Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାହାଦୁରଗଡ- ମୁଣ୍ଡକା ମେଟ୍ରୋ ଲାଇନକୁ ଭିଡିଓ କନଫେରେନ୍ସ ଯୋଗେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


 

 

ବାହାଦୁରଗଡ-ମୁଣ୍ଡକା ମେଟ୍ରୋ ଲାଇନକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି ।

ଦିଲ୍ଲୀ ମେଟ୍ରୋର ଏହି ନୂତନ ସେକ୍ସନର ଶୁଭାରମ୍ଭ ନେଇ ହରିୟାନା ଓ ଦିଲ୍ଲୀ ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ ବାହାଦୁରଗଡ ଦିଲ୍ଲୀ ସହ ସଂଯୁକ୍ତ ହେବାର ଦେଖି ସେ ଅତ୍ୟନ୍ତ ଆନନ୍ଦିତ ।

ଗୁରୁଗ୍ରାମ ଏବଂ ଫରିଦାବାଦ ପରେ ଏହିପରି ସଂଯୁକ୍ତ ହେବା ନେଇ ଏହା ହେଉଛି ହରିୟାନାର ତୃତୀୟ ଅଂଚଳ ।

ଦିଲ୍ଲୀର ମେଟ୍ରୋ ନାଗରିକମାନଙ୍କ ଜୀବନ ଉପରେ କିପରି ସକାରାତ୍ମକ ପ୍ରଭାବ ପକାଇଛି ପ୍ରଧାନମନ୍ତ୍ରୀ ସେ ସମ୍ବନ୍ଧରେ ପ୍ରକାଶ କରିଥିଲେ । ବାହାଦୁରଗଡ ଅନେକ ଅର୍ଥନୈତିକ ପ୍ରଗତି କରିଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଠାରେ ଅନେକ ଶିକ୍ଷାନୁଷ୍ଠାନ ରହିଛି ଏବଂ ସେଠାରୁ ଛାତ୍ରମାନେ ଦିଲ୍ଲୀ ଆସିଥା’ନ୍ତି । ମେଟ୍ରୋ ଏହାକୁ ଆହୁରି ସୁବିଧାଜନକ କରିବ ବୋଲି ସେ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସଂଯୋଗ ଏବଂ ଉନ୍ନୟନ ମଧ୍ୟରେ ଏକ ସିଧାସଳଖ ସଂପୃକ୍ତି ରହିଛି । ସେ କହିଲେ ଯେ ମେଟ୍ରୋ ଦ୍ୱାରା ଏହି ଅଂଚଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶବ୍ୟାପୀ ମେଟ୍ରୋ ରେଳ ନେଟୱର୍କର ମାନରେ ସମାନତା ଓ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ମେଟ୍ରୋ ସହିତ ସମ୍ପର୍କିତ ଏକ ନୀତି ନିର୍ଦ୍ଧାରଣ କରିଛନ୍ତି । ସେ କହିଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ଆମର ସହରମାନଙ୍କରେ ସୁବିଧାଜନକ, ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଏବଂ ସୁଲଭ ସହରୀ ଯୋଗାଯୋଗ ପ୍ରକ୍ରିୟା ବିକଶିତ କରିବା । ସେ କହିଲେ ଯେ ଏହାର ଲକ୍ଷ୍ୟ ମଧ୍ୟ ହେଉଛି ଭାରତରେ ମେଟ୍ରୋ ରେଳ କୋଚର ନିର୍ମାଣ କରି ‘ମେକ ଇନ ଇଣ୍ଡିଆ’କୁ ଶକ୍ତି ପ୍ରଦାନ କରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ମେଟ୍ରୋ ପଦ୍ଧତିର ପ୍ରକ୍ରିୟା ମଧ୍ୟ ସଂଘୀୟ ସହାୟକ ବ୍ୟବସ୍ଥା ସହିତ ସଂପୃକ୍ତ । ଭାରତରେ ଯେତେବେଳେ ମେଟ୍ରୋ ନିର୍ମାଣ କରାଯାଏ ସେତେବେଳେ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟ ସରକାରମାନେ ମିଳିତ ଭାବେ କାର୍ଯ୍ୟ କରିଥା’ନ୍ତି ।

ନୂତନ ଭାରତ ନୂଆ ଏବଂ ସ୍ମାର୍ଟ ଭିତ୍ତିଭୂମି ଆବଶ୍ୟକ କରେ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ରାସ୍ତା, ରେଳଲାଇନ, ରାଜପଥ, ଜଳପଥ ଓ ଆଇ-ୱେ ନିର୍ମାଣ ପାଇଁ କାର୍ଯ୍ୟ କରୁଛନ୍ତି ।  ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ସଠିକ ସମୟରେ ଶେଷ ହେବା ନିଶ୍ଚିତ କରିବା ପାଇଁ ସଂଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବାର ସେ କହିଥିଲେ ।

 

**********