ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (PMSSY) ଅଧୀନରେ ଉତ୍ତରପ୍ରଦେଶର ଗୋରଖପୁରଠାରେ ଏକ ନୂଆ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏଥିପାଇଁ ମୋଟ 1011 କୋଟି ଟଙ୍କା ବ୍ୟୟ କରାଯିବ । ମୋଟ ବ୍ୟୟ ଅଟକଳରେ ପୁନଃପୌନିକ ମୂଲ୍ୟ (ଯଥା ମଜୁରି ଓ ବେତନ ଏବଂ କାର୍ଯ୍ୟାନ୍ୱୟନ ଓ ରକ୍ଷଣାବେକ୍ଷଣ ବ୍ୟୟ) ସାମିଲ ନୁହେଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ PMSSY ଯୋଜନା ବଜେଟ ଅଧୀନରେ ସହାୟତା ପ୍ରଦାନ ଜରିଆରେ ନୂଆ ଏମ୍ସ ବାର୍ଷିକ ବଜେଟ ଖର୍ଚ୍ଚ ତୁଲାଯିବ ।
ଏହି ଅନୁଷ୍ଠାନ ସହ ଏକ 750 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ମଧ୍ୟ ରହିବ ଏବଂ ଏଥିରେ ଆପାତ/ଟ୍ରମା ବେଡ, ଆୟୁଷ ଶଯ୍ୟା, ଘରୋଇ ଏବଂ ଆଇସିୟୁ ସ୍ପେଶାଲିଟି/ସୁପର ସ୍ପେଶାଲିଟି ଶଯ୍ୟା ମଧ୍ୟ ରହିବ । ଏଥିସହ ଏଥିରେ ଏକ ପ୍ରଶାସନିକ ବ୍ଲକ, ପ୍ରେକ୍ଷାଳୟ, ରାତ୍ରୀକାଳୀନ ଆଶ୍ରୟସ୍ଥଳ, ହଷ୍ଟେଲ ଓ ଆବାସିକ ବ୍ୟବସ୍ଥା ରହିବ ।
ନୂଆ ଏମ୍ସ ପ୍ରତିଷ୍ଠା ଫଳରେ ଲୋକମାନଙ୍କୁ ସୁପର ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ମିଳିପାରିବ । ତା’ଛଡା ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଏକ ବିଶାଳ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟସେବା ଗୋଷ୍ଠୀ ଗଠନ ହୋଇପାରିବ । ଜାତୀୟ ସ୍ୱାସ୍ଥ୍ୟ ମିଶନର ମୂଳ ଉଦ୍ଦେଶ୍ୟ ଅନୁଯାୟୀ ଏମ୍ସ ଭଳି ସଂଗଠନ ପ୍ରାଥମିକ, ମାଧ୍ୟମିକ ସ୍ତରର ଅନୁଷ୍ଠାନ ଓ ବ୍ୟବସ୍ଥା ସୃଷ୍ଟି କରିବ ଏବଂ ଏହି ଅଞ୍ଚଳରେ ବ୍ୟାପୁଥିବା ବିଭିନ୍ନ ରୋଗ ସମ୍ବନ୍ଧରେ ଉଚ୍ଚତର ଗବେଷଣା କରାଯିବ ।