ପିଏମଇଣ୍ଡିଆ
ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ କଏଦୀମାନଙ୍କୁ ସ୍ୱତନ୍ତ୍ର କ୍ଷମା ପ୍ରଦାନ କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ନିମ୍ନଲିଖିତ ଶ୍ରେଣୀର କଏଦୀମାନଙ୍କୁ ସ୍ୱତନ୍ତ୍ର କ୍ଷମା ପ୍ରଦାନ କରାଯିବ ଏବଂ ସେମାନଙ୍କୁ ତିନୋଟି ପର୍ଯ୍ୟାୟରେ ମୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ବନ୍ଦୀମାନଙ୍କୁ 2 ଅକ୍ଟୋବର, 2018 (ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ)ରେ ମୁକ୍ତ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ କଏଦୀମାନଙ୍କୁ 10 ଏପ୍ରିଲ 2019 (ଚମ୍ପାରଣ ସତ୍ୟାଗ୍ରହର ବର୍ଷପୂର୍ତ୍ତୀ)ରେ ମୁକ୍ତ କରାଯିବ । ତୃତୀୟ ପର୍ଯ୍ୟାୟରେ କଏଦୀମାନଙ୍କୁ 02 ଅକ୍ଟୋବର, 2019 (ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ)ରେ ମୁକ୍ତ କରାଯିବ ।
1. ମହିଳା କଏଦୀ ଯେଉଁମାନଙ୍କର ଆୟୁ 55 ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବ ଏବଂ ଯିଏ ନିଜ 50 ପ୍ରତିଶତ ବାସ୍ତବିକ ଦଣ୍ଡାଦେଶ ଅବଧି ପୂରଣ କରିସାରିଥିବେ ।
2. ସେପରି କିନ୍ନର କଏଦୀ ଯେଉଁମାନଙ୍କ ବୟସ 55 ବର୍ଷ କିମ୍ବା ତତୋଧିକ ହୋଇଥିବ ଏବଂ ଯେଉଁମାନେ ନିଜ 50 ପ୍ରତିଶତ ବାସ୍ତବିକ ଦଣ୍ଡର ଅବଧି ପୂରଣ କରିସାରିଥିବେ ।
3. ସେପରି ପୁରୁଷ କଏଦୀ ଯେଉଁମାନଙ୍କର ବୟସ 60 ବର୍ଷ କିମ୍ବା ତତୋଧିକ ହୋଇଥିବ ଏବଂ ସେ ନିଜର 50 ପ୍ରତିଶତ ବାସ୍ତବିକ ଦଣ୍ଡ ଅବଧି ପୂରଣ କରିସାରିଥିବେ ।
4. ସେପରି ଦିବ୍ୟାଙ୍ଗ/ଶାରୀରିକ ଭାବେ 70 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଅକ୍ଷମତା କଏଦୀ ଯେଉଁମାନେ ନିଜ 50 ପ୍ରତିଶତ ବାସ୍ତବିକ ଦଣ୍ଡ ଅବଧି ପୂରଣ କରିନେଇଥିବେ ।
5. ସେପରି ଦୋଷୀ ସାବ୍ୟସ୍ତ କଏଦୀ ଯିଏକି ନିଜ ଦୁଇ ତୃତୀୟାଂଶ (66%) ଦଣ୍ଡ ଅବଧି ସମ୍ପୂର୍ଣ୍ଣ କରିସାରିଥିବେ ।
ମୃତ୍ୟୁଦଣ୍ଡ ସଜା ଭୋଗୁଥିବା କିମ୍ବା ମୃତ୍ୟୁଦଣ୍ଡ କୋହଳ କରାଯାଇ ଆଜୀବନ କାରାବାସରେ ପରିଣତ କରାଯାଇଥିବା କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦିଆଯିବ ନାହିଁ । ଏହାବ୍ୟତୀତ ଯୌତୁକ ମୃତ୍ୟୁ, ବଳାତ୍କାର, ମାନବ ଚାଲାଣ ଏବଂ ପୋଟା, ୟୁଏପିଏ, ଟାଡା, ଏଫଆଇସିଏନ, ପୋକ୍ସୋ ଏକ୍ଟ, ବେଆଇନ ଅର୍ଥ କାରବାର, ଫେମା, ଏନଡିପିଏସ, ଦୁର୍ନୀତି ନିରାକରଣ ଅଧିନିୟମ ଆଦିର ଦୋଷୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ନାହିଁ ।
ଗୃହ ମନ୍ତ୍ରଣାଳୟ ସମସ୍ତ ଯୋଗ୍ୟ କଏଦୀଙ୍କ ମାମଲାରେ ଚିହ୍ନଟ ଲାଗି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ପରାମର୍ଶ ଜାରି କରିବ । ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନକୁ ଏହି ମାମଲାରେ ଯାଞ୍ଚ ଲାଗି ଏକ ସମିତି ଗଠନ କରିବା ଲାଗି ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାର ଏହି ସମିତିର ସୁପାରିସକୁ ରାଜ୍ୟପାଳଙ୍କ ନିକଟକୁ ବିଚାର ଏବଂ ସମ୍ବିଧାନର ଧାରା 161ର ଅନ୍ତର୍ଗତ ମଞ୍ଜୁରି ଲାଗି ପଠାଇବେ । ମଞ୍ଜୁରି ମିଳିବା ପରେ କଏଦୀମାନଙ୍କୁ 02 ଅକ୍ଟୋବର 2018, 10 ଏପ୍ରିଲ 2019 ଏବଂ 02 ଅକ୍ଟୋବର 2019ରେ ମୁକ୍ତ କରାଯିବ ।