତିହ୍ୟ ମଧ୍ୟରେ ପ୍ରଶାନ୍ତି କୁଟୀରମ୍ ର ୫୦ ବର୍ଷର ଯାତ୍ରାକୁ ସେବା ଓ ସମର୍ପଣର ଏକ ଅନନ୍ୟ ଗାଥା ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ବିଷୟରେ ପ୍ରତ୍ୟେକ ନାଗରିକ ଜାଣିବା ଉଚିତ୍। ସେ ଏକ ସାଧାରଣ କେନ୍ଦ୍ରରୁ ଏକ ବିଶାଳ ଆନ୍ଦୋଳନରେ ପରିଣତ ହେବା ପର୍ଯ୍ୟନ୍ତ ଏହାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ। ଏକ ସାଧାରଣ ଯୋଗ କେନ୍ଦ୍ର କିପରି ଏକ ବିଶାଳ ଆନ୍ଦୋଳନରେ ପରିଣତ ହେଲା, ତାହା ନିଜେ ଏକ ପ୍ରେରଣାର ଉତ୍ସ ଅଟେ ବୋଲି ମୋଦୀ କହିଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଅବସରରେ ପରିସର ମଧ୍ୟରେ ଅନେକ ନୂତନ ସୁବିଧା–ସୁଯୋଗର ଉଦ୍ଘାଟନ ହୋଇଥିବା ବିଷୟ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଏସ୍–ବ୍ୟାସା ପରିବାରକୁ ସେମାନଙ୍କର ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ସେ ସେମାନଙ୍କୁ ଏବଂ ପ୍ରଶାନ୍ତି କୁଟୀରମ୍ ସହ ଜଡ଼ିତ ଲକ୍ଷ ଲକ୍ଷ ସାଧକଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଏହି ବର୍ଷ ପ୍ରଶାନ୍ତି କୁଟୀରମ୍ର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଥିବା ବେଳେ, ଏହା ସହିତ ଏଚ୍. ଭି. ଶେଷାଦ୍ରିଙ୍କ ଜନ୍ମ ଶତବାର୍ଷିକୀ ମଧ୍ୟ ପଡ଼ୁଛି। ଏହି ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶେଷାଦ୍ରି ଜୀ ନିଜର ସମଗ୍ର ଜୀବନ ଚରିତ୍ର ଗଠନ ମାଧ୍ୟମରେ ରାଷ୍ଟ୍ର ଗଠନର ଲକ୍ଷ୍ୟ ପାଇଁ ଉତ୍ସର୍ଗ କରିଥିଲେ। ସେ ହୃଦୟଙ୍ଗମ କରିଥିଲେ ଯେ ଦେଶକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ନିଷ୍ଠାବାନ, ସକ୍ଷମ ଏବଂ ଶୃଙ୍ଖଳିତ ନାଗରିକଙ୍କ ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଚ୍. ଭି. ଶେଷାଦ୍ରିଙ୍କ ସରଳତା, ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ବିସ୍ତୃତ ଅନୁଭୂତି ଏବଂ ବିନମ୍ର ସ୍ୱଭାବକୁ ସ୍ମରଣ କରିଥିଲେ। ସେ ଅନ୍ୟମାନଙ୍କୁ ଗଢ଼ି ତୋଳିବା, ଲୋକଙ୍କୁ ଏକଜୁଟ କରିବା ଏବଂ ସେମାନଙ୍କୁ ଦେଶ ସେବା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ସବୁବେଳେ ପରଦା ପଛରେ ରହି କାର୍ଯ୍ୟ କରୁଥିଲେ। ଏହି ପ୍ରସଙ୍ଗରେ, ଶେଷାଦ୍ରି ପ୍ରାୟତଃ ଦେଉଥିବା ଏକ ଉଦାହରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ଉଦାହରଣଟି ଥିଲା, ଜଣେ ମା’ଙ୍କ ବିଷୟରେ, ଯିଏ ନିଜ ସନ୍ତାନର ଯତ୍ନ ଓ ନିଃସ୍ୱାର୍ଥପର ସେବା ପାଇଁ ରାତିସାରା ଜାଗ୍ରତ ରୁହନ୍ତି। ଶ୍ରୀ ମୋଦୀ କହିଥିଲେ, “ଯଦି ଆମେ ଏହି ଭାବନାକୁ ସମାଜ ପାଇଁ ପ୍ରୟୋଗ କରିବା, ତେବେ ସମାଜର ଅନେକ କଲ୍ୟାଣ ସାଧିତ ହେବ!”
