ପିଏମଇଣ୍ଡିଆ
ଭାରତ ମାତା କି ଜୟ ।
ଭାରତ ମାତା କି ଜୟ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଜୀ, ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନା ଜୀ, କେନ୍ଦ୍ର କ୍ୟାବିନେଟ୍ରେ ମୋର ସହଯୋଗୀ ମନହୋର ଲାଲ ଜୀ, ହର୍ଷ ମଲହୋତ୍ରା ଜୀ, ତୋଖନ ସାହୁ ଜୀ, ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ, ସମସ୍ତ ମାନନୀୟ ସାଂସଦ, ମାନନୀୟ ବିଧାୟକ ଏବଂ ଦିଲ୍ଲୀର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ଆଜି, ଆମେ ସମସ୍ତେ ଦିଲ୍ଲୀରେ ବିକାଶକୁ ଏକ ନୂତନ ଗତି ଦେବା ପାଇଁ ଏଠାରେ ଏକତ୍ର ହୋଇଛୁ। କିଛି ସମୟ ପୂର୍ବରୁ ଏଠାଂରେ ୩୩,୫୦୦ କୋଟି ଟଙ୍କର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ମେଟ୍ରୋର ସମ୍ପ୍ରସାରଣରୁ ଆରମ୍ଭ କରି ହଜାର ହଜାର ସରକାରୀ କର୍ମଚାରୀଙ୍କ ବାସଗୃହ ପର୍ଯ୍ୟନ୍ତ, ଦେଶର ରାଜଧାନୀରେ ସୁବିଧାଗୁଡିକର ନିରନ୍ତର ବିସ୍ତାର ହେଉଛି, ଏକ ନୂଆ ଶକ୍ତି ପ୍ରଦାନ କରାଯାଉଛି । ଆପଣମାନେ ଦିଲ୍ଲୀବାସୀ ଗୋଟିଏ ବର୍ଷ ପୂର୍ବରୁ ଯେଉଁ ନୂତନ ଆଶା ଏବଂ ସଂକଳ୍ପ ସହତ ଏଠାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ କରିଥିଲେ, ତାହାର ପରିଣାମ ଆଜି ଏଠାରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ଦୃଶ୍ୟମାନ ହେଉଛି । ମୁଁ ଦିଲ୍ଲୀର ସମସ୍ତ ନାଗରିକମାନଙ୍କୁ ଏହି ବିକାଶର ଏହି ନିରନ୍ତର ଧାରା ପାଇଁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଆଜିର ଏହି କାର୍ଯ୍ୟକ୍ରମ ଆଉ ଏକ କାରଣ ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର । ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଆଜି, ଭାରତ ମହିଳା ସଶକ୍ତିକରଣର ଏକ ନୂତନ କାହାଣୀ ଲେଖୁଛି । ରେଖା ଗୁପ୍ତାଙ୍କ ସଫଳ ନେତୃତ୍ୱରେ ଏଠାରେ ରାଜଧାନୀର ବିକାଶ ହେଉଛି । ରାଜନୀତି, ପ୍ରଶାସନ, ବିଜ୍ଞାନ, କ୍ରୀଡା କିମ୍ବା ସମାଜସେବା ହେଉ, ଭାରତର ନାରୀ ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଉର୍ଜା ସହିତ ଆଗକୁ ବଢ଼ୁଛି । ଆଜି ମହିଳା ଦିବସରେ, ମୁଁ ସମଗ୍ର ଦେଶର ନାରୀ ଶକ୍ତିକୁ ଅଭିନନ୍ଦନ ଜଣାଉଛି ଏବଂ ରାଷ୍ଟ୍ରର ବିକାଶରେ ସେମାନଙ୍କର ଅସୀମ ଅବଦାନ ପାଇଁ ଚିର ଋଣୀ । ମୁଁ ସେମାନଙ୍କୁ ଅନେକ ଶୁଭକାମନା ଜଣାଉଛି, ଯାହା ଦ୍ୱାରା ସେମାନେ ସମାଜ ଏବଂ ରାଷ୍ଟ୍ରକୁ ମଜବୁତ କରି ନିରନ୍ତର ପ୍ରଗତି ପଥରେ ନେବା ପାଇଁ ନୂତନ ଶକ୍ତି ସଞ୍ଚାର କରୁଥିବେ ।
ବନ୍ଧୁଗଣ,
