Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସାମ ବୁଝାମଣାର ଧାରା 6କୁ ଉଚ୍ଚସ୍ତରୀୟ ସମିତି ଦ୍ୱାରା ଲାଗୁ କରାଯିବା ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ବୋଡୋ ସମ୍ପ୍ରଦାୟର ଦୀର୍ଘଦିନର ଦାବିକୁ ମଧ୍ୟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆସାମ ବୁଝାମଣାର ଗୁରୁତ୍ୱପୁର୍ଣ୍ଣ ଧାରା 6କୁ ଲାଗୁ କରିବା ଲାଗି ଏକ ଉଚ୍ଚସ୍ତରୀୟ ସମିତି ଗଠନ ଏବଂ ବୁଝାମଣାର କେତେକ ନିଷ୍ପତ୍ତି ତଥା ବୋଡୋ ସମ୍ପ୍ରଦାୟ ସହ ଜଡ଼ିତ କେତେକ ମାମଲାକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି ।

1979-1985 ସମୟରେ ହୋଇଥିବା ଆସାମ ଆନ୍ଦୋଳନ ପରେ 15 ଅଗଷ୍ଟ 1985ରେ ଆସାମ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ବୁଝାମଣାର ଧାରା 6 ଅନୁଯାୟୀ ଆସାମର ଲୋକମାନଙ୍କ ସାଂସ୍କୃତିକ, ସାମାଜିକ, ଭାଷାଭିତ୍ତିକ ପରିଚୟ ଏବଂ ପରମ୍ପରାକୁ ସଂରକ୍ଷିତ ରଖିବା ଏବଂ ପ୍ରୋତ୍ସାହିତ କରିବା ଲାଗି ଉପଯୁକ୍ତ ସାମ୍ବିଧାନିକ, ଆଇନଗତ ଏବଂ ପ୍ରଶାସନିକ ପଦକ୍ଷେପ ନିଆଯିବ ।

କିନ୍ତୁ ଏପରି ଅନୁଭବ ହୋଇଥିଲା ଯେ ଆସାମ ବୁଝାମଣାର 35 ବର୍ଷ ପରେ ମଧ୍ୟ ବୁଝାମଣାର ଧାରା 6କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଗଲା ନାହିଁ । ସେଥିପାଇଁ କ୍ୟାବିନେଟ ଏକ ଉଚ୍ଚସ୍ତରୀୟ ସମିତି ଗଠନକୁ ମଞ୍ଜୁରି ଦେଇଛନ୍ତି, ଯାହା ଆସାମ ବୁଝାମଣାର ଧାର 6 ଉପରେ ଆଲୋକପାତ କରି ସାମ୍ବିଧାନିକ, ଆଇନଗତ ଏବଂ ପ୍ରଶାସନିକ ସୁରକ୍ଷାତ୍ମକ ଉପାୟ ସହ ଜଡ଼ିତ ସୁପାରିସ ପ୍ରଦାନ କରିବେ । ସମିତି ଆସାମ ବୁଝାମଣାର ଧାରା 6କୁ ଲାଗୁ କରିବା ବେଳେ 1985ରୁ ବର୍ତ୍ତମାନ ସୁଦ୍ଧା ହୋଇଥିବା କାର୍ଯ୍ୟଗୁଡ଼ିକର ପ୍ରଭାବକୁ ମୂଲ୍ୟାଙ୍କନ କରିବ । ସମିତି ସମସ୍ତ ଅଂଶୀଦାରମାନଙ୍କ ସହିତ ବିଚାର-ବିମର୍ଶ କରିବ ତଥା ଆସାମ ଲୋକମାନଙ୍କ ପାଇଁ ଆସାମ ବିଧାନସଭା ଏବଂ ସ୍ଥାନୀୟ ପ୍ରଶାସନିକ ସଂସ୍ଥାରେ ସଂରକ୍ଷଣ ଲାଗି ସିଟ ସଂଖ୍ୟାର ଆକଳନ କରିବ । ସମିତି ଅହମୀୟା ଏବଂ ଅନ୍ୟ ସ୍ଥାନୀୟ ଭାଷାକୁ ସଂରକ୍ଷିତ କରି ରଖିବା, ଆସାମ ସରକାରଙ୍କ ଅଧୀନରେ ନିଯୁକ୍ତିରେ ସଂରକ୍ଷଣର ପ୍ରତିଶତ ନିର୍ଦ୍ଧାରଣ କରିବା ଏବଂ ଆସାମ ଲୋକମାନଙ୍କ ସାଂସ୍କୃତିକ ସାମାଜିକ ଭାଷାଭିତ୍ତିକ ପରିଚୟ ଏବଂ ପରମ୍ପରାକୁ ସୁରକ୍ଷିତ, ସଂରକ୍ଷିତ ଏବଂ ପ୍ରୋତ୍ସାହିତ କରିବା ଲାଗି ଉପାୟର ଆବଶ୍ୟକତା ଆକଳନ କରିବ ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମିତିର ଢାଂଚା ଏବଂ ସର୍ତ୍ତ ସମ୍ପର୍କରେ ଭିନ୍ନ ଅଧିସୂଚନା ଜାରି କରିବ । ଆଶା କରାଯାଉଛି ଯେ ସମିତି ଗଠନ ଫଳରେ ଆସାମ ବୁଝାମଣା ଅକ୍ଷରେ ଅକ୍ଷରେ ଲାଗୁ କରିବାର ମାର୍ଗ ପ୍ରଶସ୍ତ ହେବ ଏବଂ ଏହା ଆସାମର ଲୋକମାନଙ୍କ ଦୀର୍ଘଦିନର ଆଶା ପୂରଣ ହେବ ।

କ୍ୟାବିନେଟ ବୋଡୋ ସମ୍ପ୍ରଦାୟ ସହ ଜଡ଼ିତ ଦୀର୍ଘ ସମୟ ଧରି ଚାଲିଆସୁଥିବା ମାମଲାଗୁଡ଼ିକୁ ପୂରଣ କରିବାରେ ବିଭିନ୍ନ ଉପାୟଗୁଡ଼ିକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ବୋଡୋ ବୁଝାମଣା 2003ରେ ସ୍ୱାକ୍ଷରିତ ହୋଇଥିଲା । ଫଳସ୍ୱରୂପ ଭାରତୀୟ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନ୍ତର୍ଗତ ବୋଡୋଲେଣ୍ଡ ଆଂଚଳିକ ପରିଷଦ ଗଠନ ହୋଇଥିଲା । ତେବେ ବୋଡୋ ସମ୍ପ୍ରଦାୟର ବିଭିନ୍ନ ସଂଗଠନ ନିଜ ଦାବି ସମ୍ପର୍କରେ ଲଗାତାର ଦାବିପତ୍ର ଦେଇଆସିଛନ୍ତି ।

କ୍ୟାବିନେଟ ଆଜି ବୋଡୋ ସଂଗ୍ରହାଳୟ ସହିତ ଭାଷା ଏବଂ ସାଂସ୍କୃତିକ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା, କୋକ୍ରାଝରରେ ବର୍ତ୍ତମାନର ଅଲ ଇଣ୍ଡିଆ ରେଡିଓ ଷ୍ଟେସନ ଏବଂ ଦୂରଦର୍ଶନ କେନ୍ଦ୍ରକୁ ଆଧୁନିକ କରିବା ଏବଂ ବିଟିଏଡି ଦେଇ ଯିବାକୁ ଥିବା ଏକ ସୁପର ଫାଷ୍ଟ ଟ୍ରେନର ନାମ ଅରୋନଇ ଏକ୍ସପ୍ରେସ ରଖିବା ଆଦି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି ।

ରାଜ୍ୟ ସରକାର ଭୂମି ନୀତି ଏବଂ ଭୂମି ଆଇନ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ନେବେ । ଏହାବ୍ୟତୀତ ରାଜ୍ୟ ସରକାର ସ୍ଥାନୀୟ ସମ୍ପ୍ରଦାୟର ରୀତିନୀତି, ପରମ୍ପରା ଏବଂ ଭାଷାର ଗବେଷଣା ଏବଂ ଦସ୍ତାବିଜ ଲେଖନ ଲାଗି ସଂସ୍ଥାଗୁଡ଼ିକର ପ୍ରତିଷ୍ଠା କରିବ ।