Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋଚି ମେଟ୍ରୋକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

କୋଚି ମେଟ୍ରୋକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

କୋଚି ମେଟ୍ରୋକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଚି ମେଟ୍ରୋର ଉଦ୍ଘାଟନ କରିଛନ୍ତି ଓ ନୂଆ ମେଟ୍ରୋ ଲାଇନ୍ ରେ କିଛି ସମୟ ପାଇଁ ଯାତ୍ରା କରିଥିଲେ । ପରେ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ କୋଚି ମେଟ୍ରୋକୁ ସମର୍ପିତ କରିବା ପାଇଁ ଆୟୋଜିତ ସମାରୋହରେ ବହୁ ସଂଖ୍ୟାରେ ଏକତ୍ରୀତ ହୋଇଥିବା ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ।


ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ :

କୋଚି ମେଟ୍ରୋର ଉଦ୍ଘାଟନ ସମାରୋହରେ ଭାଗ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ ଏହି ଗର୍ବର ମୂହୁର୍ତ୍ତରେ କୋଚିର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି ।


ବନ୍ଧୁଗଣ,

ଆରବ ସାଗରର ରାଣୀ କୋଚି, ମସଲା ବ୍ୟବସାୟର ଏକ ମହତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚିତ । ଏବେ ଏହା କେରଳର ବାଣିଜ୍ୟିକ ରାଜଧାନୀ ଭାବେ ପରିଚିତ । କେରଳ ଆସୁଥିବା ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସଂଖ୍ୟା ଦୃଷ୍ଟିରୁ କୋଚି ପ୍ରଥମ ସ୍ଥାନରେ ରହିଛି । ତେଣୁ କୋଚିରେ ମେଟ୍ରୋ ଟ୍ରେନର ସୁବିଧା ହେବାର ମଧ୍ୟ ଯଥାର୍ଥ ।

ଏହି ସହରର ଜନସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି ଓ 2021 ମସିହା ସୁଦ୍ଧା 23ଲକ୍ଷରେ ପହଂଚିବାର ଅନୁମାନ କରାଯାଉଛି । ତେଣୁ ସହରର ଭିତ୍ତିଭୂମି ଢାଂଚା ଉପରେ ବଢ଼ୁଥିବା ଚାପର ମୁକାବିଲା ପାଇଁ ଏକ ବ୍ୟାପକ ଦ୍ରୁତ ପରିବହନ ବ୍ୟବସ୍ଥା ଆବଶ୍ୟକ । ଏହା କୋଚିର ଆର୍ଥିକ ବିକାଶରେ ମଧ୍ୟ ଯୋଗଦାନ କରିବ ।

କୋଚି ମେଟ୍ରୋ ଟ୍ରେନ୍ ଲିମିଟେଡ୍ ଭାରତ ସରକାର ଓ କେରଳ ସରକାରର 50:50 ଅନୁଦାନର ଯୌଥ ଉଦ୍ୟୋଗ । କୋଚି ମେଟ୍ରୋ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ 2 ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି ଉଦ୍ଘାଟନ ହେଉଥିବା ପର୍ଯ୍ୟାୟରେ ଅଲୁଭାରୁ ପଲାରିଭାଟ୍ଟୋମ ପର୍ଯ୍ୟନ୍ତ ଟ୍ରେନ ଚାଲିବ । ଏହା 13.26 କିମି ଦୂର ଓ 11ଟି ଷ୍ଟେସନ୍ ମଧ୍ୟ ଦେଇ ଅତିକ୍ରମ କରିବ ।
ଏହି ମେଟ୍ରୋ ପରିଯୋଜନାର ଅନେକ ମହତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ରହିଛି ।