ଯେତେବେଳେ ବିଶ୍ୱର କେହି ଭାରତ ଭଳି ଏକ ବିଶାଳ ଗଣତନ୍ତ୍ର ବିଷୟରେ ଚିନ୍ତା କରନ୍ତି, ସେତେବେଳେ ପ୍ରାୟତଃ ଦିଲ୍ଲୀର ପ୍ରତିଛବି ମନକୁ ଆସେ । ଦିଲ୍ଲୀ କେବଳ ଭାରତର ରାଜଧାନୀ ନୁହେଁ । ଏହା ଭାରତର ପରିଚୟ, ଭାରତର ଶକ୍ତିର ପ୍ରତୀକ ମଧ୍ୟ । ତେଣୁ, ଦିଲ୍ଲୀର ବିକାଶ କେବଳ ଗୋଟିଏ ସହରର ବିକାଶ ନୁହେଁ; ଏହା ସମଗ୍ର ଦେଶର ପ୍ରତିଛବି ସହିତ ଜଡିତ । ଦିଲ୍ଲୀ ଯେତେ ଆଧୁନିକ ହେବ, ଯେତେ ସୁବିଧାଜନକ ହେବ ଏବଂ ଦିଲ୍ଲୀର ସଂଯୋଗୀକରଣ ଯେତେ ଉନ୍ନତ ହେବ, ଭାରତର ଆତ୍ମବିଶ୍ୱାସ ବିଶ୍ୱ ସମ୍ମୁଖରେ ସେତେ ଅଧିକ ପ୍ରଦର୍ଶିତ ହେବ । ସେଥିପାଇଁ ମୁଁ ଖୁସି ଯେ, ଆଜି ଦିଲ୍ଲୀ ସୁବିଧା ଏବଂ ଭିତ୍ତଭୂମି ଦୃଷ୍ଟିରୁ ଦ୍ରୁତ ଗତିରେ ପ୍ରଗତି କରୁଛି । ଗୋଟିଏ ସମୟ ଥିଲା ଯେତେବେଳେ ଦିଲ୍ଲୀର ଦୁର୍ବଳ ଭିତ୍ତିଭୂମି ବିଷୟରେ ଚର୍ଚ୍ଚା ହେଉଥିଲା । ସହରର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯାତ୍ରା କରିବାକୁ ଘଣ୍ଟା ଘଣ୍ଟା ଲାଗୁଥିଲା ଏବଂ ମାଆ ଏବଂ ଭଉଣୀମାନେ ବସ୍ ଷ୍ଟାଣ୍ଡ୍ରେ ବସ ତଥା ଅଟୋ ପାଇଁ ଅପେକ୍ଷା କରି ସେମାନଙ୍କର ସମୟ ନଷ୍ଟ କରୁଥିଲେ । କିନ୍ତୁ ଆଜି ଦିଲ୍ଲୀର ଦୃଶ୍ୟପଟ ପରିବର୍ତ୍ତନ ହେଉଛି । କିଛି ଦିନ ତଳେ, ଦିଲ୍ଲୀକୁ ଦୃତଗାମୀ ଟ୍ରେନ୍, ନମୋ ଭାରତ ଏକ୍ସପ୍ରେସ୍ ମାଧ୍ୟମରେ ମିରଟ ସହିତ ସଂଯୋଗ କରାଯାଇଥିଲା । ଏହା ଫଳରେ ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା ଆହୁରି ସହଜ ହୋଇଛି । ଆଜି, ଚତୁର୍ଥ ପର୍ଯ୍ୟାୟ ମେଟ୍ରୋ ଆରମ୍ଭ ହେବା ସହିତ, ଦିଲ୍ଲୀ ମେଟ୍ରୋର ନେଟୱାର୍କ ୩୭୫ କିଲୋମିଟରରୁ ଅଧିକ ବିସ୍ତାରିତ ହୋଇଛି । ବିଶ୍ୱର ବଡ ବଡ ସହରଗୁଡିକରେ ମଧ୍ୟ ଏତେ ବିଶାଳ ମେଟ୍ରୋ ନେଟୱାର୍କ ନାହିଁ ।
ବନ୍ଧୁଗଣ,
ଆଜି ଆରମ୍ଭ ହୋଇଥିବା ନୂତନ ମେଟ୍ରୋ ସେକ୍ସନ ରାଜଧାନୀର ଲକ୍ଷ ଲକ୍ଷ ଲୋକଙ୍କୁ ବହୁତ ସୁବିଧା ପ୍ରଦାନ କରିବ । ବିଶେଷକରି ପୂର୍ବ ଏବଂ ଉତ୍ତର–ପୂର୍ବ ଦିଲ୍ଲୀର ଲୋକଙ୍କ ପାଇଁ, ଦୈନନ୍ଦିନ ଯାତ୍ରା ଏବେ ବହୁତ ସହଜ ହେବ । ଏଥିସହ, ଗାଜିଆବାଦ, ନୋଏଡା, ଫରିଦାବାଦ ଏବଂ ଗୁରୁଗ୍ରାମ ଭଳି ଏନ୍ସିଆର୍ ସହରଗୁଡିକ ମଧ୍ୟରେ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଯାତାୟତ ଆହୁରି ସୁବିଧାଜନକ ହୋଇଯିବ ।
ବନ୍ଧୁଗଣ,
ଆଜିର କାର୍ଯ୍ୟକ୍ରମ ଏହା ମଧ୍ୟ ପ୍ରମାଣ କରେ ଯେ, ଗୋଟିଏ ବର୍ଷ ପୂର୍ବରୁ ଦିଲ୍ଲୀ ଯେଉଁ ବିପର୍ଯ୍ୟୟ ସରକାର କବଳରୁ ମୁକ୍ତି ପାଇଲା, ତାହା କେତେ ଜରୁରୀ ଥିଲା । ଯଦି ଏଠାରେ ବିପର୍ଯ୍ୟୟ ସରକାର ନଥାନ୍ତା, ତେବେ ମେଟ୍ରୋ ଫେଜ୍-୪ ପ୍ରକଳ୍ପ ବହୁ ପୂର୍ବରୁ ଶେଷ ହୋଇଥାନ୍ତା । କିନ୍ତୁ ବିପର୍ଯ୍ୟୟ ଶାସକମାନେ ସେମାନଙ୍କର ରାଜନୈତିକ ସ୍ୱାର୍ଥ ପାଇଁ ଦିଲ୍ଲୀର ଲକ୍ଷ ଲକ୍ଷ ଲୋକଙ୍କ ସୁବିଧାକୁ ଭୂଲି ଯାଇଥିଲେ । ଏବେ ଏଠାରେ ବିଜେପି ସରକାର ଆସିବା ପରେ, ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ବନ୍ଧୁଗଣ,
