ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅବସର ଗ୍ରହଣ ପରେ ଆସନ୍ତା ଅକ୍ଟୋବର 3, 2018ରେ ଜଷ୍ଟିସ ଗୋଗୋଇ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ ।
ନଭେମ୍ବର 18, 1954ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଗୋଗୋଇ 1978ରେ ଓକିଲାତି ଆରମ୍ଭ କରିଥିଲେ । ସେ ଗୌହାଟୀ ଉଚ୍ଚ ନ୍ୟାୟାଳୟରେ ସାମ୍ବିଧାନିକ ଆଇନ, ଟିକସ ଓ କମ୍ପାନୀ ବ୍ୟାପାର ଉପରେ ଆଇନ ପେଶା ଆରମ୍ଭ କରିଥିଲେ । ପ୍ରଥମ କରି ଜଷ୍ଟିସ ଗୋଗୋଇ ଫେବୃୟାରୀ 28, 2001ରେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ସେପ୍ଟେମ୍ବର 9, 2010ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ଫେବୃୟାରୀ 12, 2011ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇ ପରବର୍ତ୍ତୀ ସମୟରେ ଜଷ୍ଟିସ ଗୋଗୋଇ ଏପ୍ରିଲ 23, 2012ରେ ସୁପ୍ରିମ କୋର୍ଟର ବିଚାରପତି ରୂପେ ଅବସ୍ଥାପିତ ହୋଇଥିଲେ ।