Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରୁଷ ରାଷ୍ଟ୍ରପତି ମହାମାନ୍ୟ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ଏହି ଦୁଇ ନେତା କୋଭିଡ-19 ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବୈଶ୍ୱିକ ସଙ୍କଟ ଉପରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ-19ରେ ଆକ୍ରାନ୍ତ ଥିବା ରୁଷ ଜନସାଧାରଣଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ଏବଂ ଶ୍ରୀ ପୁଟିନଙ୍କ ନେତୃତ୍ୱରେ ଏହି ରୋଗର ମୁକାବିଲା ପାଇଁ ପ୍ରଚେଷ୍ଟା ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।

ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ-19ର ମୁକାବିଲା ହେତୁ ଭାରତରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକର ସଫଳତା ପାଇଁ ଶୁଭକାମନା ଜଣାଇଥିଲେ ।

ଏହି ବୈଶ୍ଵିକ ବିପତ୍ତି ସମୟରେ ସ୍ୱାସ୍ଥ୍ୟ, ଚିକିତ୍ସା, ବୈଜ୍ଞାନିକ ଅନୁସନ୍ଧାନ ଓ ମାନବିକତା ସଂକଟ ସମ୍ବନ୍ଧିତ ସମସ୍ତ ଆହ୍ୱାନଗୁଡିକୁ ମିଳିମିଶି ମୁକାବିଲା କରିବା ପାଇଁ ଦୁଇ ନେତା ସହମତି ଜଣାଇଥିଲେ । କୋଭିଡ-19ର ମୁକାବିଲା ପାଇଁ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ଦୁଇ ନେତା ଜି-20 ବ୍ୟବସ୍ଥା ଅନ୍ତର୍ଗତ ସମ୍ଭାବିତ ସହଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ରୁଷିଆରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ଶ୍ରୀ ପୁଟିନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ଏହିଭଳି ସହଯୋଗର ଆଶା ବ୍ୟକ୍ତ କରିଥିଲେ । ଅପରପକ୍ଷେ ଶ୍ରୀ ପୁଟିନ ମଧ୍ୟ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ଶ୍ରୀ ପୁଟିନଙ୍କୁ କହିଥିଲେ ଯେ ଭାରତୀୟ ଅଧିକାରୀମାନେ ରୁଷ ନାଗରିକଙ୍କ କଲ୍ୟାଣ ଚାହାଁନ୍ତି ଏବଂ ଆବଶ୍ୟକସ୍ଥଳେ ସେମାନଙ୍କର ଫେରିବାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିବେ ।

ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗକୁ ଜାରୀ ରଖିବା ପାଇଁ ଏବଂ ଆବଶ୍ୟକତା ଅନୁସାରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ଅଧିକ ମଜବୁତ କରିବା ଲାଗି ଦୁଇ ନେତା ସହମତି ଜଣାଇଥିଲେ । ଚଳିତ ବର୍ଷ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପାଇଁ ଅନେକ ଅବସରକୁ ସେମାନେ ଅପେକ୍ଷା କରିଥିବା କଥା ଉଭୟେ ଦୋହରାଇଥିଲେ ।

**********