ଏଚ୍. ଭି. ଶେଷାଦ୍ରି ଜଣେ ମା’ଙ୍କ ପବିତ୍ରତା ଓ ନିଃସ୍ୱାର୍ଥପରତା ସହ ସମାଜର ସେବା କରିଥିଲେ ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ସେ ଶେଷାଦ୍ରିଙ୍କ ଠାରୁ କ୍ରମାଗତ ଭାବେ ସ୍ନେହ ଓ ମାର୍ଗଦର୍ଶନ ପାଇଆସିଛନ୍ତି। “ତାଙ୍କ ସହିତ ବିତାଇଥିବା ସମୟର ସ୍ମୃତି ଏବଂ ତାଙ୍କର କଥାଗୁଡ଼ିକ ଆଜି ମଧ୍ୟ ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଅଟେ।“
ଏଚ୍. ଭି. ଶେଷାଦ୍ରିଙ୍କ ଏକ ଅବିସ୍ମରଣୀୟ ଶିକ୍ଷାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ , ଯେତେବେଳେ କେହି ସମାଜକୁ ଦୁଇ ହାତରେ ଅର୍ଥାତ୍ ଉଦାର ହୃଦୟରେ କିଛି ଦିଅନ୍ତି, ସମାଜ ସେତେବେଳେ ଲକ୍ଷ ଲକ୍ଷ ହାତ ଦେଇ ତାହା ଫେରାଇ ଦିଏ। ସେ ନିଜ ଜୀବନରେ ବାରମ୍ବାର ଏହି ସତ୍ୟକୁ ସାକାର ହେବାର ଦେଖିଛନ୍ତି। ଜନସେବା କରିବା ସମୟରେ ସେ ସର୍ବଦା ଲୋକମାନଙ୍କର ଆଶୀର୍ବାଦ ପାଇଛନ୍ତି ଏବଂ ଏହା ତାଙ୍କ ଜୀବନର ଏକ ବହୁତ ବଡ଼ ସମ୍ପତ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।
ଏଚ୍. ଭି. ଶେଷାଦ୍ରିଙ୍କ ପରିବାରରେ ମଧ୍ୟ ଏହି ନିଃସ୍ୱାର୍ଥପର ସେବା ଭାବନା ଦେଖିବାକୁ ମିଳେ ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଡ. ଏଚ୍. ଆର୍. ନାଗେନ୍ଦ୍ର ଏବଂ ଡ. ଆର୍. ନାଗରତ୍ନାଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ନିଜର ନିଷ୍ଠାପର କାର୍ଯ୍ୟ ମାଧ୍ୟମରେ ଶେଷାଦ୍ରିଙ୍କ ଲକ୍ଷ୍ୟକୁ ଆଗକୁ ବଢ଼ାଉଛନ୍ତି। ସେ ସେମାନଙ୍କର ପ୍ରତ୍ୟେକ ପ୍ରୟାସକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଭାରତ ଉପନିବେଶବାଦୀ ଶାସନର ଶିକୁଳିରେ ବନ୍ଧା ହୋଇଥିବା ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ଲଢ଼ିଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦେଶର ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାରେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ଜାତୀୟ ଋଷି (ରାଷ୍ଟ୍ର ଋଷି)ଙ୍କ ସମାନ୍ତରାଳ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଭାରତର ଯୁବପିଢ଼ିଙ୍କୁ ଯୋଗର ମାର୍ଗ ଦେଖାଇଥିଲେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ସ୍ୱାମୀ ବିବେକାନନ୍ଦଙ୍କ ଭଳି ଋଷିଙ୍କଠାରୁ ପ୍ରେରଣା ପାଇ ପ୍ରଶାନ୍ତି କୁଟୀରମ୍ ଏବଂ ଏସ୍–ବ୍ୟସା ଭଳି ପ୍ରତିଷ୍ଠାନ ଜନ୍ମ ନେଇଥିଲା ବୋଲି ସେ କହିଥିଲେ। ଏହା କେବଳ ଲୋକମାନଙ୍କୁ ଯୋଗ ସହିତ ଯୋଡ଼ିନଥିଲା ବରଂ ଆଧୁନିକ ବୈଜ୍ଞାନିକ ଗବେଷଣା, ତାଲିମପ୍ରାପ୍ତ ଅଭ୍ୟାସକାରୀ, ଶିକ୍ଷକ, ଡାକ୍ତର ଏବଂ ଦାର୍ଶନିକମାନଙ୍କୁ ବିଶ୍ୱସ୍ତରରେ ସେବା ଯୋଗାଇଥିଲା ଏବଂ ଯୋଗ, ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା ଏବଂ ଆଧୁନିକ ଔଷଧକୁ ସମନ୍ୱିତ କରି ଏକ ସାମଗ୍ରିକ ସୁସ୍ଥତା ଇକୋସିଷ୍ଟମ ନିର୍ମାଣ କରିଥିଲା। ପ୍ରଧାନମନ୍ତ୍ରୀ ଚାପ ଏବଂ ଜୀବନଶୈଳୀ ରୋଗ ଉପରେ ସେମାନଙ୍କର ଗବେଷଣାକୁ ପ୍ରଶଂସା କରିଥିଲେ। ଏହି ଦିଗରେ କରାଯାଇଥିବା ଗବେଷଣା କାର୍ଯ୍ୟ ସମଗ୍ର ବିଶ୍ୱର ସେବା କରିଛି, ଏବଂ ସେ ଏହି ପ୍ରୟାସ ପାଇଁ ପ୍ରଶାନ୍ତି କୁଟୀରମ୍ କୁ ପ୍ରଶଂସା କରିଥିଲେ।
ଗତ ୧୨ ବର୍ଷ ଧରି ଭାରତ ବିଶ୍ୱ ସମ୍ମୁଖରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଏହାର ସଂସ୍କୃତି, ପରିଚୟ ଏବଂ ବୈଜ୍ଞାନିକ ଐତିହ୍ୟକୁ ଉପସ୍ଥାପିତ କରିଛି। ଯାହା ଫଳରେ ଅଷ୍ଟ୍ରେଲିଆ, ଆଫ୍ରିକା ଏବଂ ଆମେରିକାରେ କୋଟି କୋଟି ଅଂଶଗ୍ରହଣକାରୀଙ୍କ ସହିତ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି। ଏବଂ ବିଶ୍ୱବ୍ୟାପୀ ବିଦ୍ୟାଳୟ, ଅନୁଷ୍ଠାନ ଏବଂ କର୍ମକ୍ଷେତ୍ରରେ ଯୋଗର ପ୍ରବେଶ ସମ୍ଭବ ହୋଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସାଉଦି ଆରବ ଯୋଗକୁ ଏକ କ୍ରୀଡ଼ା କାର୍ଯ୍ୟକଳାପ ଭାବରେ ମାନ୍ୟତା ଦେଇଛି ଏବଂ ଏହାର କ୍ରୀଡ଼ା ମନ୍ତ୍ରଣାଳୟ ଭାରତର ଆୟୁଷ ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। “ଯୋଗକୁ ପ୍ରୋତ୍ସାହିତ କରୁଥିବା ବିଦେଶୀ ନାଗରିକଙ୍କ ଉଦାହରଣ ନିରନ୍ତର ସାମ୍ନାକୁ ଆସୁଛି, ଏବଂ ଦେଶ ମଧ୍ୟ ସେମାନଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରି ସେମାନଙ୍କର ଗର୍ବ ବୃଦ୍ଧି କରୁଛି” ।
ଯୋଗ ସହିତ ବଢ଼ୁଥିବା ବିଶ୍ୱସ୍ତରୀୟ ପରିଚିତି ଭାରତ ବିଷୟରେ ଆଗ୍ରହ ଏବଂ ଏହାର ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନ ପ୍ରତି ଆକର୍ଷଣ ସୃଷ୍ଟି କରେ, ସାମୂହିକ ପ୍ରୟାସ ମାଧ୍ୟମରେ ବିଶ୍ୱ ସଂଯୋଗର ନୂତନ ପଥ ଖୋଲିଥାଏ। ଏହା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆୟୁର୍ବେଦର ସମାନ୍ତରାଳ ଅନ୍ତର୍ଜାତୀୟ ପ୍ରସାରଣ ଉପରେ ଆଲୋକପାତ କରିଥିଲେ। “ବିଶ୍ୱର ବିଭିନ୍ନ ଦେଶରେ, ୧୫୦ ରୁ ଅଧିକ ଆୟୁର୍ବେଦ ତାଲିମ ପାଠ୍ୟକ୍ରମକୁ ସ୍ୱୀକୃତି ଦିଆଯାଇଛି, ଏବଂ ଆୟୁର୍ବେଦର ପ୍ରସାରରେ ସହଯୋଗ ପାଇଁ, ବିଶ୍ୱର ୨୮ ଟି ଦେଶ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି“।
