ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ୱଳା ଡିସକମ୍ ଗ୍ୟାରେଂଟି ଯୋଜନା (ଉଦୟ)ର ଅଗ୍ରଗତି ନେଇ ଆଜି ସାମୀକ୍ଷା କରିଛନ୍ତି । ଏହି ଯୋଜନା ଅଧିନରେ ରାଜ୍ୟମାନଙ୍କରେ ଚାଲିଥିବା ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକ୍ରମର ତର୍ଜମା କରାଯାଇଥିଲା । ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏହି ଯୋଜନାରେ ଉପଲବ୍ଧ ଋଣ, ତଦାରଖ ଫ୍ରେମୱାର୍କ, ଆର୍ଥିକ ପରିମାପଗୁଡିକର ଉନ୍ନତି, କାର୍ଯ୍ୟକାରୀ ଦକ୍ଷତା ବୃଦ୍ଧି ଏବଂ ଉପଭୋକ୍ତା ସଶକ୍ତିକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ବୈଠକରେ କୋଇଲା ଖଣି ଏବଂ ଖଣିଜ ବ୍ଲକଗୁଡିକର ନିଲାମୀ ସମ୍ପର୍କରେ ମଧ୍ୟ ପର୍ଯ୍ୟାଲୋଚନା ହୋଇଥିଲା । ବରିଷ୍ଠ ଅଧିକାରୀମାନେ ଏହି କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପନା କରିଥିଲେ । ନିଲାମୀ ପ୍ରକ୍ରିୟାରେ ଅଧିକ ପାରଦର୍ଶୀତା, ସ୍ୱଚ୍ଛତା ସହିତ ନିଲାମୀ ହୋଇଥିବା ଖଣିଜ ବ୍ଲକକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଲାଗି ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଏକ ମାର୍ଗଚିତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଖଣିଜ ସମୃଦ୍ଧ ଅଂଚଳର ମ୍ୟାପିଂ ଏବଂ ସର୍ଭେ ବେଳେ ସମସ୍ତ ଲାଇନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ସମୀକ୍ଷା ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନିତି ଆୟୋଗ ତଥା ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
**********
Reviewed various aspects of UDAY & mineral block auction at a high level meeting today. https://t.co/w2nX0VHbo7
— Narendra Modi (@narendramodi) July 21, 2017