ଏହା ଆଧୁନିକ ସିଗ୍ନାଲ ପ୍ରଣାଳୀ ‘କମ୍ୟୁନିକେସନ୍ ଆଧାରିତ ଟ୍ରେନ୍ ନିୟନ୍ତ୍ରଣ ସିଗନାଲ୍ ସିଷ୍ଟମ’ ରେ ପରିଚାଳିତ ପ୍ରଥମ ମେଟ୍ରୋ ପରିଯୋଜନା ।

ଏହାର ଡବା ‘ମେକ୍ ଇନ୍ ଇଣ୍ଡିଆ’ ଲକ୍ଷ୍ୟକୁ ଦର୍ଶାଉଛି । ଏହି ଡବାକୁ ଫ୍ରାନ୍ସର କମ୍ପାନୀ ଅଲ୍ସଟମ୍ ଦ୍ୱାରା ଚେନ୍ନାଇ ନିକଟରେ ଥିବା ତା’ର କାରଖାନାରେ ନିର୍ମାଣ କରାଯାଇଛି ଓ ଏଥିରେ ପ୍ରାୟ 70 ପ୍ରତିଶତ ଭାରତୀୟ ଉପକରଣ ଲଗାଯାଇଛି ।

କୋଚି ମେଟ୍ରୋ ସହରର ସମଗ୍ର ସାର୍ବଜନୀନ ପରିବହନ ନେଟୱାର୍କକୁ ଏକକ ସିଷ୍ଟମରେ ଏକୀକୃତ କରୁଛି । ଏହି ସିଷ୍ଟମରେ ଗୋଟିଏ ସାଧାରଣ ସମୟ-ସାରଣୀ, ସାଧାରଣ ଟିକେଟ୍ ବ୍ୟବସ୍ଥା ଓ କେନ୍ଦ୍ରୀକୃତ ‘କମାଣ୍ଡ ଓ କଂଟ୍ରୋଲ’ ସାମିଲ ହେବ । ଏହା ସହର ଆଭ୍ୟନ୍ତରୀଣ ସୀମାର ଶେଷ ସ୍ଥାନ ପର୍ଯ୍ୟନ୍ତ ସଂଯୋଗ ଓ ମୋଟର ସମେତ ପରିବହନ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ମଧ୍ୟ ଧ୍ୟାନକେନ୍ଦ୍ରିତ କରୁଛି ।

କୋଚି ମେଟ୍ରୋ ଟିକେଟ୍ ପାଇଁ ମଧ୍ୟ ଏକ ନୂତନ ପିପିପି ମଡେଲର ମାର୍ଗ ପ୍ରଶସ୍ତ କରିଛି । ସ୍ୱୟଂଚାଳିତ ଭଡ଼ା ଆଦାୟ ବ୍ୟବସ୍ଥାରେ ନିବେଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆଧାରରେ ଭାରତୀୟ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନଗୁଡ଼ିକୁ ଆମନ୍ତ୍ରିତ କରାଯାଉଛି । ଚୟନିତ ବ୍ୟାଙ୍କର ନାମ କୋଚି ମେଟ୍ରୋ ଭଡ଼ା କାର୍ଡ ଓ App ରେ ସହଯୋଗୀ ବ୍ରାଣ୍ଡ ଭାବେ ଜାରି କରାଯିବ ।

ମୋତେ କୁହାଯାଇଛି କି କୋଚି-1 କାର୍ଡ ହେଉଛି ଏକ ବହୁମୁଖୀ ପ୍ରି-ପେଡ୍ କଂଟ୍ରାକ୍ଟଲେସ୍ RuPay କାର୍ଡ । ଯାହାର ଉପଯୋଗ ମେଟ୍ରୋରେ ଯାତ୍ରା କରିବା ଓ ଏହା ସହିତ ସାଧାରଣ ଡେବିଟ୍ କାର୍ଡ ଭାବେ ମଧ୍ୟ କରିହେବ । କୋଚି ବିଶ୍ୱର କେତେକ ହାତଗଣତି ସହର ମଧ୍ୟରେ ସାମିଲ ହେବ ଓ ଏହା ଭାରତରେ ପ୍ରଥମ ଏଭଳି ସହର ଯେଉଁଠି ଆଧୁନିକ ଓପନ୍-ଲୁପ୍ ସ୍ମାର୍ଟ କାର୍ଡ ହେବ । ଯାହାର ଉପଯୋଗ ବସ୍, ଟ୍ୟାକ୍ସି ଓ ଅଟୋ ଭଳି ପରିବହନର ଅନ୍ୟ ସାଧନରେ ମଧ୍ୟ କରାଯାଇ ପାରିବ ।

