ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ସିଣ୍ଟର୍ଡ ରେୟାର ଆର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ (ଆରଇପିଏମ) ଯୋଜନାକୁ ଅନୁମୋଦନ କରାଯାଇଛି। 7 ହଜାର 280 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ସହିତ ଏହି ଯୋଜନାରେ ସିଣ୍ଟର୍ଡ ରେୟାର ଆର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ ନିର୍ମାଣକୁ ଦେଶରେ ପ୍ରୋତ୍ସାହିତ କରାଯିବ। ଭାରତ ସରକାର ପ୍ରଥମ ଥର ପାଇଁ ଏଭଳି ଅଭିନବ ଯୋଜନା ଆଣିଛନ୍ତି ଯାହାର ଲକ୍ଷ୍ୟ ହେଉଛି ଦେଶରେ ବାର୍ଷିକ 6 ହଜାର ମେଟ୍ରିକ୍ ଟନ୍ କ୍ଷମତାବିଶିଷ୍ଟ ଆରଇପିଏମ୍ ନିର୍ମାଣ କ୍ଷମତା ବିକଶିତ କରିବା। ଏହା ଭାରତକୁ ଆତ୍ମନିର୍ଭରଶୀଳ କରିବା ସହିତ ବିଶ୍ୱ ଆରଇପିଏମ୍ ବଜାରରେ ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ସ୍ଥାପିତ କରିବ।
ଆରଇପିଏମ ହେଉଛି ପର୍ମାନେଣ୍ଟ ମ୍ୟାଗ୍ନେଟର ସବୁଠୁ କଠିନ ସ୍ୱରୂପ ଏବଂ ଏହା ଇଲେକ୍ଟ୍ରୋନିକ୍ସ ବାହନ, ଅକ୍ଷୟ ଶକ୍ତି, ଇଲେକ୍ଟ୍ରୋନିକ୍ସ, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ଜରୁରୀ ଉପକରଣ ରୂପେ ବ୍ୟବହୃତ ହୋଇଥାଏ। ଏହି ଯୋଜନା ସମନ୍ୱିତ ଆରଇପିଏମ ଉତ୍ପାଦନ ୟୁନିଟ୍ ନିର୍ମାଣକୁ ସମର୍ଥନ କରିବ। ଏସବୁ ୟୁନିଟରେ ପ୍ରଥମେ ରେୟାର ଆର୍ଥ ଅକ୍ସାଇଡକୁ ଧାତୁରେ, ଧାତୁକୁ ଆଲଏରେ ଏବଂ ଆଲଏକୁ ଅନ୍ତିମ ଆରଇପିଏମ ରୂପେ ନିର୍ମାଣ କରାଯିବ।
ବୈଦ୍ୟୁତିକ ଯାନବାହନ, ଅକ୍ଷୟ ଶକ୍ତି, ଶିଳ୍ପ ଉପକରଣ ଏବଂ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସର ଦ୍ରୁତ ବର୍ଦ୍ଧିତ ଚାହିଦା ଯୋଗୁଁ ଭାରତରେ ଆରଇପିଏମ ବ୍ୟବହାର 2025 ତୁଳନାରେ 2030 ସୁଦ୍ଧା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ, ଭାରତର ଆରଇପିଏମ ଚାହିଦା ମୁଖ୍ୟତଃ ଆମଦାନୀ ମାଧ୍ୟମରେ ପୂରଣ କରାଯାଉଛି। ଏହି ପଦକ୍ଷେପ ସହିତ ଭାରତ ଏହାର ପ୍ରଥମ ସମନ୍ୱିତ ଆରଇପିଏମ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ, ନିଯୁକ୍ତି ସୃଷ୍ଟି କରିବ, ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ ଏବଂ 2070 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ହାସଲ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବ।
ଏହି ଯୋଜନାର ମୋଟ ଆର୍ଥିକ ବ୍ୟୟବରାଦ 7280 କୋଟି ଟଙ୍କା ରଖାଯାଇଛି ଯେଉଁଥିରେ ପାଞ୍ଚ ବର୍ଷ ପାଇଁ ଆରଇପିଏମ ବିକ୍ରୟ ଲାଗି 6450 କୋଟି ଟଙ୍କାର ବିକ୍ରି ଆଧାରିତ ପ୍ରୋତ୍ସାହନ ଏବଂ ମୋଟ 6 ହଜାର ଆରଇପିଏମ ଉତ୍ପାଦନ ସୁବିଧା ସ୍ଥାପନ ପାଇଁ 750 କୋଟି ଟଙ୍କାର ପୁଞ୍ଜି ସବସିଡି ଅନ୍ତର୍ଭୁକ୍ତ।
ଏହି ଯୋଜନାରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟା ମାଧ୍ୟମରେ ପାଞ୍ଚଟି ହିତାଧିକାରୀ ସଂସ୍ଥାଗୁଡ଼ିକୁ ମୋଟ କ୍ଷମତା ଆବଣ୍ଟନ କରିବାର ପରିକଳ୍ପନା କରାଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ବାର୍ଷିକ 1,200 ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଉତ୍ପାଦନ କ୍ଷମତା ଆବଣ୍ଟନ କରାଯିବ।
ଯୋଜନାର ମୋଟ ଅବଧି 7 ବର୍ଷ ହେବ, ଯେଉଁଥିରେ ଏକ ସମନ୍ୱିତ ଆରଇପିଏମ୍ ନିର୍ମାଣ ୟୁନିଟ୍ ସ୍ଥାପନ ପାଇଁ 2 ବର୍ଷର ନିର୍ମାଣ ଅବଧି ଏବଂ ଆରଇପିଏମ ବିକ୍ରୟ ଉପରେ ପ୍ରୋତ୍ସାହନ ବଣ୍ଟନ ପାଇଁ 5 ବର୍ଷ ଅନ୍ତର୍ଭୁକ୍ତ।
ଭାରତ ସରକାରଙ୍କ ଏହି ପଦକ୍ଷେପ ଘରୋଇ ଆରଇପିଏମ ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ। ଆରଇପିଏମ ଉତ୍ପାଦନରେ ସ୍ୱଦେଶୀ କ୍ଷମତାକୁ ପ୍ରୋତ୍ସାହିତ କରି ଏହି ଯୋଜନା କେବଳ ଘରୋଇ ଶିଳ୍ପ ପାଇଁ ଆରଇପିଏମ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବ ନାହିଁ ବରଂ ଦେଶର ନେଟ୍ ଜିରୋ 2070 ପ୍ରତିବଦ୍ଧତାକୁ ମଧ୍ୟ ସମର୍ଥନ କରିବ। ଏହା ବିକଶିତ ଭାରତ 2047ର ଦୃଷ୍ଟିକୋଣ ସହିତ ଏକ ବୈଷୟିକ ଭାବେ ଆତ୍ମନିର୍ଭରଶୀଳ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଏବଂ ସ୍ଥାୟୀ ଶିଳ୍ପ ଆଧାର ନିର୍ମାଣ କରିବା ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ପ୍ରତିପାଦନ କରିଥାଏ।
********
PS
A historic first for India’s high-tech manufacturing!
— Narendra Modi (@narendramodi) November 26, 2025
The Union Cabinet has approved a scheme to establish India's first integrated ecosystem for manufacturing Sintered Rare Earth Permanent Magnets (REPM), which are essential components in electric vehicles, wind turbines,…