ଡବଲ–ଇଞ୍ଜିନ ସରକାର ଅଧୀନରେ, ଦିଲ୍ଲୀର ପ୍ରତ୍ୟେକ ପରିବହନ ସୁବିଧାକୁ ଉନ୍ନତ କରାଯାଉଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଦିଲ୍ଲୀରେ ବସ୍ ଯୋଗେ ଯାତ୍ରା କରନ୍ତି । ତେଣୁ ଆମର ପ୍ରୟାସ ହେଉଛି, ଦିଲ୍ଲୀର ଲୋକମାନଙ୍କୁ ସ୍ୱଚ୍ଛ, ଆରାମଦାୟକ ଏବଂ ଆଧୁନିକ ବସ୍ ସେବା ଯୋଗାଇଦେବା । କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଚାରି ହଜାରରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଆଜି ଦିଲ୍ଲୀର ଲୋକମାନଙ୍କୁ ସେବା ପ୍ରଦାନ କରୁଛି ଏବଂ ଗତ ବର୍ଷକ ମଧ୍ୟରେ, ଦିଲ୍ଲୀ ରାସ୍ତାରେ ପ୍ରାୟ ୧୮୦୦ ନୂତନ ବସ୍ ନିୟୋଜିତ କରାଯାଇଛି । ଏଥିମଧ୍ୟରେ ଶହ ଶହ “ଦେବୀ ବସ୍” ଅନ୍ତର୍ଭୁକ୍ତ ଯାହା ଦିଲ୍ଲୀର କଲୋନୀ ଏବଂ ପଡୋଶୀମାନଙ୍କୁ ପରସ୍ପର ସହିତ ସଂଯୋଗ କରୁଛି ।
ବନ୍ଧୁଗଣ,
ପ୍ରାୟ ଦଶ ବର୍ଷ ଧରି ଏଠାରେ ବିପର୍ଯ୍ୟୟ ସରକାର ପ୍ରତ୍ୟେକ ବିକାଶ କାର୍ଯ୍ୟକୁ ଅଟକାଇ ଦେଇଥିଲା । ଏବେ ଆମର ସରକାର ଦିଲ୍ଲୀ ସହିତ ଜଡିତ ବିଭିନ୍ନ ଆହ୍ୱାନର ସମାଧାନ ପାଇଁ ମିଶନ ମୋଡରେ କାମ କରୁଛି । ପେରିଫେରାଲ ଏକ୍ସପ୍ରେସ୍-ୱେ ନିର୍ମାଣ ସହିତ, ଲକ୍ଷ ଲକ୍ଷ ଯାନବାହନକୁ ଆଉ ଦିଲ୍ଲୀରେ ପ୍ରବେଶ କରିବାକୁ ପଡିବ ନାହିଁ । ଯମୁନା ନଦୀର ସଫେଇ ପାଇଁ ବିଜେପି ସରକାର ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି ।
ବନ୍ଧୁଗଣ,
ଦିଲ୍ଲୀର ପୂର୍ବ ବିପର୍ଯ୍ୟୟ ସରକାର ଗରିବ, ମଧ୍ୟବିତ୍ତ ବର୍ଗ କିମ୍ବା ଅନ୍ୟ କାହାର ସମସ୍ୟା ବିଷୟରେ ଚିନ୍ତା କରିନଥିଲେ । ବିପର୍ଯ୍ୟୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରର ମଧ୍ୟ ସ୍ଥିତି ଖରାପ କରିଦେଇଥିଲେ । ଆମେ ସେମାନଙ୍କୁ ଚିଠି ଲେଖିଥିଲୁ, ଭାରତ ସରକାର ଚିଠି ଲେଖି ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ବିପର୍ଯ୍ୟୟ ଶାସକମାନେ କେବେ ଗରିବଙ୍କ ପାଇଁ ଚିନ୍ତା କରିନଥିଲେ । ମୁଁ ଖୁସି ଯେ ରେଖା ଜୀଙ୍କ ନେତୃତ୍ୱରେ ବିଜେପି ସରକାର ପରିସ୍ଥିତି ପରିବର୍ତ୍ତନ କରିବା ପାଇଁ ନିରନ୍ତର କାମ କରୁଛି । ଗତ ବର୍ଷକ ମଧ୍ୟରେ ଏଠାରେ ଅନେକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଲୋକମାନେ ବେଶ୍ ଲାଭବାନ ହେଉଛନ୍ତି । ଏବେ ଦିଲ୍ଲୀରେ ମଧ୍ୟ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉଛି । ଦିଲ୍ଲୀର ଲୋକମାନେ ମାଗଣା ଚିକିତ୍ସା ପାଉଛନ୍ତି । ତେଣୁ ପାର୍ଥକ୍ୟ ସ୍ପଷ୍ଟ । ବିପର୍ଯ୍ୟୟ ଶାସକଙ୍କ ପଥ ଥିଲା – କମ୍ କାମ, ଅଧିକ ବାହାନା । ଆଜି ଦିଲ୍ଲୀରେ ବିକାଶର ମଡେଲ୍ ହେଉଛି – ବାହାନା ବନ୍ଦ, କାମ ଆରମ୍ଭ । ପୂର୍ବରୁ ପ୍ରକଳ୍ପଗୁଡିକ ଫାଇଲ ତଳେ ଚାପି ହୋଇ ରହିଯାଉଥିଲେ । କିନ୍ତୁ ଆଜି ପ୍ରକଳ୍ପଗୁଡିକ ଭୂମିରେ କାର୍ଯ୍ୟକାରୀ ହେଉଛି ।