ମୁଁ ଆହୁରି ଜାଣିବାକୁ ପାଇଛି ଯେ କୋଚି-1 ମୋବାଇଲ୍ ଆପ୍ ଦୀର୍ଘକାଳକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି । ଏହି ମୋବାଇଲ୍ ଆପ୍ ରେ ଏକ ଇଲେକ୍ଟ୍ରୋନିକ୍ସ-ୱାଲେଟ୍ କୁ ଏକୀକୃତ କରାଯାଇଛି ଯାହା କୋଚି କାର୍ଡ-1 ସହ ସଂଯୁକ୍ତ ହୋଇଛି । ଆରମ୍ଭରେ ଏହା କୋଚିର ନାଗରିକଙ୍କୁ ମେଟ୍ରୋ ସେବାର ଲାଭ ଉଠାଇବାରେ ସହାୟତା କରିବ । କିନ୍ତୁ ଭବିଷ୍ୟତରେ ଏହା ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକତାକୁ ପୂରଣ କରିବ । ଏହା ମାଧ୍ୟମରେ ନିୟମିତ ପୈଠ ସମ୍ବନ୍ଧୀୟ ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ପାରିବ ଓ ଏହା ସହର ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ମଧ୍ୟ ଉପଲବ୍ଧ କରାଇବ । ଏଭଳି ଭାବେ ଏହା ଇ-ଗଭର୍ଣ୍ଣାନ୍ସ ଡିଜିଟାଲ ପ୍ଲାଟଫର୍ମର ଏକ ଉତ୍ତମ ଉଦାହରଣ । ଏହି ପରିଯୋଜନାର ଏକ ଅନ୍ୟ ମହତ୍ୱପୂର୍ଣ୍ଣ ଦିଗ ହେଉଛି କୋଚି ମେଟ୍ରୋ ଟ୍ରେନ ସିଷ୍ଟମରେ କାମ କରିବା ପାଇଁ ପ୍ରାୟ ଏକ ହଜାର ମହିଳା ଓ 23ଜଣ କିନ୍ନରଙ୍କୁ ଚୟନ କରଯାଇଛି ।

ଏହି ପରିଯୋଜନା ପରିବେଶ ଅନୁକୂଳ ବିକାଶର ଏକ ଉଦାହରଣ ମଧ୍ୟ । ଏହା ମୋଟ ଶକ୍ତି ଆବଶ୍ୟକତାର ପ୍ରାୟ 25 ପ୍ରତିଶତ ଅକ୍ଷୟ ଶକ୍ତିରୁ ବିଶେଷ କରି ସୌର ଶକ୍ତିରୁ ମିଳିବାର ଯୋଜନା ଅଛି । ଦୀର୍ଘ ଅବଧି ପାଇଁ ଜିରୋ କାର୍ବନ ଉତ୍ସର୍ଜନ ବିଶିଷ୍ଟ ସହର ଟ୍ରାନ୍ଜିଟ୍ ପ୍ରଣାଳୀ କରିବା ମଧ୍ୟ ଯୋଜନା ରହିଛି । ମେଟ୍ରୋ ବ୍ୟବସ୍ଥାର ପ୍ରତ୍ୟେକ ଷଷ୍ଠ ଖୁମ୍ଭରେ ଏକ ନିବୃତ ଭର୍ଟିକାଲ ଗାର୍ଡେନ ହେବ ଯାହା ଅନେକାଂଶରେ ସହରର ବର୍ଜ୍ୟକୁ ଉପଯୋଗ କରିବ ।