ଯୋଗ ଏବଂ ଆୟୁର୍ବେଦର ଲାଭ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବା ପାଇଁ ସରକାର ଯୋଗକୁ ପ୍ରୋତ୍ସାହିତ କରିବା ସହିତ ଅନେକ ନିୟମ ସଂଶୋଧନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ଯୋଗାସନକୁ ଭାରତରେ ଏକ ପ୍ରତିଯୋଗିତାମୂଳକ ଖେଳ ଭାବରେ ମାନ୍ୟତା ଦିଆଯାଇଛି ଏବଂ ଖେଲୋ ଇଣ୍ଡିଆ ଏବଂ ଜାତୀୟ କ୍ରୀଡ଼ାରେ ଏକ ଉତ୍ସର୍ଗୀକୃତ ସ୍ଥାନ ଦିଆଯାଇଛି। “ଏହି ପରିବର୍ତ୍ତନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଯୋଗ ସହିତ ଜଡିତ ଲୋକମାନଙ୍କ ପାଇଁ ପ୍ରତିଯୋଗିତାମୂଳକ ଟୁର୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ପଥ ମଧ୍ୟ ଉନ୍ମୁକ୍ତ ହୋଇଛି“।
ଆୟୁଷ ମନ୍ତ୍ରଣାଳୟ ଗଠନ ଏବଂ ଆୟୁର୍ବେଦିକ ଗବେଷଣା ଏବଂ ପେଟେଣ୍ଟ ପାଇଁ ସମର୍ଥନ ମାଧ୍ୟମରେ ସରକାରଙ୍କ ଦ୍ୱାରା ଆୟୁର୍ବେଦର ନିରନ୍ତର ପ୍ରୋତ୍ସାହନ ବିଷୟରେ ବିସ୍ତୃତ ଭାବରେ ସେ ବର୍ଣ୍ଣନା କରିଥିଲେ। ଏହା ଆୟୁଷ ଅର୍ଥନୀତିକୁ ଲକ୍ଷ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ଏବଂ ଔଷଧୀୟ ରପ୍ତାନି ବଢିଛି ଏବଂ ପରିବାରରେ ପିଢ଼ି ପରେ ପିଢ଼ି ବ୍ୟବହୃତ ଭାରତୀୟ ହଳଦୀର ବିଶ୍ୱ ଚାହିଦା ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀ ହଳଦୀ ରପ୍ତାନିକୁ ବୃଦ୍ଧି କରିବା ପାଇଁ ସଂସ୍ଥାଗତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ହଳଦୀର ଉତ୍ପାଦନ, ଗୁଣବତ୍ତା ଏବଂ ରପ୍ତାନିକୁ ନୂତନ ଶକ୍ତି ଦେବା ପାଇଁ, ଏକ ଜାତୀୟ ହଳଦୀ ବୋର୍ଡ ମଧ୍ୟ ଗଠନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଭାରତର ପ୍ରାଚୀନ ବିଜ୍ଞାନ ଏବଂ ଆଧୁନିକ ଗବେଷଣାର ଲାଭ ମାନବଜାତି ନିକଟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଚିକିତ୍ସା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଯାତ୍ରାକୁ ସରଳ କରିବା ଉଦ୍ଦେଶ୍ୟରେ ଇ-ଆୟୁଷ ଭିସା ବ୍ୟବସ୍ଥା ଆରମ୍ଭ କରିବା ଏବଂ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାରମ୍ପରିକ ଚିକିତ୍ସା ବିଶ୍ୱ କେନ୍ଦ୍ର ସ୍ଥାପନ କରିବା ବିଷୟ ଉଲ୍ଲେଖ କରିଥିଲେ। “ଏହା ମାଧ୍ୟମରେ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଗବେଷଣା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରାଯାଉଛି।“
ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୧୨ ରୁ ୧୩ ବର୍ଷ ମଧ୍ୟରେ ଭାରତର ପ୍ରାୟ ୫୦ କୋଟି ଲୋକ ଚରମ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଏହି ତଥ୍ୟ ବିକଶିତ ଭାରତ ଗଠନ ଦିଗରେ କାର୍ଯ୍ୟ କରୁଥିବା ଦେଶର ୧୪୦ କୋଟି ନାଗରିକଙ୍କୁ ନୂତନ ଉତ୍ସାହ ପ୍ରଦାନ କରିଛି। ପ୍ରଶାନ୍ତି କୁଟୀରମ୍ ର ସହଯୋଗରେ ପରିବାରଗୁଡ଼ିକ ଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବା ପାଇଁ ନୂତନ ପଥ ଖୋଲିଥିବା ବେଳେ, ପ୍ରଧାନମନ୍ତ୍ରୀ ଏହି ଅନୁଷ୍ଠାନକୁ ନୂତନ ଲକ୍ଷ୍ୟ ହାସଲ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ପ୍ରଶାନ୍ତି କୁଟୀରମ୍ ଏହାର ଯୁବ ଶକ୍ତିର ଲାଭ ପାଇବ ଏବଂ ଦେଶ ମଧ୍ୟ ଏଥିରୁ ଉପକୃତ ହେବ।“