ବନ୍ଧୁଗଣ,
ଆଜି ଏଠାକୁ ଆସିବା ପୂର୍ବରୁ, ମୁଁ ସରୋଜିନୀ ନଗର ଯାଇଥିଲି । ସେଠାରେ ମୋତେ ନବନିର୍ମିତ ସରକାରୀ ବାସଗୃହ ଦେଖିବାର ସୁଯୋଗ ମିଳିଲା । ଏହି ଘରଗୁଡିକ ସରକାରୀ କର୍ମଚାରୀଙ୍କ ପାଇଁ ନିର୍ମିତ ହୋଇଛି, ଯେଉଁମାନେ ଦେଶର ପ୍ରତ୍ୟେକ ସଂକଳ୍ପକୁ ପୂରଣ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ସେମାନଙ୍କ ପାଇଁ ସୁରକ୍ଷିତ, ପରିଷ୍କାର ଏବଂ ସୁବିଧାଜନକ ବାସସ୍ଥାନ ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ । ସେଥିପାଇଁ ଏହି ନୂତନ ଏବଂ ଆଧୁନିକ କୋଠା ନର୍ମାଣ କରାଯାଉଛି । ଆଜି ହଜାର ହଜାର ଏପରି ନୂତନ ଫ୍ଲାଟ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଏହି ନୂତନ ଘରଗୁଡିକ ଆମର କର୍ମଯୋଗୀ ଏବଂ ସେମାନଙ୍କ ପରିବାରଙ୍କ ଜୀବନରେ ନୂତନ ଖୁସି ଏବଂ ଆଶା ଆଣିବ ବୋଲି ମୋର ବିଶ୍ୱାସ ।
ବନ୍ଧୁଗଣ,
ଆଜି, ଦେଶରେ ଯେଉଁଠାରେ ବିଜେପି ସରକାର ଅଛି, ପ୍ରତ୍ୟେକ ରାଜ୍ୟରେ ପ୍ରତ୍ୟେକ ଗାଁ ଏବଂ ସହରରେ, ଲୋକମାନେ ନିଶ୍ଚିତ ଭାବରେ କୌଣସି ନା କୌଣସି ଯୋଜନାରୁ ଲାଭ ପାଉଛନ୍ତି । ଆମର ଗରିବ ପରିବାର, ଆମର ମାଆ ଭଉଣୀମାନେ, ଆମର ଶ୍ରମିକ ଏବଂ ଚାଷୀ, ଛୋଟ ଛୋଟ କାମ କରୁଥିବା ମୋର ଭାଇ ଭଉଣୀମାନେ – ସରକାର ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ କିଛି ନା କିଛି କରୁଛନ୍ତି । ମୁଁ ଆପଣମାନଙ୍କୁ ଆମର ରାସ୍ତା ବିକ୍ରେତାଙ୍କ ଉଦାହରଣ ଦେଉଛି । ଆମର ଦୈନନ୍ଦିନ ଜୀବନରେ ସେମାନଙ୍କର ଗୁରୁତ୍ୱକୁ ଆମେ କରୋନା ସମୟରେ ଅନୁଭବ କରିଥିଲୁ । ଏମାନେ ସେହି ଲୋକ, ଦିନ ଥିଲା ସେମାନଙ୍କୁ ତାଙ୍କର ଗାଡି ଭଡାରେ ନେବାକୁ ପଡୁଥିଲା । ଏକ ଛୋଟ ବ୍ୟବସାୟ ଆରମ୍ଭ କରିବା ପାଇଁ, ସେମାନଙ୍କୁ ଅନ୍ୟମାନଙ୍କଠାରୁ ଉଚ୍ଚ ସୁଧରେ ଏକ କିମ୍ବା ଦୁଇ ହଜାର ଟଙ୍କା ମଧ୍ୟ ଋଣ ନେବାକୁ ପଡୁଥିଲା । କିନ୍ତୁ ଆମର ସରକାର ସେମାନଙ୍କର ଯନ୍ତ୍ରଣାକୁ ବୁଝିବା ସହ ସେମାନଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା ସହିତ ଯୋଡିଛି । ଆଜି ପ୍ରଧାନମନ୍ତ୍ରୀଙ୍କ ସ୍ୱନିଧି ଯୋଜନା ମାଧ୍ୟମରେ, ଏପରି ହିତାଧିକାରୀମାନଙ୍କୁ ସେମାନଙ୍କ କାମ ପାଇଁ ସହଜ ଋଣ ମିଳୁଛି । ଦିଲ୍ଲୀରେ ମଧ୍ୟ ପ୍ରାୟ ୨ ଲକ୍ଷ ରାସ୍ତା ବିକ୍ରେତା ଏହି ଯୋଜନା ମାଧ୍ୟମରେ ପ୍ରାୟ ୩୫୦ କୋଟି ଟଙ୍କାର ସହାୟତା ପାଇଛନ୍ତି ।
ବନ୍ଧୁଗଣ,
