ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ କାନାଡା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର(ଏମଓୟୁ)କୁ ମଞ୍ଜୁରି ମିଳିଛି । ଏହି ଏମଓୟୁ ଦ୍ୱାରା ଏକ ବ୍ୟବସ୍ଥା ନିର୍ମିତ ହେବ ଏବଂ ଗବେଷଣା ଓ ବିକାଶ ନିମନ୍ତେ ଭାରତ ଏବଂ କାନାଡାର ଏକାଡେମିକ ସଂସ୍ଥାଗୁଡ଼ିକ ମଧ୍ୟରେ ବୈଜ୍ଞାନିକ ସହଯୋଗ ବୃଦ୍ଧିପାଇବ ।
ପ୍ରମୁଖ ବିଶେଷତ୍ୱ :
-ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଏବଂ କାନାଡାର ପ୍ରାକୃତିକ ବିଜ୍ଞାନ ଏବଂ ଇଞ୍ଜନିୟରିଂ ଗବେଷଣା ପରିଷଦ (ଏନଏସଇଆରସି) ମଧ୍ୟରେ ବୁଝାମଣା ଅଧୀନରେ ଭାରତ ଏବଂ କାନାଡା ମଧ୍ୟରେ ଗବେଷଣା ଏବଂ ବିକାଶ ସହଯୋଗର ନବପ୍ରବର୍ତ୍ତନକାରୀ ମଡେଲ ଲାଗୁ କରାଯିବ ।
-ଏମଓୟୁ ଅଧୀନରେ ଗୋଷ୍ଠୀଭିତ୍ତିକ ପରିବର୍ତ୍ତନ ତଥା ନିରନ୍ତରତା (ଆଇସି-ଇମ୍ପାକ୍ଟସ) କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଲାଗି ନବପ୍ରବର୍ତ୍ତନକାରୀ ବହୁବିଷୟଭିତ୍ତିକ ଭାଗିଦାରୀ ଲାଗି ଭାରତ-କାନାଡା କେନ୍ଦ୍ରକୁ ସହାୟତା ଦିଆଯିବ । ଯାହାଦ୍ୱାରା ଭାରତ-କାନାଡା ବହୁବିଷୟଭିତ୍ତିକ ଗବେଷଣା ଭାଗିଦାରୀକୁ ପ୍ରୋତ୍ସାହନ ମିଳିପାରିବ ।
-ଗବେଷଣା ଏବଂ ବିକାଶ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଏବଂ ପ୍ରଯୁକ୍ତି ଆପ୍ଲିକେସନ ମାଧ୍ୟମରେ ସମାଧାନ ପ୍ରଦାନ କରି ସାମାଜିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ।
-ସହଭାଗୀଙ୍କ ମଧ୍ୟରେ ଭାରତ ଏବଂ କାନାଡାର ବୈଜ୍ଞାନିକ ସଂଗଠନ, ଶିକ୍ଷଣୀୟ ଏବଂ ଗବେଷଣା ଓ ବିକାଶ ସଂଗଠନର ଗବେଷକମାନେ ସାମିଲ ହେବେ ।
-ଆପୋସ ସହଯୋଗ ପାଇଁ ଚିହ୍ନଟ କ୍ଷେତ୍ରଗୁଡ଼ିକ ମଧ୍ୟରେ ସୁରକ୍ଷିତ ଏବଂ ଚିରସ୍ଥାୟୀ ଭିତ୍ତିଭୂମି ଏବଂ ସମନ୍ୱିତ ଜଳ ପରିଚାଳନା ସାମିଲ ରହିଛି ।
-ଏହାଦ୍ୱାରା ସଂସ୍ଥାଗତ ନେଟୱାର୍କିଂ ବିକଶିତ କରିବା ତଥା ଭାରତ ଓ କାନାଡାର ବୈଜ୍ଞାନିକ ସଂଗଠନ, ବୈଜ୍ଞାନିକ ଏବଂ ବିଶେଷଜ୍ଞମାନଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠାରେ ସହାୟତା ମିଳିପାରିବ ।
ସୂଚନାଯୋଗ୍ୟ ଯେ ଏହି ବୁଝାମଣାପତ୍ର ନଭେମ୍ବର, 2005ରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତି ସହଯୋଗ ଲାଗି ଭାରତ ଏବଂ କାନାଡା ମଧ୍ୟରେ ହୋଇଥିବା ଆନ୍ତଃସରକାରୀ ବୁଝାମଣା ଅନୁରୂପ ଅଟେ ।
**********