ପିଏମଇଣ୍ଡିଆ
ବ୍ୟକ୍ତିଗତ ସ୍ୱର୍ଣ୍ଣ ନିବେଶ ସୀମା 4 କିଲୋଗ୍ରାମ, ଟ୍ରଷ୍ଟମାନଙ୍କ ପାଇଁ 20 କିଲୋଗ୍ରାମକୁ ବୃଦ୍ଧି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ସୋଭରେନ୍ ଗୋଲ୍ଡ ବଣ୍ଡ(ଏସଜିବି) ସ୍କିମକୁ ସଫଳ କରିବା ଲକ୍ଷ୍ୟ ନେଇ ଏହାର ମାର୍ଗଦର୍ଶିକା (ଗାଇଡଲାଇନ) ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ଏହି ସ୍କିମରେ ଦୁଇଟି ପର୍ଯ୍ୟାୟର ପରିବର୍ତ୍ତନ କରାଯାଇଛି ।
1) ଏହି ସ୍କିମକୁ ଅଧିକ ଆକର୍ଷଣୀୟ କରିବା, ଲକ୍ଷ୍ୟ ଅନୁରୂପ ଅର୍ଥ ଯୋଗାଡ଼ କରିବା ଏବଂ ସୁନା ଆମଦାନୀ ଦ୍ୱାରା ପଡ଼ୁଥିବା ଆର୍ଥିକ ଚାପ ହ୍ରାସ କରିବା ଓ ଚଳନ୍ତି ଜମା ନିଅଂଟ (ସିଏଡି) ପରିମାଣ ହ୍ରାସ କରିବା ପାଇଁ ସ୍କିମର କେତେକ ଗୁଣରେ ବିଶେଷ ପରିବର୍ତ୍ତନ କରାଯାଇଛି ।
2) ଅର୍ଥ ମନ୍ତ୍ରଣାଳୟକୁ କେତେକ ସୁବିଧା ଦିଆଯାଇଛି ଯାହାଦ୍ୱାରା ଏହା ବିଭିନ୍ନ ବର୍ଗର ନିବେଶକଙ୍କ ପାଇଁ ନିବେଶ ବିକଳ୍ପ ଯୋଗାଇଦେବା ଲାଗି ଏସଜିବିଗୁଡ଼ିର ଢାଂଚା ପରିବର୍ତ୍ତନ କରିପାରିବ ଏବଂ ବିଭିନ୍ନ ସୁଧ ଦର ଏବଂ ରିସ୍କ ପ୍ରୋଟେକ୍ସନ/ପେ’ଅଫ୍ ସହିତ ଏସଜିବିଗୁଡ଼ିକରେ ନୂଆ ଭିନ୍ନତା ଆଣିପାରିବ । ଅର୍ଥ ମନ୍ତ୍ରଣାଳୟ(ଜାରିକର୍ତ୍ତା)କୁ ଏହି ଯୋଜନାର ବୈଶିଷ୍ଟ୍ୟରେ ସଂଶୋଧନ ଏବଂ ଯୋଡ଼ିବାର କ୍ଷମତା ଦିଆଯାଇଛି ଯାହାଦ୍ୱାରା ଏହା ଅର୍ଥମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଶେଷ ଭାଗ ଏବଂ ଏହାର ଅଧିସୂଚନା ମଧ୍ୟରେ ସମୟ ସୀମାକୁ କମ୍ କରିପାରିବ । ନିବେଶର ନୂଆ ଉତ୍ପାଦ ସହିତ ପ୍ରତିଯୋଗିତାର ନୂଆ ଦିଗ ସହିତ ମୁକାବିଲା କରିବାରେ ଏପରି ସୁବିଧା ଉପାଦେୟ ହୋଇପାରିବ ।
ସ୍କିମରେ ନିମ୍ନୋକ୍ତ ନିର୍ଦ୍ଦିଷ୍ଟ ପରିବର୍ତ୍ତନକୁ ମଞ୍ଜୁରି ମିଳିଛି:
କ) ପ୍ରତି ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ପିଛା ନିବେଶ ସୀମାକୁ ବଢ଼ାଇ 4 କେଜି କରାଯାଇଛି, 4 କେଜି ହିନ୍ଦୁ ଅବିଭକ୍ତ ପରିବାର(ଏଚୟୁଏଫ) ପାଇଁ ଏବଂ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ବିଜ୍ଞପିତ ହୋଇଥିବା ଟ୍ରଷ୍ଟ ଏବଂ ସମଜାତୀୟ ସଂସ୍ଥା ପାଇଁ 20 କିଲୋଗ୍ରାମ ରଖାଯାଇଛି ।
ଖ) ଆର୍ଥିକ ବର୍ଷ ଆଧାରରେ ସିଲିଂ ଗଣାଯିବ ଏବଂ ସେକେଣ୍ଡାରୀ ମାର୍କେଟରେ କିଣାଯାଇଥିବା ଏସଜିବି ସାମିଲ୍ ହେବ ।
ଗ)ନିବେଶର ସିଲିଂରେ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥା ଦ୍ୱାରା ଆନୁସଙ୍ଗିକ ରୂପରେ ହୋଲ୍ଡିଂ ସାମିଲ୍ ହେବ ନାହିଁ ।
ଘ) ‘ଅନ୍ ଟ୍ୟାପ୍’ରେ ଏସଡିବି ଉପଲବ୍ଧ ହୋଇପାରିବ । ଏନ୍ଏସ୍ଇ, ବିଏସ୍ଇ, ବ୍ୟାଙ୍କ ଏବଂ ଡାକ ବିଭାଗ ସହିତ ପରାମର୍ଶ ଆଧାରରେ ଉତ୍ପାଦ ବୈଶିଷ୍ଟ୍ୟର ‘ଅନ୍ ଟ୍ୟାପ୍’ ସେଲ୍କୁ ଅନୁକରଣ କରିବା ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ନେବ ।
ଙ)ଉତ୍ପାଦକୁ ନମନୀୟ ଏବଂ ବ୍ୟାପାର ଯୋଗ୍ୟ କରିବା ଲାଗି ଉପଯୁକ୍ତ ବଜାର ସୃଷ୍ଟି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ । ବଜାର ସୃଷ୍ଟିକାରୀ, ବାଣିଜ୍ୟିକ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଯେପରିକି ଏମ୍ଏମଟିସି କିମ୍ବା ସରକାରଙ୍କ ନିର୍ଦ୍ଧାରିତ ଅନ୍ୟ କୌଣସି ସଂସ୍ଥାନ ।
ଚ) ଆବଶ୍ୟକ ହେଲେ, ସରକାର ଏଜେଣ୍ଟମାନଙ୍କ ପାଇଁ ଉଚ୍ଚ ହାରର କମିଶନକୁ ମଞ୍ଜୁରି ଦେଇପାରନ୍ତି ।
ସୂଚନାଯୋଗ୍ୟ ଯେ କ୍ୟାବିନେଟର ମଞ୍ଜୁରି ପରେ ଭାରତ ସରକାର ନଭେମ୍ବର 05, 2015ରେ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ (ଏସଜିବି) ଆରମ୍ଭ କରିଥିଲେ । ଏହି ସ୍କିମରେ ଡିମାଟ ପଦ୍ଧତିରେ 2015-16 ରେ 15 ହଜାର କୋଟି ଟଙ୍କା ଏବଂ 2016-17 ଆର୍ଥିକ ବର୍ଷରେ 10 ହଜାର କୋଟି ଟଙ୍କା ଆହରଣ କରାଯାଇଥିଲା । ତେବେ ସରକାରୀ ଖାତାକୁ ବର୍ତ୍ତମାନ ସୁଦ୍ଧା ଏହି ନିବେଶ ଯୋଜନା ମାଧ୍ୟମରେ 4,769 କୋଟି ଟଙ୍କା ଆସି ସାରିଲାଣି ।