Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଏବଂ ବ୍ରାଜିଲ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ ରାଷ୍ଟ୍ରପତି ମହାମାନ୍ୟ ଜାୟର ମେସିଆସ ବୋଲସୋନାରୋଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । କୋଭିଡ-19 ମହାମାରୀ ସଂକ୍ରମଣ ଯୋଗୁ ବିଶ୍ୱ ସ୍ଥିତି ନେଇ ଉଭୟ ନେତା ଆଲୋଚନା କରିଥିଲେ ।

କୋଭିଡ-19 ଯୋଗୁ ବ୍ରାଜିଲରେ ହୋଇଥିବା ଜନଜୀବନ ହାନି ନେଇ ପ୍ରଧାନମନ୍ତ୍ରୀ ନିଜର ସମବେଦନା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏଭଳି ସମୟରେ ବନ୍ଧୁବତ୍ସଳ ବ୍ରାଜିଲ ବାସୀଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ପ୍ରାର୍ଥନା ରହିଛି ।

ଉଭୟ ନେତା ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ କୋଭିଡ-19 ଦ୍ୱାରା ସୃଷ୍ଟ ତୀବ୍ର ସଙ୍କଟର ମୁକାବିଲା ନେଇ ଘନିଷ୍ଠ ସହଭାଗୀତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କୋଭିଡ ପରବର୍ତ୍ତୀ ବିଶ୍ୱ ପାଇଁ ଏକ ନୂଆ ମାନବ-କୈନ୍ଦ୍ରିକ ଉଦାରୀକରଣ ବିଚାରର ଆବଶ୍ୟକତା ରହିଛି ବୋଲି ସେମାନେ ସହମତ ହୋଇଥିଲେ ।

ବର୍ତ୍ତମାନର କଷ୍ଟକର ସମୟରେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କୋଭିଡ-19 ପରିସ୍ଥିତି ଓ ଏହାଯୋଗୁ ସୃଷ୍ଟି ଆହ୍ୱାନର ମୁକାବିଲା ଉଦ୍ଦେଶ୍ୟରେ ଉଭୟ ଦେଶର ଅଧିକାରୀ ନିୟମିତ ଯୋଗାଯୋଗରେ ରହିବେ ବୋଲି ସେମାନେ ସହମତ ହୋଇଥିଲେ ।

ଚଳିତ ବର୍ଷ ଭାରତର 70ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ପାଇଁ ପୁନଃ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ ଭାରତ-ବ୍ରାଜିଲ ବନ୍ଧୁତାର ସୁଦୃଢ଼ତା ପାଇଁ ଖୁସି ବ୍ୟକ୍ତ କରିଥିଲେ । ଗତ ବର୍ଷ ବ୍ରିକ୍ସ ସମ୍ମିଳନୀରେ ନେତୃତ୍ୱ ପାଇଁ ସେ ବ୍ରାଜିଲକୁ ଧନ୍ୟବାଦ ଜଣାଇଥିଲେ ।

**********