ଏହା ଜାଣି ଅତ୍ୟନ୍ତ ଖୁସି ଲାଗୁଛି ଯେ କୋଚି ମେଟ୍ରୋ ସମସ୍ତ ଷ୍ଟେସନ୍ ସହ ଅପରେଟିଂ କଂଟ୍ରୋଲ ସେଂଟରକୁ ପ୍ଲାଟିନମ୍ ରେଟିଂ ହାସଲ କରିଛି । ଯାହା ଇଣ୍ଡିଆନ ଗ୍ରୀନ୍ ବିଲିଡିଂ କାଉନସିଲ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ପ୍ରମାଣୀକୃତ ସ୍ତର ।


ବନ୍ଧୁଗଣ

ଗତ 3ବର୍ଷ ମଧ୍ୟରେ ମୋର ସରକାର ଦେଶର ସମଗ୍ର ଭିତ୍ତିଭୂମି ଢାଂଚାର ବିକାଶ ଉପରେ ଗୁରୁତ୍ୱ ଦେଉଛି । ରେଳବାଇ, ସଡ଼କ, ବିଦ୍ୟୁତ କ୍ଷେତ୍ରକୁ ଆମେ ପ୍ରାଥମିକତା ଦେଉଛୁ । ‘ପ୍ରଗତି’ ବୈଠକରେ ମୁଁ ବ୍ୟକ୍ତିଗତ ଭାବେ 8 ଲକ୍ଷ କୋଟି ଟଙ୍କାରୁ ଅଧିକ 175ଟି ପରିଯୋଜନାର ସମୀକ୍ଷା କରିଛି । ଆମେ ପ୍ରତିବନ୍ଧକକୁ ଦୂର କରିଛୁ ଓ ଏହି କ୍ଷେତ୍ରରେ କାର୍ଯ୍ୟକାରିତାର ହାରରେ ଉଲ୍ଲେଖନୀୟ ଉନ୍ନତି ଆସିଛି । ଏବେ ଆମେ ପରବର୍ତ୍ତୀ ପୀଢ଼ିର ଭିତ୍ତିଭୂମି ଢାଂଚା ଉପରେ ମଧ୍ୟ ଧ୍ୟାନକେନ୍ଦ୍ରୀତ କରୁଛୁ । ଯେଉଁଥିରେ ଲଜିଷ୍ଟିକ, ଡିଜିଟାଲ ଓ ଗ୍ୟାସ୍ ସାମିଲ ଅଛି ।

ବିଶେଷକରି ସହରରେ ସାର୍ବଜନୀନ ପରିବହନରେ ଉନ୍ନତି ଆଣିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ଏହି କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆମନ୍ତ୍ରିତ କରାଯାଇଛି । ମେଟ୍ରୋ ଟ୍ରେନ୍ ପରିଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତରେ 50 ସହର ପ୍ରସ୍ତୁତ ଅଛନ୍ତି ।