ଏବେ ମୁଁ ରାସ୍ତା ବିକ୍ରେତା ଭାବେ କାମ କରୁଥିବା କିଛି ମହିଳାଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇଲି ଏବଂ ସେମାନେ କେତେ ସଫଳତାର ସହିତ ଆଗକୁ ବଢ଼ୁଛନ୍ତି, ତାହା ଶୁଣି ମୋର ହୃଦୟ ଗର୍ବରେ ଭରିଗଲା ।
ବନ୍ଧୁଗଣ,
ଏହି ଦିଲ୍ଲୀରେ, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କେବଳ ଧନୀ ଲୋକଙ୍କ ହାତରେ ଥିଲା । କିନ୍ତୁ ଆଜି ପରିସ୍ଥିତି ବଦଳିବାରେ ଲାଗିଛି । ଏବେ ଆମର ରାସ୍ତା ବିକ୍ରେତା ଏବଂ ଗାଡି କର୍ମଚାରୀମାନେ ମଧ୍ୟ କ୍ରେଡିଟ୍ କାର୍ଡ ସୁବିଧା ପାଇପାରୁଛନ୍ତି । ସରକାର ଏହି ରାସ୍ତା ବିକ୍ରେତାମାନଙ୍କୁ ସ୍ୱନିଧି କ୍ରେଡିଟ୍ କାର୍ଡ ପ୍ରଦାନ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏବେ ସେମାନଙ୍କ ପକେଟରେ ଏକ କ୍ରେଡିଟ୍ କାର୍ଡ ରହିବ, ଯାହାକୁ ସେମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ । କିଛି ସମୟ ପୂର୍ବରୁ, ଏହି ମଞ୍ଚରେ ମୁଁ ଏହି ସ୍ୱନିଧି କ୍ରେଡିଟ୍ କାର୍ଡଗୁଡିକ ମଧ୍ୟରୁ କିଛି ମହିଳାଙ୍କୁ ହସ୍ତାନ୍ତର କରିବାର ସୌଭାଗ୍ୟ ପାଇଲି । ଏହି କାର୍ଡଗୁଡିକ ଗରିବଙ୍କ ପାଇଁ ସମ୍ମାନର ଏକ ନୂତନ ମାଧ୍ୟମ ହୋଇପାରିଛି ।
ବନ୍ଧୁଗଣ,
ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ମୁଁ ଦେଶର ମୋର ଲକ୍ଷ ଲକ୍ଷ ଭଉଣୀମାନଙ୍କ ସହିତ ଆଉ ଏକ ଖୁସି ବାଣ୍ଟିବାକୁ ଚାହିଁଛି । କିଛି ବର୍ଷ ପୂର୍ବେ, ଆମେ ଦେଶର ୩ କୋଟି ମହିଳାଙ୍କୁ “ଲକ୍ଷପତି ଦିଦି” କରିବାକୁ ସଂକଳ୍ପ ନେଇଥିଲୁ । ଅନେକ ମୋତେ ପରିହାସ କରିଥିଲେ, କହିଥିଲେ ଯେ ଗାଁର ମହିଳାମାନେ ଲକ୍ଷପତି ହେବା କେବଳ ନିର୍ବାଚନ ଜିତିବା ପାଇଁ ଏକ ନୂଆ ମିଥ୍ୟା ପ୍ରତିଶୃତି ବୋଲି କହିଥିଲେ । ମୋତେ ସମାଲୋଚନା କରାଯାଇଥିଲା, ଉପହାସ କରାଯାଇଥିଲା ଏବଂ ସୋସିଆଲ ମିଡିଆ ମଜାରେ ପରିପୂର୍ଣ୍ଣ ହୋଇଥିଲା । କିନ୍ତୁ ଆଜି, ଅନ୍ତର୍ଜାତୀୟ ମହିଳା ଦିବସରେ ମୁଁ ଗର୍ବର ସହିତ କହୁଛି ଯେ, ମୋର ମାଆ ଏବଂ ଭଉଣୀମାନଙ୍କ ପାଖରେ ଅପାର ଶକ୍ତି ଅଛି । ଯଦି ସୁଯୋଗ ଦିଆଯାଏ, ତେବେ ସେମାନେ ଅସାଧାରଣ ସଫଳତା ହାସଲ କରିପାରିବେ । ୩ କୋଟି ମହିଳାଙ୍କୁ “ଲକ୍ଷପତି ଦିଦି” କରିିବାର ସଂକଳ୍ପ ପୂରଣ ହୋଇଛି, ସେଥିପାଇଁ ମୁଁ ଖୁବ୍ ଖୁସି । ୩ କୋଟିରୁ ଅଧିକ ଭଉଣୀ ଏବେ ଲକ୍ଷପତି ହୋଇସାରିଛନ୍ତି।
ବନ୍ଧୁଗଣ,
ଦଶନ୍ଧି ଧରି, ଆମର ଗାଁର ଭଉଣୀମାନେ, ଦକ୍ଷତା ଏବଂ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ସେମାନଙ୍କ ପାଖରେ ପୁଞ୍ଜି ଏବଂ ସୁଯୋଗର ଅଭାବ ଥିଲା । ସେଥିପାଇଁ ଆମେ ସେମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡିଲୁ, ସେମାନଙ୍କୁ ବ୍ୟାଙ୍କ ସୁବିଧା ସହ ନୂତନ ତାଲିମ, ସୁଯୋଗ ଏବଂ ବଜାର ସହିତ ସଂଯୋଗ କଲୁ । ଆଜି ଦେଶର ୧୦ କୋଟିରୁ ଅଧିକ ମହିଳା ଏପରି ଗୋଷ୍ଠୀ ସହିତ ଜଡିତ । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି । ଫଳସ୍ୱରୂପ, ଗ୍ରାମୀଣ ମହିଳାମାନେ ସ୍ୱାବଲମ୍ବୀ ହେଉଛନ୍ତି, ନିଜ ପରିବାରର ଆୟ ବୃଦ୍ଧି କରୁଛନ୍ତି ଏବଂ “ଲକ୍ଷପତି ଦିଦି” ହୋଇ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରୁଛନ୍ତି ।