****
SSP
Delighted to join the Golden Jubilee celebrations of Prashanti Kutiram in Bengaluru. Its efforts to integrate modern science with India's spiritual wisdom are commendable. https://t.co/CRe0lrSZZl
— Narendra Modi (@narendramodi) November 13, 2026
प्रशांति कुटीरम की Golden Jubilee के साथ ही... इस वर्ष हम श्रद्धेय एच. वी. शेषाद्रि जी की जन्मशताब्दी भी मना रहे हैं। मैं उन्हें श्रद्धापूर्वक नमन करता हूं। शेषाद्रि जी ने अपना पूरा जीवन ‘व्यक्ति निर्माण से राष्ट्र निर्माण’ के मिशन को आगे बढ़ाने में लगाया: PM @narendramodi
— PMO India (@PMOIndia) November 13, 2026
जब देश गुलामी की बेड़ियों में जकड़ा हुआ था तब एक ओर लाखों स्वतंत्रता सेनानी, आज़ादी की लड़ाई लड़ रहे थे... तो दूसरी ओर, स्वामी विवेकानंद जैसे राष्ट्र ऋषि भी थे जिन्होंने भारत की आध्यात्मिक चेतना को जागृत किया। भारत के युवाओं को योग का मार्ग दिखाया: PM @narendramodi
— PMO India (@PMOIndia) November 13, 2026
पिछले 12 वर्षों में भारत, अपनी संस्कृति, अपनी पहचान और अपने ज्ञान-विज्ञान को पूरे आत्मविश्वास के साथ दुनिया के सामने रख रहा है। इसी का परिणाम है भारत की पहल पर अब पूरा विश्व अंतर्राष्ट्रीय योग दिवस मनाता है: PM @narendramodi
— PMO India (@PMOIndia) November 13, 2026
भारत में योगासन को प्रतिस्पर्धी खेल के रूप में भी मान्यता दी गई है। खेलो इंडिया और नेशनल गेम्स जैसे आयोजनों में भी योगासन के लिए नई जगह बनी है। ये बदलाव भारत के लिए बहुत महत्वपूर्ण है। इससे योग से जुड़े लोगों के लिए प्रतिस्पर्धी प्रतियोगिताओं में हिस्सा लेने के भी रास्ते खुल गए हैं: PM @narendramodi
— PMO India (@PMOIndia) November 13, 2026
हमने आयुर्वेद से जुड़ी research और आयुर्वेद आधारित patents को प्रोत्साहन दिया और आज इसका भी परिणाम हमारे सामने है। भारत से आयुष और herbal उत्पादों का निर्यात लगातार बढ़ रहा है: PM @narendramodi
— PMO India (@PMOIndia) November 13, 2026