ମେଟ୍ରୋ ଟ୍ରେନ୍ ବ୍ୟବସ୍ଥାର ଆର୍ଥିକ ଓ ସାମାଜିକ ଲାଭ ସମସ୍ତେ ଜାଣନ୍ତି । ଆମେ ଏହି କ୍ଷେତ୍ରରେ ନୀତି ନିର୍ଦ୍ଧାରଣକୁ ଗତିଶୀଳ କରୁଛୁ । ନିକଟରେ ଭାରତ ସରକାର ମେଟ୍ରୋ ଟ୍ରେନର ରେଲିଙ୍ଗ ଷ୍ଟକ ଓ ସିଗ୍ନାଲ ପ୍ରଣାଳୀ ପାଇଁ ବୈଶିଷ୍ଟ୍ୟକୁ ମାନକୀକୃତ କରିଛନ୍ତି । ଏହା ନିର୍ମାଣକାରୀମାନଙ୍କୁ ଭାରତରେ ଦୀର୍ଘ ଅବଧି ପାଇଁ ନିର୍ମାଣ ପ୍ଲାଂଟ ସ୍ଥାପିତ କରିବା ପାଇଁ ପ୍ରୋତ୍ସାହିତ କରିବ । ‘ମେକ୍ ଇନ୍ ଇଣ୍ଡିଆ’ ଆଭିମୁଖ୍ୟ ଅନୁରୂପ ମେଟ୍ରୋ ରେଲିଙ୍ଗ ଷ୍ଟକ୍ ର ଘରୋଇ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି ।

ବନ୍ଧୁଗଣ

ସାଧାରଣ ଲୋକ କେନ୍ଦ୍ରୀତ ଦୃଷ୍ଟିକୋଣକୁ ଆପଣାଇବା ଓ ଭୂମିର ଉପଯୋଗ ଏବଂ ପରିବହନକୁ ଏକୀକୃତ କରି ସହର ଯୋଜନାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।

ଏ ଦିଗରେ ଭାରତ ସରକାର 2017 ଏପ୍ରିଲରେ ଏକ ନେସନାଲ ଟ୍ରାଞ୍ଜିଟ୍ ଓରିଏଂଟେଡ୍ ଡେଭଲପମେଣ୍ଟ ନୀତି ଜାରି କରିଛନ୍ତି । ଏହି ନୀତି ସହରକୁ ଟ୍ରାଞ୍ଜିଟ୍ ଉପରେ ନିର୍ଭର କରିବା ପରିବର୍ତ୍ତେ ଟ୍ରାଞ୍ଜିଟ୍ କେନ୍ଦ୍ରୀତ ଭାବେ ବଦଳାଇବାକୁ ଚାହୁଁଛି । ଏହାର ଉଦ୍ଦେଶ୍ୟ ହେଉଛି ଅତିକମରେ ପାଦଚାଳିତ ବର୍ଗ ସୃଷ୍ଟି କରିବା ଓ ସାର୍ବଜନୀନ ପରିବହନକୁ ଟ୍ରାଞ୍ଜିଟ୍ ର ନିକଟତର କରାଇବା ।

ମୁଁ ଭେଲ୍ୟୁ କେପ୍ଚର ଫାଇନାନ୍ସ ପଲିସି ଫ୍ରେମୱାର୍କ ପାଇଁ ଭେଙ୍କେୟା ଜୀଙ୍କ ନେତୃତ୍ୱରେ ସହରାଂଚଳ ବିକାଶ ମନ୍ତ୍ରଣାଳୟର ପ୍ରଶଂସା କରୁଛି । ଏହା ବୃଦ୍ଧି ପାଉଥିବା ଜମି ଦର ନିୟନ୍ତ୍ରଣକୁ ଆଣିବାରେ ଏକ ବ୍ୟବସ୍ଥା ପ୍ରଦାନ କରିବ ।

ଏବେ ମୁଁ ଏହି ମହତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଥିବାରୁ କୋଚିର ନାଗରିକ, କୋଚି ମେଟ୍ରୋ ଟ୍ରେନ୍ କର୍ପୋରେସନ୍ ଓ କେରଳର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ନିଜର ଭାଷଣ ସମାପ୍ତ କରୁଛି । କୋଚି 2016 ଜାନୁୟାରୀରେ ଚାଲେଞ୍ଜ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟି ଭାବେ ଚୟନ ହୋଇଥିଲା । ମୁଁ ଆଶା କରୁଛି ଆଗାମୀ ଦିନରେ ଏହା ଅଧିକ ଭଲ କରିବ ।

ଧନ୍ୟବାଦ

**********