ବନ୍ଧୁଗଣ,
ଆମର ଭଉଣୀମାନଙ୍କର ଏହି ସଫଳତା ଆମକୁ ଏକ ନୂତନ ସଂକଳ୍ପ ନେବାକୁ ପ୍ରେରଣା ଦେଇଛି । ୩ କୋଟି “ଲକ୍ଷପତି ଦିଦି” ତିଆରି କରିବା ପୂର୍ବରୁ ଅସମ୍ଭବ ମନେ ହେଉଥିଲା, କିନ୍ତୁ ଏହା ହାସଲ ହୋଇଛି । ଏବେ ସରକାର ଆଉ ୩ କୋଟି ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଲକ୍ଷପତି ହୋଇଥିବା ୩ କୋଟି ସହିତ ଆମେ ଏବେ ଆଉ ୩ କୋଟି ଅଧିକ କରିବାକୁ ସଂକଳ୍ପ ନେଉଛୁ । ଆମ ଦେଶର ମହିଳା ଶକ୍ତିର ଆଶୀର୍ବାଦରେ ଏହି ସଂକଳ୍ପ ମଧ୍ୟ ପୂରଣ ହେବ ବୋଲି ମୋର ବିଶ୍ୱାସ।
ଭାଇ ଓ ଭଉଣୀମାନେ,
ଆଜି, ଯେତେବେଳେ ଦେଶ ଆମର ମାଆ, ଭଉଣୀ ଏବଂ ଝିଅଙ୍କ ସଫଳତାକୁ ପାଳନ କରୁଛି, ମୁଁ ଦିଲ୍ଲୀ ଏବଂ ଦେଶର ଲୋକଙ୍କ ସହିତ ଏକ ଯନ୍ତ୍ରଣା ବାଣ୍ଟିବାକୁ ଚାହୁଁଛି । ଏହି ଯନ୍ତ୍ରଣା, ଏହି ଦୁଃଖ, ହୃଦୟରେ ଏକ ଗଭୀର ଆଘାତ ଲାଗିଛି, ଯାହାକୁ ମୁଁ ନାଗରିକମାନଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଚାହୁଁଛି । ଆଜି ଦେଶ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ସମୟରେ, ଗତକାଲି ପଶ୍ଚିମବଙ୍ଗରେ ଟିଏମ୍ସି ସକରାର ଭାରତର ରାଷ୍ଟ୍ରପତି, ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଗଭୀର ଭାବରେ ଅପମାନିତ କରିଛନ୍ତି । ସେ ସାନ୍ତାଳ ଆଦିବାସୀ ପରମ୍ପରାର ଏକ ପ୍ରମୁଖ ଉତ୍ସବରେ ଯୋଗ ଦେବା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ । କିନ୍ତୁ ରାଷ୍ଟ୍ରପତି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଆଦିବାସୀ କାର୍ଯ୍ୟକ୍ରମରେ ସମ୍ମିଳିତ ହେବା ପରିବର୍ତ୍ତେ, ଟିଏମ୍ସି ସାନ୍ତାଳ ଲୋକଙ୍କ ପବିତ୍ର କାର୍ଯ୍ୟକ୍ରମକୁ ବର୍ଜନ କରିଥିଲା ଏବଂ ନିଜେ ରାଷ୍ଟ୍ରପତିଙ୍କୁ ବର୍ଜନ କରିଥିଲା । ସେ ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସଛନ୍ତି ଏବଂ ସାନ୍ତାଳ ଲୋକଙ୍କ ବିକାଶ ପାଇଁ କାମ କରିଛନ୍ତି । ଟିଏମ୍ସି ସରକାର କାର୍ଯ୍ୟକ୍ରମକୁ ଅବ୍ୟବସ୍ଥିତ ଭାବରେ ଛାଡି ଦେଇଥିଲା ।
ବନ୍ଧୁଗଣ,
ଏହା କେବଳ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ନୁହେଁ, ବରଂ ଭାରତର ସମ୍ବିଧାନ, ସମ୍ବିଧାନର ଆତ୍ମା ଏବଂ ଗଣତନ୍ତ୍ରର ମହାନ ପରମ୍ପରା ପ୍ରତି ମଧ୍ୟ ଅପମାନ । ଏହା ପ୍ରତ୍ୟେକ ଭଉଣୀ ଏବଂ ଝିଅଙ୍କ ପାଇଁ ଅପମାନ, ଯେଉଁମାନେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି ।
ବନ୍ଧୁଗଣ,
ଆମ ପରମ୍ପରାରେ କୁହାଯାଇଛି: ଅହଂକାରେ ହତଃ ପୁଷ୍ଟଃ ସମୂଳଂ ଚ ବିନାଶୟତି – ଅର୍ଥାତ୍, ଅହଂକାରରେ ଗ୍ରାସିତ ବ୍ୟକ୍ତି, ଯେତେ ଶକ୍ତିଶାଳୀ ହେଉ ନା କାହିଁକି, ଶେଷରେ ବିନାଶ ହେବ! ଆଜି, ଦେଶର ରାଜଧାନୀରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରୁଛି: ଜଣେ ଆଦିବାସୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ଟିଏମ୍ସିର ହୀନ ରାଜନୀତି ଏବଂ କ୍ଷମତାର ଅହଂକାର ଖୁବ୍ ଶିଘ୍ର ଭାଙ୍ଗି ପଡିବ । ପଶ୍ଚିମବଙ୍ଗର ପ୍ରବୁଦ୍ଧ ଜନତା ଜଣେ ମହିଳାଙ୍କୁ ଅପମାନିତ କରିବା ପାଇଁ, ଜଣେ ଆଦିବାସୀଙ୍କୁ ଅପମାନିତ କରିବା ପାଇଁ ଏବଂ ଦେଶର ପୂଜ୍ୟ ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ପାଇଁ ଟିଏମ୍ସିକୁ କେବେ କ୍ଷମା କରିବେ ନାହିଁ । ଦେଶ ମଧ୍ୟ ସେମାନଙ୍କୁ କେବେ କ୍ଷମା କରିବ ନାହିଁ, ଆଦିବାସୀ ସମାଜ ସେମାନଙ୍କୁ କେବେ କ୍ଷମା କରିବ ନାହିଁ ଏବଂ ଦେଶର ମହିଳା ଶକ୍ତି ସେମାନଙ୍କୁ କେବେ କ୍ଷମା କରିବ ନାହିଁ ।
ବନ୍ଧୁଗଣ,
ଆମ ସଂସ୍କୃତି ଆମକୁ ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଚିନ୍ତାଧାରାକୁ ସମ୍ମାନ କରିବାକୁ ଶିଖାଏ । ଆମ ସଂସ୍କୃତି ଆମକୁ ଆମର ଐତିହ୍ୟରେ ଗର୍ବ କରିବାକୁ ମଧ୍ୟ ଶିଖାଏ । ଏଥିରୁ ପ୍ରେରିତ ହୋଇ, ଆଜି ଆମେ ଦିଲ୍ଲୀର ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ମଧ୍ୟ କାମ କରୁଛୁ । ସାମ୍ପ୍ରତିକ ବର୍ଷଗୁଡିକରେ, କେନ୍ଦ୍ରର ବିଜେପି ସରକାର “ଐତିହ୍ୟ ସହିତ ବିକାଶ” ମନ୍ତ୍ର ଆଧାରରେ କାମ କରୁଛି । ଦିଲ୍ଲୀର ଅନେକ ଐତିହାସିକ ସ୍ଥାନର ଉନ୍ନତୀକରଣ କାମ ଆରମ୍ଭ କରିଛି । ଦିଲ୍ଲୀରେ ଅନେକ ନୂତନ ସ୍ଥାନ ମଧ୍ୟ ସୃଷ୍ଟି କରିଛି । ଜାତି ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ବୀରମାନଙ୍କ ସମ୍ମାନାର୍ଥେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି । ନୂତନ ସଂସଦ ଭବନ, କର୍ତ୍ତବ୍ୟ ପଥ, କର୍ତ୍ତବ୍ୟ ଭବନ ଏବଂ ସେବା ତୀର୍ଥ ୨୧ ଶତାବ୍ଦୀର ଭାରତର ନୂତନ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ । କିଛି ଦିନ ପୂର୍ବରୁ, ଭାରତ ମଣ୍ଡପରେ ଐତିହାସିକ ବିଶ୍ୱ ଏଆଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ଭଳି ସ୍ଥାନଗୁଡିକ ବିଶ୍ୱ ସମ୍ମୁଖରେ ଭାରତର ସଂସ୍କୃତି, ବାଣିଜ୍ୟ ଏବଂ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ପ୍ରମୁଖ ମଞ୍ଚ ପାଲଟିଛି । ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଯୁଗେ–ଯୁଗିନ ଭାରତ ସଂଗ୍ରହାଳୟ ଭଳି ନୂତନ ସଂଗ୍ରହାଳୟ ମଧ୍ୟ ଦିଲ୍ଲୀର ପରିଚୟକୁ ସୁଦୃଢ଼ କରୁଛି ।
ବନ୍ଧୁଗଣ,
ଦିଲ୍ଲୀ ହେଉଛି ଭାରତର ଐତିହାସିକ ଯାତ୍ରାର ସହର, ଏବଂ ଆଜି ଏହି ଦିଲ୍ଲୀ ଦେଶ ପାଇଁ ଏକ ନୂତନ ଯୁଗର ସାକ୍ଷୀ ହେଉଛି । ଏହା ହେଉଛି ନୂତନ ଭାରତର ଆତ୍ମବିଶ୍ୱାସର ଯୁଗ । ଏହି ଆତ୍ମବିଶ୍ୱାସ ଆମକୁ ଏକ ବିକଶିତ ଭବିଷ୍ୟତ ଆଡକୁ ନେଇଯିବ । ତେଣୁ, ଆମକୁ ପ୍ରତ୍ୟେକ ସଂକଳ୍ପକୁ ପୂରଣ କରିବା ପାଇଁ ଏକତ୍ର କାମ କରିବାକୁ ପଡିବ । ମୁଁ ନିଶ୍ଚିତ ଯେ, ରେଖା ଗୁପ୍ତା ଜୀ ଏବଂ ତାଙ୍କ ସମଗ୍ର ଦଳର ନେତୃତ୍ୱରେ, ଦିଲ୍ଲୀର ପ୍ରତ୍ୟେକ ବିକାଶ କାର୍ଯ୍ୟ ଆହୁରି ଅଧିକ ତ୍ୱରାନ୍ୱିତ ହେବ । ଦିଲ୍ଲୀର ପ୍ରତ୍ୟେକ ପରିବାରର ଜୀବନ ଉନ୍ନତ, ସୁଖୀ ଏବଂ ସମୃଦ୍ଧ ହେବ । ଏହି ସଦ୍ଭାବର ଭାବନା ସହିତ, ପୁଣି ଥରେ ମୁଁ ଆପଣମାନଙ୍କୁ ଏହି ବିକାଶ କାର୍ଯ୍ୟ ପାଇଁ ମୋର ହୃଦୟରୁ ଅନେକ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି । ମୋ ସହିତ କୁହନ୍ତୁ –
ଭାରତ ମାତା କି ଜୟ!
ଭାତର ମାତା କି ଜୟ!
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ବନ୍ଦେ ମାତରମ୍ !
ଧନ୍ୟବାଦ !
SR
We are committed to building a modern and Viksit Delhi. The projects launched today will strengthen infrastructure, improve connectivity and enhance the ease of living for people of the city.
— Narendra Modi (@narendramodi) March 8, 2026
https://t.co/BrUJqDQj50
भारत की नारी शक्ति हर क्षेत्र में एक नई ऊर्जा से आगे बढ़ रही है: PM @narendramodi
— PMO India (@PMOIndia) March 8, 2026
दिल्ली का विकास केवल एक शहर का विकास नहीं होता, यह पूरे देश की छवि से जुड़ा होता है: PM @narendramodi
— PMO India (@PMOIndia) March 8, 2026
आज जो मेट्रो का नया सेक्शन शुरू हुआ है, उससे राजधानी के लाखों लोगों को बहुत बड़ी सुविधा मिलने वाली है।
— PMO India (@PMOIndia) March 8, 2026
खासतौर पर पूर्वी और उत्तर-पूर्वी दिल्ली के लोगों के लिए अब रोज़ का सफर पहले से कहीं ज्यादा आसान होगा: PM @narendramodi
सरकार ने रेहड़ी-पटरी वाले साथियों के लिए स्वनिधि क्रेडिट कार्ड देने का अभियान चलाया है।
— PMO India (@PMOIndia) March 8, 2026
अब उनकी जेब में ही क्रेडिट कार्ड होगा जिसे वो अपनी जरूरत के अनुसार उपयोग कर पाएँगे: PM @narendramodi